ସାଇବର ଅପରାଧ ୭ ଟି ବେନାମୀ ବ୍ୟାଙ୍କ ଖାତା ଚାଲୁଥିବା ବ୍ୟାଙ୍କ ଆକାଉଣ୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ
ପୁରୀ ପୋଲିସ ସାଇବର ପୋଲିସ ଦ୍ୱାରା ଅନଲାଇନ ଆର୍ଥିକ ଠକେଇ ସମ୍ବନ୍ଧୀୟ ମାମଲାରେ ବ୍ୟବହୃତ ହେଉଥିବା ବେନାମୀ ବ୍ୟାଙ୍କ ଆକାଉଣ୍ଟ ବିରୋଧରେ ବିଶେଷ ଅଭିଯାନକୁ ତୀବ୍ର କରାଯାଇଛି। ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ “ସଇବାର କବଚ” ବିଶେଷ ଅପରେସନ୍ ଚାଲୁଥିବା ବେଳେ ସାଇବର ଆଧାରିତ ଆର୍ଥିକ ଅପରାଧ ନିୟନ୍ତ୍ରଣ ପାଇଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ବିଶେଷ ଅଭିଯାନ ସମୟରେ ସାଇବର ଠକେଇ ଓ ଅବୈଧ ବ୍ୟାଙ୍କ ଲେନଦେନ ସମ୍ବନ୍ଧୀୟ ମୋଟ ୦୭ଟି ମାମଲା ରୁଜୁ କରାଯାଇଛି। ବେନାମୀ ବ୍ୟାଙ୍କ ଖାତା ଆକାଉଣ୍ଟ ପରିଚାଳନା ଓ ଠକେଇ ଲେନଦେନରେ ଜଡିତ ୦୭ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରାଯାଇ ମାନ୍ୟବର ଅଦାଲତରେ ପ୍ରେରଣ କରାଯାଇଛି। ତଦନ୍ତ କାଳୀନ ଯାଞ୍ଚରୁ ପ୍ରକାଶ ପାଇଛି ଯେ ପ୍ରାୟ ଟଙ୍କା ୫୫,୦୦,୦୦୦/- ଏହି ଠକେଇ ଲେନଦେନ ସହିତ ସଂପୃକ୍ତ ରହିଛି। ଏହି ସମସ୍ତ ଲେନଦେନ ଜାତୀୟ ସାଇବର ଅପରାଧ ରିପୋର୍ଟିଂ ପୋର୍ଟାଲରେ ରଜିଷ୍ଟର ହୋଇଥିବା ବିଭିନ୍ନ ଅଭିଯୋଗ ସହିତ ସମ୍ବନ୍ଧିତ ଥିବା ଯାଞ୍ଚରେ ସ୍ପଷ୍ଟ ହୋଇଛି। ତଦନ୍ତରୁ ଆହୁରି ଜଣାପଡିଛି ଯେ ସାଇବର ଅପରାଧୀମାନେ ଅନଲାଇନ ନିବେଶ ଠକେଇ, ଡିଜିଟାଲ ଗିରଫ ଠକେଇ, ପରିଚୟ ଚୋରି ଓ ଅନ୍ୟାନ୍ୟ ଆର୍ଥିକ ମାମଲାରେ ବେନାମୀ ବ୍ୟାଙ୍କ ଖାତା ଆକାଉଣ୍ଟ ବ୍ୟବହାର କରି ଅପରାଧର ଟଙ୍କା ପଂହଁଚେଇବା ଓ ଉଠାଇବା କାମ କରୁଥିଲେ। ଏହି ପରିପ୍ରେକ୍ଷୀରେ ପୁରୀ ପୋଲିସ ଦ୍ୱାରା କଠୋର ପଦକ୍ଷେପ ଗ୍ରହଣ କରାଯାଇଛି।• ଅଭିଯୁକ୍ତମାନଙ୍କ ବିରୋଧରେ ଆଇନସମ୍ମତ ମାମଲା ରୁଜୁ କରି ଆଗାମୀ ଆଇନୁନ୍ମୁଖୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।• ସନ୍ଦେହଜନକ ବ୍ୟାଙ୍କ ଆକାଉଣ୍ଟଗୁଡିକୁ ଆଇନ ଅନୁଯାୟୀ ଫ୍ରିଜ୍ କରାଯାଇଛି।• ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାଗୁଡିକୁ KYC ଯାଞ୍ଚ ବ୍ୟବସ୍ଥାକୁ ଅଧିକ ସକ୍ତ କରିବା ପାଇଁ ସତର୍କ କରାଯାଇଛି।• ସନ୍ଦେହଜନକ ଡିଜିଟାଲ ଲେନଦେନ ଉପରେ ନିରନ୍ତର ନଜରଦାରି ବୃଦ୍ଧି କରାଯାଇଛି।ପୋଲିସ ପକ୍ଷରୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଉଛି ଯେ କେହି ମଧ୍ୟ ନିଜର ବ୍ୟାଙ୍କ ଆକାଉଣ୍ଟ ବିବରଣୀ, ATM କାର୍ଡ, OTP, PIN ଇତ୍ୟାଦି କାହା ସହିତ ସେୟାର କରନ୍ତୁ ନାହିଁ। କମିଶନ୍ କିମ୍ବା ଲାଭର ଲୋଭରେ ଅନ୍ୟ କାହାକୁ ନିଜ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରିବାକୁ ଦେବା ଏକ ଦଣ୍ଡନୀୟ ଅପରାଧ ଓ ଏହା ପାଇଁ କଠୋର ଆଇନୁନ୍ମୁଖୀ କାର୍ଯ୍ୟାନୁଷ୍ଠାନ ହୋଇପାରେ।କୌଣସି ପ୍ରକାର ସାଇବର ଠକେଇର ସମ୍ମୁଖୀନ ହେଲେ ତତ୍କ୍ଷଣାତ୍ ଜାତୀୟ ସାଇବର ହେଲ୍ପଲାଇନ୍ ୧୯୩୦ ନମ୍ବରରେ ଫୋନ୍ କରନ୍ତୁ କିମ୍ବା 82804 91300 ରେ କଲ କରି ଅଭିଯୋଗ ରଜିଷ୍ଟର କରନ୍ତୁ। ପୁରୀ ପୋଲିସ ସାଇବର ଅପରାଧ ବିରୋଧରେ କଠୋର ଅଭିଯାନ ଜାରି ରଖିଛି ଏବଂ ସାଧାରଣ ଲୋକଙ୍କ ଆର୍ଥିକ ସୁରକ୍ଷା ପାଇଁ ପ୍ରତିବଦ୍ଧ।
