ମାର୍ଚ୍ଚ ୩୧ରୁ ମେ’ ୨୮ ଆଇପିଏଲ୍-୨୦୨୩ : ପ୍ରଥମ ମ୍ୟାଚରେ ଗୁଜୁରାଟ ଟାଇଟାନ୍ସ-ଚେନ୍ନାଇ ସୁପର କିଙ୍ଗ୍ସ ମୁକାବିଲା
ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ଲିଗ୍ ଇଣ୍ଡିଆନ୍ ପ୍ରିମିୟର ଲିଗ(ଆଇପିଏଲ)ର ୧୬ ତମ ସଂସ୍କରଣ ପାଇଁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆଇପିଏଲ ଲିଗର ୧୬ତମ ସଂସ୍କରଣର ପ୍ରଥମ ମ୍ୟାଚ ୩୧ ମାର୍ଚ୍ଚରୁ ଆରମ୍ଭ କରାଯିବ। ମାର୍ଚ୍ଚ ୩୧ରୁ ମେ’ ୨୮ ପର୍ଯ୍ୟନ୍ତ ଆଇପିଏଲ-୨୦୨୩ ଖେଳାଯିବ। ଅହମ୍ମଦାବାଦରେ ଉଦଘାଟନୀ ମ୍ୟାଚ ସହ ଫାଇନାଲ ଖେଳାଯିବ। ଳିତ ବର୍ଷ ଆଇପିଏଲର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିଅନ୍ ଗୁଜୁରାଟ ଟାଇଟାନ୍ସ ଏବଂ ଚାରିଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ। ଯୁବ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଥମ ମ୍ୟାଚରେ ଅଭିଜ୍ଞ ମହେନ୍ଦ୍ର ସିଂ ଧୋନିଙ୍କ ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଭୟ ଓପନିଂ ଏବଂ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ।
୧୨ଟି ସହରରେ ଖେଳାଯିବ ଆଇପିଏଲ-୨୦୨୩ର ସମସ୍ତ ମ୍ୟାଚ। ଘରୋଇ ଓ ବାହାର ପିଚରେ ୭ଟି ଲେଖାଏଁ ମ୍ୟାଚ ଖେଳିବେ ଫ୍ରାଞ୍ଚାଇଜ। ଆଇପିଏଲ ମ୍ୟାଚ ପ୍ରତ୍ୟହ ଦିନ ମ୍ୟାଚ ଅପରାହ୍ଣ ୩.୩୦ ଏବଂ ରାତି ମ୍ୟାଚ ସନ୍ଧ୍ୟା ୭.୩୦ରୁ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି। ଆଇପିଏଲ ଟୁର୍ଣ୍ଣାମେଣ୍ଟର ୧୬ତମ ସଂସ୍କରଣ ମାର୍ଚ୍ଚ ୩୧ରେ ଆରମ୍ଭ ହେବାକୁ ଥିବାବେଳେ ଆଇପିଏଲ୍ ୨୦୨୩ର ପ୍ଲେ ଅଫ୍ ମ୍ୟାଚ୍ ପାଇଁ ବିସିସିଆଇ ଏପର୍ଯ୍ୟନ୍ତ ତାରିଖ ପ୍ରକାଶ କରି ନାହିଁ। ଆଇପିଏଲ୍ ୨୦୨୩ରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ଲିଗ୍ ରାଉଣ୍ଡରେ ସମସ୍ତ ୧୦ଟି ଦଳ ୧୪ଟି ମ୍ୟାଚ୍ ଖେଳିବେ। ଏହିପରି, ଲିଗ୍ ରାଉଣ୍ଡରେ ମୋଟ ୭୦ଟି ମ୍ୟାଚ୍ ଖେଳାଯିବ। ତା’ପରେ ପ୍ଲେ ଅଫ୍ର ଚାରୋଟି ମ୍ୟାଚ୍ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ମୋଟ ୭୪ଟି ମ୍ୟାଚ୍ ଖେଳାଯିବ। ସମସ୍ତ ମ୍ୟାଚ୍ ସମଗ୍ର ଦେଶରେ ୧୨ଟି ଗ୍ରାଉଣ୍ଡରେ ଖେଳାଯିବ।
ସମସ୍ତ ୧୦ଟି ଦଳକୁ ଦୁଇଟି ଗ୍ରୁପରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଦଳ ଗ୍ରୁପ ପର୍ଯ୍ୟାରେ ୧୪ଟି ଲେଖାଏଁ ମ୍ୟାଚ୍ ଖେଳିବେ। ଦଳଗୁଡିକୁ ସାତୋଟି ମ୍ୟାଚ୍ ଘରୋଇ ପଡିଆରେ ଏବଂ ଅନ୍ୟ ସାତ ମ୍ୟାଚ୍ ବିପକ୍ଷ ଦଳର ଘରୋଇ ପଡିଆରେ ଖେଳିବାକୁ ପଡିବ।
ଆଇପିଏଲ୍ ୨୦୨୩ର ଗ୍ରୁପ :
ଗ୍ରୁପ ଏ : ମୁମ୍ଵାଇ ଇଣ୍ଡିଆନ୍ସ, କୋଲକାତା ନାଇଟ୍ ରାଇଡର୍ସ, ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ଲକ୍ଷ୍ନୌ ସୁପର ଜାଏଣ୍ଟସ
ଗ୍ରୁପ ବି : ଚେନ୍ନାଇ ସୁପର କିଙ୍ଗ୍ସ, ପଞ୍ଜାବ କିଙ୍ଗ୍ସ, ସନରାଇଜର୍ସ ହାଇଦ୍ରାବାଦ, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ।
