ହେ କୃଷ୍ଣ
ଡ. ପ୍ରେମାନନ୍ଦ ବେହେରା

ହେ କୃଷ୍ଣ !
ନୀଳାଚଳର ନୀଳ ମେଘମାଳାରେ
ତୁମ ମୁହଁର ଶ୍ୟାମ ଛାୟା ଦେଖିଲେ
ମୋ ହୃଦୟ, ବଂଶୀର ସୁରେ ଭରିଯାଏ ।।

ହେ ବ୍ରଜେଶ୍ୱର !
ତୁମ ମଧୁର ମୁରଲୀର ସ୍ୱର
ଜଗତର ଜଡତାକୁ ଭାଙ୍ଗି
ପ୍ରେମର ନୂଆ ପ୍ରଭାତ ଆଣେ ।।

ଯମୁନା ତଟର ଶୀତଳ ପବନେ
ତୁମ ଚରଣ ଧୂଳିର ସୁଗନ୍ଧ
ଗୋପୀମାନଙ୍କ ଅନୁରାଗରେ
ଅବିରତ ଜାଳିଥାଏ ଭକ୍ତିର ଦୀପ ।।

ହେ ମାଧବ !
ତୁମ ଚକ୍ଷୁ ଦୁଇଟି
ଅନନ୍ତ ଆକାଶର ଗଭୀରତା
ଯେଉଁଠାରେ ମୋର ସମସ୍ତ କୋହ
ଉଲକା ଭଳି ଖସି ଜଳିଯାଏ  ।।

କୁରୁକ୍ଷେତ୍ରର ଧୂଳିରେ
ଧର୍ମର ଦିଗଦର୍ଶକ ହୋଇ
ଅର୍ଜୁନଙ୍କୁ ଦେଲ ଗୀତାର ଜ୍ଞାନ
ସେଇ ଅମୃତ ବାଣୀ
ଆଜି ମଧ୍ୟ ମୋ ମନକୁ ପଥ ଦେଖାଏ ।।

ବୃନ୍ଦାବନର ରାସରେ
ତୁମ ପାଦଚାରଣର ଛନ୍ଦ
ପୃଥିବୀକୁ କରିଥାଏ ପବିତ୍ର
ପ୍ରେମକୁ ଦେଇଥାଏ ଅନନ୍ତ ଅର୍ଥ ।।

ହେ ଦ୍ୱାରକାଧୀଶ !
ଜୀବନର ଯୁଦ୍ଧରେ
ମୁଁ ଯେତେବେଳେ କ୍ଲାନ୍ତ ହୋଇପଡେ
ତୁମ ସ୍ମିତ ମୁଖ ହିଁ
ମୋ ପାଇଁ ଶାନ୍ତିର ସ୍ନିଗ୍ଧ ଛାୟା ।।

ମୋ ହୃଦୟ ମନ୍ଦିରରେ
ନିତି ଜଳୁଥାଏ ତୁମ ନାମର ଦୀପ
ଶ୍ୟାମ, ଘନଶ୍ୟାମ, ମୁରାରୀ
ତୁମ ନାମରେ ମୋ ଜୀବନର ସତ୍ୟତା ।।

ହେ କୃଷ୍ଣ  !
ତୁମେ ନୁହଁ କେବଳ ଏକ ଦେବତା
ତୁମେ ମୋର ଆଶ୍ରୟ
ମୋର ଶାଶ୍ୱତ ପ୍ରେମ ।।

ତୁମ ବିନା ଏ ଜୀବନ
ନିର୍ଜନ ତଟର ଶୂନ୍ୟତା
ତୁମ ସ୍ମରଣରେ ହିଁ
ମୋ ଅସ୍ତିତ୍ୱର ସମ୍ପୂର୍ଣ୍ଣତା ।।

ହେ କୃଷ୍ଣ !
ମୋ ଅନ୍ତରାତ୍ମାରେ
ନିତି ମୁରଲୀ ବଜାଅ
ଭକ୍ତିର ସୁରେ, ପ୍ରେମର ବନ୍ଧନରେ
ମୋତେ ତୁମେ ବାନ୍ଧିଦିଅ……. ।।

ପଦ୍ମପୁର, ବରଗଡ଼

Leave a Reply

Your email address will not be published. Required fields are marked *