ଇନ୍ଦିରାବଜାର କନ୍ତିମଳା ରାସ୍ତା କାର୍ଯ୍ୟ ନିମ୍ନମାନର ଅଭିଯୋଗ
କୋଣାର୍କ – କୋଣାର୍କ ଥାନା ଅନ୍ତର୍ଗତ ଅବଦାନ ପଞ୍ଚାୟତ ଇନ୍ଦିରାବଜାର ଠାରୁ କନ୍ତିମଳା ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ସ୍ଥାନୀୟ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ୩.୩ କିମି ବିଶିଷ୍ଟ ଦୀର୍ଘ ରାସ୍ତା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ କାକଟପୁର ଉପଖଣ୍ଡ ପକ୍ଷରୁ ଏହି ରାସ୍ତା କାର୍ଯ୍ୟ ପାଇଁ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଲଗାଯାଇଥିବା ଫଳକ ତଥା ଆବଶ୍ୟକ ଏଷ୍ଟିମେଟ ଅନୁଯାୟୀ ନିର୍ମାଣ କାର୍ଯ୍ୟ ହେଉ ନଥିବା ନେଇ ଅଭିଯୋଗ କରିଛନ୍ତି ଗ୍ରାମବାସୀ। କାର୍ଯ୍ଯ ସ୍ଥଳରେ ଯନ୍ତ୍ରୀ କି ଏସଡିଓ ରହି ନଥିବାରୁ ରାତିରେ କାମ କରି କମ୍ ଭାଗମାପ ଓ କମ୍ ଉଚ୍ଚତାର ମ୍ୟାଟେରିଆଲ ବ୍ୟବହାର କରୁଛନ୍ତି ଠିକାଦାର।

ଯାହା ଫଳରେ ରାସ୍ତାର ସ୍ଥାୟୀତ୍ବ ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। କନିଷ୍ଠ ଯନ୍ତ୍ରୀ, ସହାୟକ ଯନ୍ତ୍ରୀ ଓ ଠିକାଦାର ପ୍ରିୟା ପ୍ରୀତିରେ ଚାଲିଛି ରାତାରାତି ନିମ୍ନମାନର କାର୍ଯ୍ୟ। ଆବଶ୍ୟକ ଏଷ୍ଟିମେଟ୍ ଅନୁଯାୟୀ କାର୍ଯ୍ୟ ନହେଲେ ରାସ୍ତା କାର୍ଯ୍ୟ ବନ୍ଦ୍ କରିବାକୁ ଧମକ ଦେଇଛନ୍ତି ଗ୍ରାମବାସୀ। ଏନେଇ ପୁର୍ବତନ ସରପଞ୍ଚ ବିଚିତ୍ରାନନ୍ଦ ଦାଶଙ୍କ ସହ ଗ୍ରାମବାସୀ ମାନେ ଦୃଢ଼ ନିନ୍ଦା କରିବା ସହ ଆଗାମୀ ଦିନରେ ରାସ୍ତାରୋକ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି। ଏନେଇ ବିଭାଗୀୟ ନିମାପଡ଼ା ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ପଚାରିବାରେ ସେ ଏହାର ତଦାରଖ କରିବେ ବୋଲି ସୂଚନା ଦେଇଛନ୍ତି।
