ଇନ୍ଦ୍ରିୟର ବଶ ହେଲେ ସର୍ବନାଶ

          ଇନ୍ଦ୍ରିୟର ବଶ ହେଲେ ସର୍ବନାଶ
             ( ରାଗ — ବିଭାସ କେଦାର )

    🖊️କବିରତ୍ନ ନୂତନ କୁମାର ବେହେରା

ମଣିଷ ଶରୀର  ରହେ ନାହିଁ ଚିର,
          ଆସିଛି ସଂସାର  ନେଇ ଭାଗ୍ୟ ତାର।
ରହି ସେ ଜଗତେ ସୁକର୍ମରେ ଜିତେ, 
          ସୁଖେ ଦିନ ବିତେ  ତାର ଇଚ୍ଛା ମତେ।
ହେହ ମଧ୍ୟେ ମନ  ରହି ସଚେତନ,
               ଦିଅଇ ଆହ୍ଵାନ  କରେ ନିୟନ୍ତ୍ରଣ।
ପାଞ୍ଚ ଜ୍ଞାନେନ୍ଦ୍ରିୟ  ପାଞ୍ଚ କର୍ମେନ୍ଦ୍ରିୟ,
              ମଧ୍ୟରେ ହୃଦୟ  ମନ କରେ ଥୟ।
ମନ ଭାବେ ଯାହା  କରୁଥାଏ ତାହା,
          ପ୍ରଭୁ ହେଲେ ସାହା  ହୁଏ ଦେହସୁଆ।
ମନୋବଳେ ବୃଦ୍ଧି  ମିଳିଥାଏ ସିଦ୍ଧି,
                  ମନ ଦିଏ ବୁଦ୍ଧି  ହୁଅଇ ସମୃଦ୍ଧି।
ଇନ୍ଦ୍ରିୟ ଉଦ୍ଦାମ  ହୋଇଲେ ଅସୀମ,
             ହୁଏ ବ୍ୟତିକ୍ରମ  ମିଳେନା ଆରାମ।
ହୁଏ ମତିଭ୍ରମ  କରେ ସେ କୁକର୍ମ,
               ନ ପାଇ ସୁନାମ  ହୁଏ ବଦନାମ।
ଇନ୍ଦ୍ରିୟ ଲାଳସା  କାମନାର ଆଶା,
      ବାନ୍ଧେ ଯେବେ ବସା  ଭୋଗଇ ଦୁର୍ଦ୍ଦଶା।
ଆଳସ୍ୟେ ଇନ୍ଦ୍ରିୟ  ହୁଅଇ ଆମୟ,
              ରହି ସେ ନିର୍ଦ୍ଦୟ  ହୁଅଇ ଅଥୟ।
ହୋଇ ଅସଂଯତ  ହୁଏ ସେ ପତିତ,
              ପାଇଣ ଆଘାତ  ହୁଅଇ ଲାଞ୍ଛିତ।
ମନ କଥା ମାନି  ହେଲେ ସ୍ଵାଭିମାନୀ,
       ହୁଏ ଜ୍ଞାନୀ ଗୁଣୀ  କହେ ସତ୍ୟ ବାଣୀ।
ଇନ୍ଦ୍ରିୟର ଇଚ୍ଛା  ହେଲେ ହୀନ ତୁଚ୍ଛା,
        ରହେନା ସେ ସଚ୍ଚା  ହୁଏନା ତ ଆଚ୍ଛା।
କଲେ ଯୋଗାଭ୍ୟାସ  ରିପୁ ହୁଏ ନାଶ,
                ବଢ଼ଇ ସାହସ  ମନ ହୁଏ ବଶ।
ଯୋଗ ପ୍ରାଣାୟାମ  ତପେ ପ୍ରଭୁ ନାମ,  
           ନେଇ କଲେ ଶ୍ରମ  ଦୂର ହୁଏ ଭ୍ରମ।
ଇନ୍ଦ୍ରି ହେଲେ ଶାନ୍ତ  ଶରୀର ଅକ୍ଳାନ୍ତ
            ରୁହଇ ନିଃଚିନ୍ତ  ଶୋକ ହୁଏ ଅନ୍ତ। 
ଆତ୍ମାର ସଂସ୍କାର  ବିବେକ ବିଚାର, 
             କଲେ ନିରନ୍ତର  ମନ ରହେ ସ୍ଥିର।
ଲୋଭ ମୋହ ଏଡ଼ି  ନ୍ୟାୟେ ପଥ ମାଡ଼ି,
       ସୁସଂପର୍କ ଯୋଡ଼ି  ରଖେ ସେ ସଜାଡ଼ି।
ଇନ୍ଦ୍ରିୟର ବଶ  ହେଲେ ସର୍ବନାଶ,
            ହଜି ଯାଏ ହସ  ହୁଏ ହେ ହତାଶ।
ଉଚିତରେ ମନ   ପ୍ରକାଶିଲେ ଜ୍ଞାନ,
               ଆସଇ ସୁଦିନ  ମିଳିଥାଏ ମାନ।
ମନ ଆତ୍ମା ମିଶି   ପ୍ରତିଭା ବିକାଶି,
             କରିଥାନ୍ତି ଖୁସି  ଦୁଃଖ କଷ୍ଟ ନାଶି।
ଏ ମନର ମୂଳେ  ସଂସାର ଯେ ଚଳେ,
        ଧର୍ମେ ପୁଣ୍ୟ ବଳେ  ରୁହଇ ମଙ୍ଗଳେ।
ଇନ୍ଦ୍ରିୟ ଶୃଙ୍ଖଳା  ଜୀବନର ଖେଳା,
         କଲେ ଅବହେଳା  ବଢ଼ି ଯାଏ ଜ୍ଵାଳା।
ଇନ୍ଦ୍ରିୟ ଆଶକ୍ତି  ଦିଏ ନାହିଁ ମୁକ୍ତି,
           ନାଶ ହୁଏ ଶକ୍ତି  ଆସେ ନାହିଁ ଭକ୍ତି।
ବଢ଼ି ଗଲେ ପାପ  ପଡ଼େ ଅଭିଶାପ,
         କରି ମନସ୍ତାପ ଭୋଗେ ସେ ତ୍ରିତାପ।
ଇନ୍ଦ୍ରିୟର ବଶ  ହେଲେ ସର୍ବନାଶ,
         ଚିନ୍ତି କଲେ ବାସ ମିଳେ ଖ୍ୟାତି ଯଶ।
ସୁକର୍ମେ ମଣିଷ   ରଖିଲେ ବିଶ୍ବାସ,
          ମୁଖେ ଫୁଟେ ହସ ହୁଅଇ ସନ୍ତୋଷ।
ପ୍ରଭୁ ପାଦେ ଲୟ  ଥାଏ ଯା’ ହୃଦୟ,
                 ରହି ନିରାମୟ ହୁଅଇ ବିଜୟ।

ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
ନବସୃଜନ ଇ-ପତ୍ରିକା,      
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *