ଦେଲନି ମୋ ଚିଠିର ଉତ୍ତର
ଦେଲନି ମୋ ଚିଠିର ଉତ୍ତର
ଡ. ପ୍ରେମାନନ୍ଦ ବେହେରା
ଦେଲନି ମୋ ଚିଠିର ଉତ୍ତର
ହେ ଜଗତ ଠାକୁର,
କେତେ ଦିନ ହେଲା
ଭିଜା ଆଖିର ମସିରେ
ମୁଁ ଲେଖୁଛି ନାମ ତୁମର ,
ପ୍ରତ୍ୟେକ ଚିଠିରେ
ଦୁଃଖ ଲେଖିନାହିଁ
କେବଳ ଏତିକି ପଚାରିଛି…
“ମୁଁ ଠିକ୍ ରାସ୍ତାରେ ଅଛି କି ?”
ମୋ କଥା ଶୁଣି
ପବନ ମଧ୍ୟ ଥମିଯାଏ,
ତୁମ ଶାନ୍ତରୂପ
ଆଉ ଗଭୀର ହୋଇଯାଏ,
ହେ କାଳିଆ
ମୁଁ ଅଭିଯୋଗ କରେନି
ମୁଁ କେବଳ
ଏକ ଶବ୍ଦ ଖୋଜୁଛି…
ଭରସାର ।।
ମନ୍ଦିରର ଘଣ୍ଟା ବାଜେ
ଶଙ୍ଖ ଡାକେ
ତଥାପି ମୋ ମନରେ
ସନ୍ଧ୍ୟା ଲାଗିରହେ ସଦାକାଳ,
ଦେଲନି ମୋ ଚିଠିର ଉତ୍ତର,
ହେ ଜଗତ ଠାକୁର
ଅବା କି ମୁ ପଢ଼ିପାରୁନି
ତୁମ ଭାଷାର ଅକ୍ଷର ?
ସମ୍ଭବତଃ ଉତ୍ତର
ଚିଠିରେ ନୁହେଁ
ମୋ ଯନ୍ତ୍ରଣାକୁ
ସହିବାର ଶକ୍ତିରେ ଲୁଚିଛି,
ମୋ ଅପେକ୍ଷାକୁ
ତୁମେ ନିରବତାରେ
ଶିଖାଉଛ…
ଭଗବାନଙ୍କ ଉତ୍ତର
ସବୁବେଳେ ଶବ୍ଦ ନୁହେଁ ।।
ହେ ଜଗତନାଥ
ଯଦି ଉତ୍ତର ନ ମିଳେ
ତଥାପି ମୁଁ
ଚିଠି ଲେଖିବା ଛାଡ଼ିବିନି,
କାରଣ ଲେଖିବାରେ
ମୋ ଶ୍ୱାସ ଜୀବିତ ।।
ପଦ୍ମପୁର, ବରଗଡ଼
