ବିକଶିତ ଭାରତର ସ୍ବପ୍ନରେ ମାଲକାନଗିରି ଜିଲ୍ଲାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା

ବିକଶିତ ଭାରତର ସ୍ବପ୍ନରେ ମାଲକାନଗିରି ଜିଲ୍ଲାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଆଞ୍ଚଳିକ ଆଦିବାସୀ ଭାଷା ଓ ତାହାର ପରିବେଶର ପ୍ରଭାବ।–ଜାତୀୟ ଶିକ୍ଷାନୀତି-2020 ଭାରତ ଓ ଓଡ଼ିଶା ରାଜ୍ୟରେ ସମ୍ପୁର୍ଣ୍ଣ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏହାକୁ କିପରି ସରସ ଓ ସୁନ୍ଦର ରୁପରେଖ ଦିଆଯାଇ ପାରିବ ତା ପାଇଁ ପୂର୍ବ ପ୍ରସ୍ତୁତି ସରିଛି। ତଥାପି ୫+୩+୩+୪ ଏକ ନୂତନତ୍ବର‌ ପରିକଳ୍ପନା କରାଗଲା। ଯାହା ବର୍ତ୍ତମାନ ଶିଶୁ ଶିଶୁଶ୍ରେଣୀ ୧’୨’ ଓ ୩ ଦେଇ ଗତି କରିବ। ଓ ମୂଳ କଥା ହେଲା ୬+ ରେ ଶିଶୁ ପ୍ରଥମ ଶ୍ରେଣୀରେ ଅଧ୍ୟୟନ କରିବ। ଶିଶୁର ସର୍ବାଙ୍ଗୀନ ବିକାଶ ନିମନ୍ତେ ତାର ଚତୁଃପାର୍ଶ୍ଵର ପରିବେଶ ସାମାଜିକ ସ୍ଥିତି ଆର୍ଥିକ ସ୍ଥିତିକୁ ଓ ପରିବାର ମଧ୍ୟରେ ଦୈନନ୍ଦିନ ଜୀବନରେ ପ୍ରଚଳିତ ଭାଷାର ବ୍ୟବହାର ଯାହାକି ଶିଶୁର ପିତା ମାତା ଜେଜ ବାପା ଜେଜେମାଆ ଦାଦା ଖୁଡି, ମାମୁଁ ମାଇଁ ଓ ଅଜା ଆଇର ଗ୍ରାମ୍ୟ ଜୀବନର ଚାଲି ଚଳଣିର ଅଧିକ ପ୍ରଭାବ ରହିଥାଏ। କାରଣ ଗୁଡ଼ିକ ସମ୍ପର୍କରେ ବାସ୍ତବରେ ଆଲୋଚନା କଲେ ଏହାର ସମ୍ପୂର୍ଣ୍ଣ ତଥ୍ୟ ଲୋକଲୋଚନକୁ ଆସିଥାଏ। ଯଥା ତାର ପରିବେଶ ମଧ୍ୟରେ କ’ଣ କଣ ରହିଥାଏ ଓ ରହିଛି ତାହା ଗୁରୁତ୍ୱପୂର୍ଣ୍ଣ ଅଟେ। ଯେପରି ତାର ପରିବେଶ‌ ସମ୍ପର୍କରେ ଆଲୋକପାତ କରିବାର ସମ୍ଭାବନା ରହିଅଛି, ଏବଂ ସେହିପରି ତା’ର ପରିବାରର ଆର୍ଥିକ ସ୍ଥିତି କିପରି ଅଛି ତାର ଏକ ସ୍ଵତନ୍ତ୍ର ତର୍ଜମାର ଆବଶ୍ୟକତା ରହିଛି।ସେହିପରି ବର୍ଷକ ମଧ୍ୟରେ ତାଙ୍କ ଘରେ ବା ସମାଜରେ କେଉଁ କେଉଁ ପର୍ବ ପର୍ବାଣୀ ପାଳନ କରାଯାଏ। ପାରିବାରିକ ଓ ସାମାଜିକ ସ୍ବତନ୍ତ୍ର ଭାବରେ ଆଲୋଚନାର ଆବଶ୍ୟକତା ରହିଛି। ଦୈନନ୍ଦିନ ଜୀବନରେ ସକାଳ ସମୟରୁ ଶଯ୍ୟା ତ୍ୟାଗ ପରେ ବିଦ୍ୟାଳୟ ପ୍ରବେଶ ପର୍ଯ୍ୟନ୍ତ ଘରୋଇ କାମରେ ପିତାମାତାଙ୍କୁ କି ପ୍ରକାରର ସାହାଯ୍ୟ କରୁଛି ଓ ବିଦ୍ୟାଳୟରୁ ଗଲାପରେ ପିତାମାତାଙ୍କୁ କି ପ୍ରକାରର ସାହାଯ୍ୟ କରୁଛି। ସେହି ସମୟରେ ତାର ପରିବାର ଓ ସମାଜ ସହ ଯେଉଁ ସୁ ସମ୍ପର୍କ ରହୁଛି ପିଲାଟି କି ଭାଷାରେ କଥାବାର୍ତ୍ତା କରୂଛି। ବୟସ୍କ ବ୍ୟକ୍ତିମାନଙ୍କର ଠାରୁ ଯେଉଁ କାହାଣୀ ଓ ଗଳ୍ପ ବା ପୁରୁଣା କଥାକୁ କିଭଳି ଭାବରେ ଶ୍ରବଣ କରୁଛି ଓ ତା ମସ୍ତିଷ୍କରେ ସାଇତି ରଖୁଛି, ସେ ସମ୍ପର୍କରେ ଆଲୋଚନା କରିବାପରେ ଅଭିପ୍ରାୟ ରହିଛି। ତତ୍ ସହିତ ତା ସାଙ୍ଗ ସାଥି ମାନଙ୍କ ସହିତ କେଉଁ ଭାଷାରେ ତାର ଭାବ ବିନିମୟ କରୁଛି ତାହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବିଷୟ ଅଟେ। କାରଣ ବିଦ୍ୟାଳୟ ପରିସରରେ ସେ ଦୈନନ୍ଦିନ ଜୀବନରେ ପୁସ୍ତକର‌ ଭାଷା ସହିତ ପରିଚୟ ହୋଇଥାଏ ତେଣୁ ପିଲାଟିକୁ ପାଠ ଗ୍ରହଣ କରିବାରେ ହୁଏତ କଠିନ ହୋଇପାରେ। ତେଣୁ ସମ୍ପୁର୍ଣ୍ଣ ଭାବରେ ପାଠ୍ୟପୁସ୍ତକର‌ ଭାଷା ସହ ଆଞ୍ଚଳିକ ଭାଷାକୁ ଯୋଡ଼ିବା ଓ ଆବଶ୍ୟକ ସ୍ଥଳେ ଆଞ୍ଚଳିକ ଭିତ୍ତିକ ପୁସ୍ତକ ପ୍ରସ୍ତୁତି ଆବଶ୍ୟକତା ରହିଛି। ପ୍ରତ୍ୟେକ ଆଞ୍ଚଳିକ ଭାଷା ସହ ଓଡ଼ିଆ ଭାଷାର ପରିଚୟ କରାଇବା ଏକ ଗୁରୁତ୍ତ୍ୱପୂର୍ଣ ବିଷୟ ଅଟେ। ଏବଂ ଏଥିପାଇଁ ଏକ ବିଶେଷ ପୁସ୍ତକ ପ୍ରସ୍ତୁତିର‌ ଆବଶ୍ୟକତା ରହିଛି । ଏହାଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚ୍ୟ ବିଷୟ ଅଟେ। ପିଲାଟି ଯେତେବେଳେ ତାର ବନ୍ଧୁ ବାନ୍ଧବଙ୍କ ଘରକୁ ବୁଲି ଯାଉଛି ସେ ସେହି ପରିବେଶରୁ କଣ ସବୁ ଶିକ୍ଷାଲାଭ କରୁଛି ତାହା ମଧ୍ୟ ଆଲୋଚନାର ପରିଷରରେ ଆଲୋଚ୍ୟ ବିଷୟ ଅଟେ। ସେହିପରି ଆଉ ଏକ ଗୁରୁତ୍ତ୍ୱପୂର୍ଣ କଥା ତାଙ୍କ ଅଞ୍ଚଳରେ କ’ଣ କ’ଣ ସବୁ ଉପଲବ୍ଧ ଅଛି। ଯାହା ତାଙ୍କୁ ଦୈନନ୍ଦିନ ଜୀବନରେ ଆବଶ୍ୟକତା ରହିଛି। ଯଥା ଖାଦ୍ୟ ପାନୀୟ, ଜଳର ଉତ୍ସ, ଗମନାଗମନ ଏହି ସମ୍ପର୍କରେ ଏକ ବିଷଦ ବିବରଣୀ ପ୍ରଦାନ କରିବା ଆବଶ୍ୟକ ରହିଛି। ପ୍ରତ୍ୟେକ ଆବଶ୍ୟକତା ଅନୁଯାୟୀ ସ୍ବତନ୍ତ୍ର ଆଲୋଚନା ର ଆଲେଖ୍ୟ ଏଠାରେ ସ୍ତର ଅନୁଯାୟୀ ଉଲ୍ଲେଖ କରାଯିବ। ଦ୍ବିତୀୟରେ ମୂଳତଃ ପିଲାଟି ନିଜ ମାତୃଭାଷା ସହ ଆଞ୍ଚଳିକ ଭାଷା ଓ ତତ୍ପରେ ପୁସ୍ତକର ଲିଖିତ ଭାଷା ସମ୍ପର୍କରେ ଜାଣିପାରିବ। ତଦ୍ୱାରା ପିଲାଟି ଭାଷାର ଦକ୍ଷତା ହାସଲ କଲେହିଁ ଅନ୍ୟ ବିଷୟ ବସ୍ତୁ ସମ୍ପର୍କରେ ସହଜରେ ଅଗଗତି ହେଇପାରିବ। ସେଥିପାଇଁ ମନେକର ଗଣିତର ସମ୍ପର୍କରେ ଆଲୋଚନା କଲାବେଳେ ତାର ଦୈନନ୍ଦିନ ଜୀବନରେ ଗଣନା କିପରି ନିଜ ଭାଷାରେ ପରିବାର ସ଼ କିମ୍ବା ସାଙ୍ଗ ସାଥି ମାନଙ୍କ ସହିତ ଆଦାନ ପ୍ରଦାନ କରୁଛି ସେ ସମ୍ପର୍କରେ ହିଁ ଶିକ୍ଷାର ଆରମ୍ଭ ବା ଗାଣିତିକ କୈସଳ ମିଶାଣ ଫେଡାଣ ହରଣ ଓ ଗୁଣନ ନିମନ୍ତେ ଗଣିତର ସମ୍ବନ୍ଧୀୟ କବିତା ଓ ଗଳ୍ପ ( ଆଦିବାସୀ ଭାଷା ମାଧ୍ୟମରେ) ହେବା ଆବଶ୍ୟକ, ତ’ ଦ୍ବାରା ପିଲାଟି ସହଜରେ ଗଣିତର ଶିକ୍ଷାଲାଭ କରିପାରିବ। ଯଥା ତାର ବାସ୍ତବ ଜୀବନର କଥା ଗଳ୍ପ ଓ କବିତା କଥାଚିତ୍ର ହେବା ନିତାନ୍ତ ଆବଶ୍ୟକ ଏ ସମ୍ପର୍କରେ ମଧ୍ୟ ଏକ ବିବରଣୀ ପ୍ରଦାନ କରାଯିବ। ମୂଳତଃ ଏ ସମ୍ପର୍କରେ ଆଞ୍ଚଳିକ ଭାଷା ହିଁ ପିଲାଟିର ଶିକ୍ଷାରେ ଆଗ୍ରହ ଜନିତ ଶିକ୍ଷା ହୋଇପାରିବ। ତେଣୁ ଶିକ୍ଷକ ସଦାସର୍ବଦା ଶିକ୍ଷାର୍ଥୀର ଆଞ୍ଚଳିକ ଭାଷାର ପ୍ରୟୋଗ କରିବା ନିତାନ୍ତ ଆବଶ୍ୟକ। ତତ୍ ସହିତ ସେହିପରି ଭାଷାରେ ଶିକ୍ଷାର୍ଥୀ ତାର ଆଗ୍ରହ ପ୍ରକାଶ ପରେ ଇଂରାଜୀ ଭାଷାର ଶିକ୍ଷା ମଧ୍ୟ ସହଜରେ ଲାଭ କରିପାରେ।୦୧.ଶିକ୍ଷାର୍ଥୀ ଜୀବନରେ ତାର ପରିବାର ଓ ପରିବେଶର ପ୍ରଭାବ ଏକ ଆଲୋଚନା ।—————————————-ମାଲକାନଗିରି ଜିଲ୍ଲାର ମୁଖ୍ୟ ଭାଷା ମାନଙ୍କ ମଧ୍ୟରୁ ପରଜା, ଗାଦବା, ବଣ୍ଡା, ଡିଡାୟୀ, କୋୟା ଅନ୍ୟତମ ଅଟେ। ଏଥିରେ ସମସ୍ତେ ପ୍ରାୟ ଆଦିବାସୀ ଭାଷାରେ କଥାବାର୍ତ୍ତା କରନ୍ତି ଓ ସେମାନଙ୍କ ଯାନି ଯାତ୍ରା ନାଟକ , ପର୍ବ ପର୍ବାଣୀ ମୁଖ୍ୟତଃ ଆଦିବାସୀ ଭାଷାରେ ହୋଇଥାଏ। ଏହି ଭାଷା ମାଧ୍ୟମରେ ତାଙ୍କ ପରିଜନଙ୍କ ସହ କଥାବାର୍ତ୍ତା ମଧ୍ୟ କରିଥାନ୍ତି। ଆଜିକାଲି ମୋବାଇଲ ବାର୍ତ୍ତାଳପ ମଧ୍ୟ ପରସ୍ପର ଆଦିବାସୀ ଭାଷାରେ କରିଥାନ୍ତି ଓ ସଂସ୍କୃତି ଓ ଭାଷାକୁ ସେମାନେ ବହୁତ ଭଲ ପାଆନ୍ତି। ଏହା ଏକ ଜ୍ୱଳନ୍ତ ଉଦାହରଣ ଅଟେ। ଯେପରି ତୁମ ନାମ କ’ଣ ? ତୋର ନାଉଁ କାଇଟା ? ତୁମେ କ’ଣ କରୁଛ? ତୁମେ କାଇଟା କରଲାସନି ?ତୁମେ କ’ଣ ଖାଇଲ ?ତୁମେ କାଇଟା ଖାଇଲାସ ?ତୁମର ଗାଁ ନାମ କ’ଣ ? କୁନ ଗାଁଉର ନୁନା / ନୁନୀ ତୁଇ ? ଏହିପରି ବିଭିନ୍ନ କଥାବସ୍ତୁକୁ ଏଠାରେ ସ୍ଥାନିତ କରାଯାଇଛି। ଏହାର ଉପଯୋଗ କଲେ ନିଶ୍ଚିତ କିଛିଟା ଫଳପ୍ରଦ ହୋଇପାରିବ। ଆଦିବାସୀ ଭାଷାରେ ସେହିପରି ପରିବାର ବଣ ଜଙ୍ଗଲର କଥାକୁ ନେଇ ଗଳ୍ପ, କବିତା ପ୍ରସ୍ତୁତି ଏକ ସୁନ୍ଦର ଶିକ୍ଷଣୀୟ ମାଧ୍ୟମ ହୋଇପାରିବ। ବିକଶିତ ଭାରତର ଗଠନରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ରଛାତ୍ରୀ ନିଶ୍ଚିତ ଭାଵରେ ଜାତୀୟ ସ୍ତରରେ ନିଜର ସୁନାମ ଅର୍ଜନ କରିପାରିବେ ଓ ନିଜକୁ ସ୍ବତନ୍ତ୍ର ଭାବରେ ପ୍ରତିଷ୍ଠିତ କରିପାରିବେ। ୦୨.ପରିବେଶ ଓ ଗଣିତ ଶିକ୍ଷଣରେ ଆଞ୍ଚଳିକ ଭାଷାର ଆବଶ୍ୟକତା।————————————ଯେତେବେଳେ ଭାରତୀୟ ଭାଷାର‌ ବିକାଶ ହୋଇଥିଲା ତାର ବହୁତ ପୂର୍ବରୁ ଆଦିବାସୀ ଲୋକମାନେ ସ୍ବତନ୍ତ୍ର ଭାଷା ନିଜ ଆଞ୍ଚଳିକ ଆଦିବାସୀ ଭାଷାର ବ୍ୟବହାର କରି ଆସୁଛନ୍ତି। ତେଣୁ ମାଟି ମାଆ ମଣିଷ ଭାଷାକୁ ଭଲ ପାଉଥିବା ମଣିଷଟିଏ। କାରଣ ସେହି ଭାଷା ଅନ୍ୟମାନଙ୍କୁ ଅବୁଝା ଆଗ୍ରହ ନଥିଲେ ମଧ୍ୟ ସେହି ଭାଷାର ସ୍ୱତନ୍ତ୍ରତା ଆବାହମାନ କାଳରୁ ବଞ୍ଚି ରହିଛି। ତେଣୁ ପ୍ରତ୍ୟେକଙ୍କ ଶିରା ପ୍ରଶିରାରେ ସେହି ଭାଷାର‌ ମମତା ଦେଖିବାକୁ ମିଳେ । ଏହିପରି ଆଦିବାସୀ ଭାଷାରେ ବିଭିନ୍ନ ନାଟକର ପରିବେଷଣ କରାଯାଉଛି। ଏବଂ ତାହା ଆଦିବାସୀ ଭାଷା ଭାଷୀ ଲୋକ ମାନଙ୍କୁ ଅତ୍ୟନ୍ତ ଆନଦ ପ୍ରଦାନ କରୁଛି। ଏପରିକି ଏକମାସ ପର୍ଯ୍ୟନ୍ତ ଯଦି ବିଭିନ୍ନ ସ୍ଥାନରେ ନାଟକ ପରିବେଷିତ କରାଯାଏ। ତା ହେଲେ ନିକଟରେ ଥିବା ସମସ୍ତ ଗ୍ରାମଗୁଡିକୁ ସେହି ନାଟକର ଉପଭୋଗ କରନ୍ତି। ତାଙ୍କ ପରମ୍ପରା ସ୍ବତନ୍ତ୍ର ବୋଲି ସେମାନେ ପରିଚୟ ଦିଅନ୍ତି। ତେଣୁ ନିଜସ୍ବ ଭାଷାର ଗଣିତର ଖେଳ, ନିଜସ୍ଵ ପରିବେଶକୁ ନେଇ ବିଭିନ୍ନ ଗଳ୍ପ ମାଧ୍ୟମରେ ଶିକ୍ଷା ପ୍ରଦାନ କଲେ ନିଶ୍ଚିତ ଭାବରେ ବିକଶିତ ଭାରତର ଗଠନ ସମ୍ଭବ ହୋଇପାରିବ ବୋଲି ଆଶା ଓ ବିଶ୍ବାସ। ୦୩.ଆଞ୍ଚଳିକ ଆଦିବାସୀ ଭାଷା ସହ ପୁସ୍ତକର ଭାଷକୁ ଯୋଡ଼ିବା ———————————ପାଠ୍ୟପୁସ୍ତକ ସହ ଆଞ୍ଚଳିକ ଭାଷାକୁ ଯୋଡ଼ିବା ଏକ ଗୁରୁତ୍ତ୍ୱପୂର୍ଣ ବିଷୟବସ୍ତୁ ଅଟେ। ତେଣୁ ଏ ସମ୍ପର୍କରେ ଅଭିଜ୍ଞ ଶିକ୍ଷକ ମାନଙ୍କ ଦ୍ୱାରା ଓ ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତିଙ୍କୁ ଏହି ଗୁରୁଦାୟିତ୍ଵ ପ୍ରଦାନ କରି ଭାଷା ସମ୍ବଳିତ ପାଠ୍ୟପୁସ୍ତକ ଓ ବିଭିନ୍ନ ଆଦିବାସୀ ଭାଷାର ପୁରୁଣା କାହାଣୀ ପୁସ୍ତକ ପ୍ରସ୍ତୁତି ଓ ବିଭିନ୍ନ ଆଦିବାସୀ ଭାଷା ସମ୍ପର୍କରେ କବିତା ପ୍ରସ୍ତୁତି ଓ ସେମାନଙ୍କ ଚାଲିଚଳଣୀ ଓ ପର୍ବ ପର୍ବାଣୀ ଓ ଜଙ୍ଗଲର ବସବାସ କରୁଥିବା ବିଭିନ୍ନ ପଶୁ ପକ୍ଷୀ ଓ ପରିଚିତ ବୃକ୍ଷ ସମ୍ପର୍କରେ ବିଭିନ୍ନ ଗଳ୍ପ ପ୍ରସ୍ତୁତି କରି ସେମାନଙ୍କୁ ଆନନ୍ଦ ଦାୟକ ଶିକ୍ଷା ସହଜ ସରଳ ହୋଇପାରିବ। ଗ୍ରାମ୍ୟ ପରିବେଶ ସହ ବିଦ୍ୟାଳୟ ପରିବେଶ ସହ ଯୋଡ଼ିବା ଓ ଶିକ୍ଷଣ ସ୍ତରରେ ବିଭିନ୍ନ ଉନ୍ନତି ମୂଳକ ପଦକ୍ଷେପ ଗ୍ରହଣ କରାଯିବା ନିମନ୍ତେ ପ୍ରୟାସ କରାଯିବ। ବିଭିନ୍ନ ସ୍ଥାନରେ ଥିବା ପାହାଡ଼ ଅବସ୍ଥିତି ଓ ନଦୀର ନାମ ସହ ଗଳ୍ପ କବିତା ସହ ଯୋଡ଼ିବା। ତତ୍ ସହିତ ବାରମାସରେ ପାଳନ ହେଉଥିବା ପର୍ବପର୍ବାଣୀ ଓ ମୁଖ୍ୟ ପର୍ବପର୍ବାଣୀ ସମ୍ପର୍କରେ ଯାହା ଶିକ୍ଷାର୍ଥୀ ନିଜସ୍ଵ ଜୀବନ ସହ ପରିଚିତ ହୋଇଥିବା ସମ୍ପର୍କରେ ଆଲୋଚନା ଓ ବିଭିନ୍ନ କାହାଣୀ ଗଳ୍ପ ମାଧ୍ୟମରେ ପରିବେଶ ଓ ପ୍ରକୃତି ଜଡ଼ିତ ପାଠ୍ୟକ୍ରମ ଯଥା ବିଭିନ୍ନ ଋତୁର ନାମ, ଓ ବାରର ନାମ, ମାସର ନାମ,ଓ ବିଭିନ୍ନ ଋତୁ ସମୟରେ ପରିବେଶର ପ୍ରାକୃତିକ ଅବସ୍ଥା ସମ୍ପର୍କରେ ଅବଗତ ହୋଇପାରିବେ। ତତ୍ ସହିତ ପାଠ୍ୟପୁସ୍ତକରେ ଗ୍ରାମ୍ୟ ଜୀବନର ଚଳଣୀ ଓ ଚିତ୍ରଶିଳ୍ପୀ ସେମାନଙ୍କ ଦୈନନ୍ଦିନ ଜୀବନରେ ବ୍ୟବହୃତ ସାମଗ୍ରୀକୁ ଚିତ୍ର ମାଧ୍ୟମରେ ଦର୍ଶାଯାଇ ସ୍ବତନ୍ତ୍ର ପାଠ୍ୟପୁସ୍ତକ ଓ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରି ତାହା ମାଧ୍ୟମରେ ଆଞ୍ଚଳିକ ଭାଷା ଶିକ୍ଷାଦାନ ମାଧ୍ୟମରେ ଓଡ଼ିଆ ଭାଷା ସହିତ ଯୋଡ଼ିବାର ପ୍ରୟାସ କଲେ ନିଶ୍ଚିତ ଭାବରେ ଫଳପ୍ରଦ ହେବ। ଏବଂ ଉପସ୍ଥାନ କମିବା ବଦଳରେ ନିଶ୍ଚିତ ବୃଦ୍ଧି ଘଟିବାର ଯଥେଷ୍ଟ ସମ୍ଭାବନା ରହିଅଛି। ଗ୍ରାମ୍ୟ ଜୀବନରେ ପରିବାର ସହ ସମାଜର ସୁସମ୍ପର୍କ ଓ ଗୃହପାଳିତ ପଶୁମାନଙ୍କର ସହ ସମ୍ପର୍କ ଓ ଗ୍ରାମ ସହ ଜଙ୍ଗଲର ସମ୍ପର୍କରେ ଏକ ବିଶେଷ ଅଧ୍ୟୟନ ଆବଶ୍ୟକତା ରହିଛି। ଏହି ଶିକ୍ଷା ଯାହା ଆଞ୍ଚଳିକ ଭାଷା ମାଧ୍ୟମରେ ସମ୍ଭବପର ହେବ।୦୪. ଶିକ୍ଷାର ବିକାଶରେ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ପୁସ୍ତକଗତ ଆଲୋଚନା।ସାଧାରଣତଃ ବିଭିନ୍ନ କୃତିତ୍ୱ ସମ୍ପର୍କରେ ସଫଳ ବ୍ୟକ୍ତିବିଶେଷଙ୍କ ଜୀବନ କାହାଣୀକୁ ପାଠ୍ୟପୁସ୍ତକରେ ସ୍ଥାନ ଦେବାର ବିଶେଷ ଆବଶ୍ୟକତା ରହିଛି। ଯେପରି ସ୍ବାଧୀନତା ସଂଗ୍ରାମୀ ସହୀଦ ଲକ୍ଷ୍ମଣ ନାଏକଙ୍କ ସମ୍ପର୍କରେ ଆଞ୍ଚଳିକ ଭାଷା ମାଧ୍ୟମରେ କବିତା ଓ ଗଦ୍ୟ ବିଭାଗ ରହିବା ଆବଶ୍ୟକତା ରହିଛି। ଏବଂ ବିଶେଷ କ୍ଷେତ୍ରରେ ଯଥା ପ୍ରଶାସନିକ ସେବା କ୍ଷେତ୍ରରେ ପାରଦର୍ଶିତା ଲାଭକରିଥିବା ବ୍ୟକ୍ତିବିଶେଷଙ୍କ କଥା ଓ ଚିତ୍ରଶିଳ୍ପୀ ପାଠ୍ୟପୁସ୍ତକର ସ୍ଥାନ ପାଇବାର ଆବଶ୍ୟକତା ରହିଛି। ସେମାନଙ୍କ ଆଦର୍ଶ ଓ ଜୀବନୀ ଛାତ୍ରଛାତ୍ରୀଙ୍କ ମନରେ ଏକ ସକାରାତ୍ମକ ଚିନ୍ତା ଶକ୍ତିର ଅଭ୍ୟୁଦୟ ହୋଇପାରିବ। ଏବଂ ବିକାଶ ଦିଗରେ ଚିନ୍ତନ କରିପାରିବେ। ଗ୍ରାମର ହାଟ ବଜାର ବିଷୟର ସମ୍ପୁର୍ଣ୍ଣ ସୂଚନା ପ୍ରଦାନ କରି ଗଣିତର ଶିକ୍ଷା ଦିଆଯିବ। ଧନ୍ୟବାଦ।ଶ୍ରୀ କେ ତ୍ରିମୁଲା ଆଚାରୀ ( ଶିକ୍ଷକ ସରକାରୀ ପ୍ରାଥମିକ ବିଦ୍ୟାଳୟ ଖାସପା ନୂଆସାହି, ଶେରଗଡ଼ ଗଞ୍ଜାମ ଓଡ଼ିଶା) ଶିକ୍ଷାଗତ ଯୋଗ୍ୟତା – ଓଡ଼ିଆ ଏମ୍. ଏ ସହ ସିଟି।ସ୍ଥାୟୀ ଠିକଣା – ଗୋବିନ୍ଦପାଲି, ମାଲକାନଗିରି ଓଡ଼ିଶା।

Leave a Reply

Your email address will not be published. Required fields are marked *