ସେବା ସଂକଳ୍ପ ପ୍ରସ୍ତାବଭାରତର ବିକାଶ ଯାତ୍ରାରେ ଏକ ନୂଆ ଆରମ୍ଭ‘ସେବା ତୀର୍ଥ’ରେ ପ୍ରଥମ କ୍ୟାବିନେଟ୍‌ ବୈଠକ

ସେବା ସଂକଳ୍ପ ପ୍ରସ୍ତାବଭାରତର ବିକାଶ ଯାତ୍ରାରେ ଏକ ନୂଆ ଆରମ୍ଭ‘ସେବା ତୀର୍ଥ’ରେ ପ୍ରଥମ କ୍ୟାବିନେଟ୍‌ ବୈଠକ l ଆଜି ଯୁଗାବ୍ଦ ୫୧୨୭ବିକ୍ରମ ସମ୍ବତ ୨୦୮୨ଶକ ସମ୍ୱତ ୧୯୪୭ ଫାଲଗୁନ ମାସ, ଶୁକ୍ଳ ପକ୍ଷ….ଅଷ୍ଟମୀ ଦିନ….୨୪ ଫେବୃଆରୀ, ୨୦୨୬ରେ,ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ, କେନ୍ଦ୍ର କ୍ୟାବିନେଟର ଐତିହାସିକ ପ୍ରଥମ ବୈଠକ ପ୍ରଧାନମନ୍ତ୍ରୀଙ୍କ ନୂତନ କାର୍ଯ୍ୟାଳୟ ‘ସେବା ତୀର୍ଥ’ରେ ଆୟୋଜନ କରାଯାଉଛି।ଏହି ବୈଠକ ଏବଂ ଏହି ଭବନ ନୂଆ ଭାରତ ନବନିର୍ମାଣର ଏକ ପ୍ରତ୍ୟକ୍ଷ ଅଭିବ୍ୟକ୍ତି ଅଟେ। ଏହି ଶୁଭାରମ୍ଭ ସହିତ ହିଁ ଆମେ ସେହି ଭବିଷ୍ୟତକୁ ସ୍ୱାଗତ କରୁଅଛୁ, ଯାହାର ନିର୍ମାଣରେ ଶହ ଶହ ବର୍ଷର ପରିଶ୍ରମ ବିନିଯୋଗ ହୋଇଛି। ସ୍ୱାଧୀନତା ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାଉଥ ବ୍ଲକରେ ଅନେକ ଦଶନ୍ଧି ଧରି ସରକାରଗୁଡ଼ିକ ପରମ୍ପରାକୁ ବଜାୟ ରଖି ଭବିଷ୍ୟତର ସ୍ୱପ୍ନ ଦେଖି ଆସିଥିଲେ। ଆମେ ଏପରି ଏକ ଭାରତର ସ୍ୱପ୍ନ ଦେଖିଛୁ, ଯାହାର ଚିନ୍ତାଧାରା ସ୍ୱଦେଶୀ ହୋଇଥିବ, ସ୍ୱରୂପ ଆଧୁନିକ ହୋଇଥିବ ଏବଂ ସାମର୍ଥ୍ୟ ଅନନ୍ତ ହୋଇଥିବ। ଆଜି ଏହି ସେବା ତୀର୍ଥ ସେହି ପରିକଳ୍ପନାର ମୂର୍ତ୍ତିମନ୍ତ ଅବତାର ଯାହା ଗଣତନ୍ତ୍ରର ଜନନୀ ରୂପେ ଭାରତର ଗୌରବ ବୃଦ୍ଧି କରିବ।ଆଜି, ଏହି ଅବସରରେ ଏହି ସ୍ଥାନର ଇତିହାସକୁ ମଧ୍ୟ ସ୍ମରଣ କରାଯାଉଛି। ‘ସେବା ତୀର୍ଥ’ ବ୍ରିଟିଶ ଯୁଗର ସେହି ଅସ୍ଥାୟୀ ବାରାକ ସ୍ଥାନରେ ନିର୍ମିତ ହୋଇଛି, ଯାହା ନିଷ୍କ୍ରିୟତା ଯୋଗୁଁ ସ୍ଥାୟୀ ହୋଇଯାଇଥିଲା। ସେହି ସ୍ଥାନରେ ଜାତୀୟ ଶାସନ ପାଇଁ ଏକ ସକ୍ରିୟ ଅନୁଷ୍ଠାନର ସୃଷ୍ଟି ମଧ୍ୟ ଏକ ନୂତନ ଭାରତ ପୁନରୁଦ୍ଧାରର ପ୍ରତୀକ ।ଦାସତ୍ୱର ସମୟ ପୂର୍ବରୁ, ଭାରତ ଏପରି ଏକ ରାଷ୍ଟ୍ର ରୂପେ ପରିଚିତ ହେଉଥିଲା ଯାହା ଗୋଟିଏ ପଟେ ନିଜର ଭୌତିକ ଭବ୍ୟତା ଏବଂ ଅନ୍ୟପଟେ ନିଜର ମାନବୀୟ ମୂଲ୍ୟବୋଧ ପାଇଁ ସୁଖ୍ୟାତି ହାସଲ କରିଥିଲା। ‘ସେବା ତୀର୍ଥ’ର ପରିକଳ୍ପନା ଏହି ଦୁଇଟି ଆଦର୍ଶର ମିଶ୍ରଣ। କର୍ତ୍ତବ୍ୟ, ସେବା ଏବଂ ସମର୍ପଣର ତ୍ରିବେଣୀ ସଙ୍ଗମ ବଳରେ ଏହି କାର୍ଯ୍ୟସ୍ଥଳ ଏକ ତୀର୍ଥ ଭଳି ପବିତ୍ର ହେଉ, ଏହା ହିଁ ଏହାର ମୂଳଭାବନା।‘ସେବା ତୀର୍ଥ’ରେ ହେଉଥିବା ଏହି ପ୍ରଥମ ବୈଠକ ସହିତ କେନ୍ଦ୍ର ମନ୍ତ୍ରିମଣ୍ଡଳ ଏହି ସଂକଳ୍ପକୁ ମଧ୍ୟ ଦୋହରାଉଛି ଯେ ଏଠାରେ ଗ୍ରହଣ କରାଯାଇଥିବା ପ୍ରତ୍ୟେକ ନିଷ୍ପତ୍ତି ୧୪୦ କୋଟି ଦେଶବାସୀଙ୍କ ପ୍ରତି ସେବା ମନୋଭାବ ଦ୍ୱାରା ଅନୁପ୍ରାଣିତ ହେବ ଏବଂ ରାଷ୍ଟ୍ର ନିର୍ମାଣର ବ୍ୟାପକ ଲକ୍ଷ୍ୟ ସହ ଜଡ଼ିତ ହୋଇଥିବ।ଆମ ପାଇଁ ସାମ୍ବିଧାନିକ ମୂଲ୍ୟବୋଧ ସେହି ନୈତିକ ପ୍ରତିବଦ୍ଧତାର ଅଭିବ୍ୟକ୍ତି, ଯାହା ପ୍ରଶାସନକୁ ନାଗରିକଙ୍କ ସମ୍ମାନ, ସମାନତା ଏବଂ ନ୍ୟାୟ ସହିତ ଯୋଡ଼ିଥାଏ। ‘ସେବା ତୀର୍ଥ’ର କାର୍ଯ୍ୟ ସଂସ୍କୃତି ଏହି ଭାବନା ଦ୍ୱାରା ପରିଚାଳିତ ହେବ, ଯେଉଁଠି ପ୍ରତ୍ୟେକ ନୀତି ସମ୍ବିଧାନର ମୂଳ ଭାବନା ଅନୁରୂପ ହେବ ଏବଂ ପ୍ରତ୍ୟେକ ନିଷ୍ପତ୍ତି ଦେଶବାସୀଙ୍କ ଆକାଂକ୍ଷା ପ୍ରତି ଉତ୍ତରଦାୟୀ ରହିବ ।କେନ୍ଦ୍ର ମନ୍ତ୍ରିମଣ୍ଡଳ ଏହି ସଂକଳ୍ପକୁ ଦୋହରାଉଛି ଯେ ଏହି ପରିସରରେ ଗ୍ରହଣ କରାଯାଇଥିବା ପ୍ରତ୍ୟେକ ନିଷ୍ପତ୍ତି ‘ନାଗରିକ ଦେବୋ ଭବ’ର ଭାବନା ଦ୍ୱାରା ଅନୁପ୍ରାଣିତ ହେବ। ଏହି ସ୍ଥାନ କ୍ଷମତା ପ୍ରଦର୍ଶନର ନୁହେଁ, ବରଂ ପ୍ରତ୍ୟେକ ଭାରତବାସୀଙ୍କ ସଶକ୍ତିକରଣର କେନ୍ଦ୍ର ପାଲଟିବ। ‘ସେବା ତୀର୍ଥ’ରୁ ପରିଚାଳିତ ହେଉଥିବା ପ୍ରତ୍ୟେକ ପ୍ରୟାସ ଦେଶର ଅନ୍ତିମ ବ୍ୟକ୍ତିର ଜୀବନକୁ ସରଳ କରିବାର ଭାବନା ସହ ଜଡ଼ିତ ରହିବ। ଆମେ ଏହା ଦୋହରାଉଛୁ ଯେ, ଆମେ ଆମ ଲକ୍ଷ୍ୟ ଅନୁସାରେ ସେହି ପ୍ରଶାସନିକ ମଡେଲକୁ ଆହୁରି ମଜବୁତ କରିବୁ, ଯାହା ପାରଦର୍ଶୀ, ଉତ୍ତରଦାୟୀ ଏବଂ ନାଗରିକଙ୍କ ସମ୍ବେଦନଶୀଳତା ପ୍ରତି ସଜାଗ ହୋଇଥିବ ।‘ସେବା ତୀର୍ଥ’ ସେହି ପ୍ରଶାସନିକ ଭିତ୍ତିଭୂମି ଆବଶ୍ୟକତାର ଉତ୍ତର, ଯାହା ସ୍ଥାଣୁତା ପରିବର୍ତ୍ତେ ଗତିଶୀଳତାକୁ, ଉଦାସୀନତା ପରିବର୍ତ୍ତେ ନିଷ୍ଠାକୁ ଏବଂ ସନ୍ଦେହ ପରିବର୍ତ୍ତେ ସମାଧାନକୁ ପ୍ରୋତ୍ସାହିତ କରେ।ଏହି ଚିନ୍ତାଧାରାକୁ ନେଇ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଗତ କିଛି ବର୍ଷ ମଧ୍ୟରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ପ୍ରଶାସନର ଉଦ୍ଦେଶ୍ୟକୁ ନୂତନ ସ୍ପଷ୍ଟତା ପ୍ରଦାନ କରିଛି। କୋଟି କୋଟି ନାଗରିକଙ୍କ ଜୀବନରେ ଆସିଥିବା ପରିବର୍ତ୍ତନ ପ୍ରଶାସନ ପ୍ରତି ଜନତାଙ୍କର ବିଶ୍ୱାସକୁ ମଜବୁତ କରିଛି ।ବିଗତ ଏକ ଦଶନ୍ଧି ମଧ୍ୟରେ ୨୫ କୋଟିରୁ ଅଧିକ ନାଗରିକଙ୍କୁ ଦାରିଦ୍ର୍ୟ କବଳରୁ ମୁକ୍ତ କରି ଦେଶ ଅସମ୍ଭବ ଲାଗୁଥିବା କାମକୁ ସମ୍ଭବ କରି ଦେଖାଇଛି। ଏପରି ଅନେକ କୀର୍ତ୍ତିମାନ ପଛରେ ସରକାରଙ୍କ ଦୂରଦୃଷ୍ଟିପୂର୍ଣ୍ଣ ଚିନ୍ତାଧାରା, ବ୍ୟାପକ ଲକ୍ଷ୍ୟ ଏବଂ କଠିନ ପରିଶ୍ରମ ରହିଛି। ଆୟୁଷ୍ମାନ ଭାରତ ମାଧ୍ୟମରେ କୋଟି କୋଟି ଲୋକଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ସହ ଯୋଡ଼ିବାର ଗୌରବ ଦେଶ ହାସଲ କରିପାରିଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ପ୍ରାୟ ୮୦ କୋଟି ନାଗରିକଙ୍କ ପାଖରେ ଖାଦ୍ୟ ସୁରକ୍ଷା ପହଞ୍ଚାଇ କ୍ଷୁଧା ଭଳି ଅଭିଶାପକୁ ସମାପ୍ତ କରାଯାଇପାରିଛି। ସ୍ୱଚ୍ଛ ଭାରତ ମିଶନ ଅଧୀନରେ ୧୨ କୋଟିରୁ ଅଧିକ ଶୌଚାଳୟ ନିର୍ମାଣ ଫଳରେ କୋଟି କୋଟି ପରିବାର ଓ ମହିଳାମାନଙ୍କୁ ସମ୍ମାନପୂର୍ଣ୍ଣ ଜୀବନ ମିଳିପାରିଛି। ଏସବୁ ତଥ୍ୟ ପ୍ରଶାସନର ସେହି ଦିଗକୁ ସଙ୍କେତ ଦେଇଥାଏ ଯେଉଁଠି ନୀତିର ଅନ୍ତିମ ଉଦ୍ଦେଶ୍ୟ ହେଉଛି ନାଗରିକଙ୍କ ଜୀବନକୁ ସରଳ କରିବା।ସେହିପରି ୪ କୋଟିରୁ ଅଧିକ ଗୃହ ନିର୍ମାଣ ଫଳରେ ଶତାଧିକ ପରିବାରକୁ ଆଶ୍ରୟ ଏବଂ ସୁରକ୍ଷା ମିଳିପାରିଛି। ଗ୍ରାମାଞ୍ଚଳରେ ଜଳ ଜୀବନ ମିଶନ ମାଧ୍ୟମରେ ପାଖାପାଖି ୧୨ କୋଟି ନୂଆ ପରିବାର ପାଖରେ ପିଇବା ପାଣି ପହଞ୍ଚି ପାରିଛି।କେନ୍ଦ୍ର ମନ୍ତ୍ରିମଣ୍ଡଳ ଭାରତର ଅର୍ଥବ୍ୟବସ୍ଥାରେ ଆସିଥିବା ବ୍ୟାପକ ପରିବର୍ତ୍ତନକୁ ଏକ ନିରନ୍ତର ସଂସ୍କାର ଯାତ୍ରା ରୂପେ ଦେଖିଥାଏ। ‘ସର୍ବନିମ୍ନ ସରକାର, ସର୍ବାଧିକ ପ୍ରଶାସନ’ର ମନ୍ତ୍ରକୁ ନେଇ ଜିଏସଟି, ଡିବିଟି ଏବଂ ଡିଜିଟାଲ ଇଣ୍ଡିଆ ଭଳି ସଂସ୍କାର ପ୍ରଶାସନକୁ ଅଧିକ ପାରଦର୍ଶୀ, ଅଧିକ ସକ୍ଷମ ଏବଂ ଅଧିକ ନାଗରିକ କୈନ୍ଦ୍ରିକ କରିପାରିଛି। ଟିକସ ବ୍ୟାପାରରେ ଫେସଲେସ୍‌ ଯାଞ୍ଚ ପ୍ରକ୍ରିୟା ଦ୍ୱାରା ସଚ୍ଚୋଟତାକୁ ପ୍ରୋତ୍ସାହନ ମିଳିଛି, ଆହୁରି ସାଧାରଣ ନାଗରିକଙ୍କ ଭରସା ମଜବୁତ ହୋଇଛି। ଏସବୁ ପ୍ରୟାସର ଫଳସ୍ୱରୂପ ଭାରତ ଆଜି ବିଶ୍ୱର ଅଗ୍ରଣୀ ଅର୍ଥବ୍ୟବସ୍ଥା ମଧ୍ୟରେ ନିଜର ସ୍ଥାନ ପକ୍କା କରିପାରିଛି।ମନ୍ତ୍ରିମଣ୍ଡଳ ଏହି ଦୃଢ଼ ସଂକଳ୍ପ ନେଉଛି ଯେ ‘ସେବା ତୀର୍ଥ’ର ନୂତନ ଶକ୍ତି ଏବଂ ‘ସଂସ୍କାର ଏକ୍ସପ୍ରେସ୍‌’ର ତୀବ୍ର ଗତି ବଳରେ, ଆମେ ନିକଟ ଭବିଷ୍ୟତରେ ବିଶ୍ୱର ଶୀର୍ଷ ତିନୋଟି ଅର୍ଥବ୍ୟବସ୍ଥା ମଧ୍ୟରେ ଭାରତର ସ୍ଥାନ ସୁନିଶ୍ଚିତ କରିବାର ସଂକଳ୍ପକୁ ପୂରଣ କରିବୁ।ଆଜି କେନ୍ଦ୍ର ମନ୍ତ୍ରିମଣ୍ଡଳ ନିଜକୁ ‘ବିକଶିତ ଭାରତ ୨୦୪୭’ର ରାଷ୍ଟ୍ରୀୟ ସଂକଳ୍ପ ପ୍ରତି ପୁନର୍ବାର ସମର୍ପିତ କରୁଛି। ଏହା ଏକ ଦୀର୍ଘକାଳୀନ ରାଷ୍ଟ୍ରୀୟ ଯାତ୍ରା, ଯେଉଁଥିରେ ଆଜି ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଆଗାମୀ ପିଢ଼ିର ଭବିଷ୍ୟତ ନିର୍ଦ୍ଧାରଣ କରିବ। ‘ସେବା ତୀର୍ଥ’ରେ ହେଉଥିବା ପ୍ରଥମ ବୈଠକ ଆମକୁ ଏହା ସ୍ମରଣ କରାଇ ଦେଇଥାଏ ଯେ ବିକାଶର ଲକ୍ଷ୍ୟ ଯେତେ ବଡ଼, ସେଥିପ୍ରତି ଆମର ଉତ୍ତରଦାୟିତ୍ୱ ସେତିକି ଗଭୀର ହେବା ଉଚିତ୍।ଏହି ପରିସର କେବଳ ଏକ ଆଧୁନିକ କାର୍ଯ୍ୟସ୍ଥଳୀ ନୁହେଁ। ଏହା ଶାସନର ନୂତନ କାର୍ଯ୍ୟ ସଂସ୍କୃତିର ପ୍ରତୀକ ମଧ୍ୟ। ଏଠାକାର ଆଧୁନିକ ଜ୍ଞାନକୌଶଳ ଏବଂ ଦକ୍ଷ କାର୍ଯ୍ୟପ୍ରଣାଳୀ ମାଧ୍ୟମରେ ସରକାରଙ୍କ କାର୍ଯ୍ୟଦକ୍ଷତା ନୂତନ ଶିଖରରେ ପହଞ୍ଚିବ। ଏଠାରୁ ପରିଚାଳିତ ହେଉଥିବା ପ୍ରତ୍ୟେକ ଫାଇଲ, ଏବଂ ଏଠାରେ କାମ କରୁଥିବା ପ୍ରତ୍ୟେକ କର୍ମଯୋଗୀ, ଏହି ଭାବନା ଦ୍ୱାରା ଅନୁପ୍ରାଣିତ ହେବେ ଯେ ତାଙ୍କର କାମ ପ୍ରତ୍ଯେକ ବ୍ୟକ୍ତିର ଜୀବନକୁ ସରଳ କରିବା ସହ ଜଡ଼ିତ। କେନ୍ଦ୍ର ମନ୍ତ୍ରିମଣ୍ଡଳ ଏହି ସଂକଳ୍ପ ନେଉଛି ଯେ ଏହା ସମ୍ବଳର ବିବେକପୂର୍ଣ୍ଣ ଉପଯୋଗକୁ ପ୍ରୋତ୍ସାହିତ କରିବ ଏବଂ ସଂସ୍କାର ପାଇଁ ସେହି ନିରନ୍ତର ଯାତ୍ରାକୁ ଗତି ଦେବ ଯାହାକୁ ଗତ କିଛି ବର୍ଷ ହେବ ଦେଶ ଅନୁଭବ କରିଛି ।ଏହି ପ୍ରଥମ ବୈଠକ ଏହି ବିଚାରକୁ ଆହୁରି ସୁଦୃଢ଼ କରୁଛି ଯେ ଭାରତ ଆଜି ପରିବର୍ତ୍ତନର ସେହି ମୋଡ଼ରେ ଛିଡ଼ା ହୋଇଛି, ଯେଉଁଠି ନୀତି, ଉଦ୍ଦେଶ୍ୟ ଏବଂ ନେତୃତ୍ୱ ବିକଶିତ ଭାରତକୁ ମାର୍ଗ ଦେଖାଇବା ଦିଗରେ ଅଗ୍ରସର ହେଉଛି । ‘ସେବା ତୀର୍ଥ’ରୁ ପରିଚାଳିତ ଏହି ନୂଆ କାର୍ଯ୍ୟ-ସଂସ୍କୃତି ଭାରତକୁ ଏକ ସମର୍ଥ, ସଶକ୍ତ ଏବଂ ଆତ୍ମନିର୍ଭର ରାଷ୍ଟ୍ର ରୂପେ ଆଗକୁ ବଢ଼ାଇବାର ଆଧାର ପାଲଟିବ।କେନ୍ଦ୍ର ମନ୍ତ୍ରିମଣ୍ଡଳ, ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ‘ସେବା ତୀର୍ଥ’କୁ ସମ୍ବେଦନଶୀଳ, ଉତ୍ତରଦାୟୀ ଏବଂ ନାଗରିକ କୈନ୍ଦ୍ରିକ ଶାସନର ଏକ ବିଶ୍ୱସ୍ତରୀୟ ଉଦାହରଣରେ ପରିଣତ କରିବା ଲାଗି ନିଜର ପ୍ରତିବଦ୍ଧତାକୁ ଦୋହରାଉଛି। ମନ୍ତ୍ରିମଣ୍ଡଳ ଏହି ସଂକଳ୍ପ ନେଉଛି ଯେ ୨୦୪୭ ସୁଦ୍ଧା ଭାରତକୁ ଏକ ସମୃଦ୍ଧ, ସମର୍ଥ ଏବଂ ଆତ୍ମନିର୍ଭର ରାଷ୍ଟ୍ରରେ ପରିଣତ କରିବାର ଯାତ୍ରାରେ ଏହି ପରିସର ରାଷ୍ଟ୍ରୀୟ ଆକାଂକ୍ଷାର ସଶକ୍ତ କେନ୍ଦ୍ର ପାଲଟିବ ।

Leave a Reply

Your email address will not be published. Required fields are marked *