ଆଇନ ପ୍ରତି ସଚେତନ ରୁହ, ସମ୍ମାନ ଦିଅ
ରାଜ୍ୟ ମହିଳା ଆୟୋଗ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ
‘ଆଇନ ପ୍ରତି ସଚେତନ ରୁହ, ସମ୍ମାନ ଦିଅ’
କାକଟପୁର, : ଏକ ଶୃଙ୍ଖଳିତ ସମାଜ ଗଠନ ପାଇଁ ଦେଶରେ ବହୁବିଧ ଆଇନ ପ୍ରଣୟନ କରାଯାଇଛି। ବିଶେଷକରି ମହିଳାମାନଙ୍କୁ ଘରୋଇ ହିଂସା, ଯୌନ ଶୋଷଣ, ଯୌତୁକ ନିର୍ଯାତନା ଏବଂ ବାଲ୍ୟବିବାହକୁ ବନ୍ଦ କରିବା ପାଇଁ ଦେଶରେ ଆଇନ ରହିଛି | ପ୍ରତ୍ୟେକ ମହିଳାମାନେ ଆଇନ୍ ସଂପର୍କରେ ଜାଣିବା ସହିତ ଏଥିପ୍ରତି ସଚେତନ ଏବଂ ସମ୍ମାନ ଦେଲେ, ସମାଜରେ ବିକାଶ ତ୍ବରାନ୍ବିତ ହେବ ବୋଲି ଆଜି କାକଟପୁର ସ୍ଥିତ ବିଭୁତିପୁର ରଥ କନଭେନସନ୍ଧାରେ ଆୟୋଜିତ ବ୍ଲକ୍ସ୍ତରୀୟ ଆଇନ୍ ସଚେତନତା କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଛି I ଓଡ଼ିଶା ରାଜ୍ୟ ମହିଳା ଆୟୋଗ ପକ୍ଷରୁ ଏବଂ ପୁରୀ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ସହଯୋଗରେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ଆଇନ ସଚେତନତା କାର୍ଯ୍ୟକ୍ରମକୁ ରାଜ୍ୟ ମହିଳା କମିସନ ସଦସ୍ୟା ଉର୍ମିଳା ମହାପାତ୍ର ଉଦ୍ଘାଟନ କରିଥିଲେ ।

ମା’ମାନଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧକୁ ରୋକିବାକୁ ହେଲେ, ସେମାନେ ଆଦୌ ନୀରବ ନରହି ପ୍ରଥମେ ରାଜ୍ୟ ମହିଳା କମିସନ୍ଙ୍କ ନଜରକୁ ଆଣିବାକୁ ସେ ଉପସ୍ଥିତ ଶତାଧିକ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ | କାକଟପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକ, ମଣ୍ଡଳ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ୍, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଦୀପ୍ତ କୁମାର ସେନାପତି, ପ୍ରୋଟେକ୍ସନ୍ ଅଫିସର ସୁହାଗୀ ହେମ୍ବ୍ରମ୍, କାକଟପୁର ସିଡିପିଓ ପିୟୁସିମୟୀ ପଣ୍ଡା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମହିଳାମାନଙ୍କ ସୁରକ୍ଷା ନିମନ୍ତେ ରହିଥିବା ବିଭିନ୍ନ ଆଇନ ସଂପର୍କରେ ସଚେତନ କରାଇଥିଲେ | ଆଡ୍ଭୋକେଟ୍ ସନ୍ତୋଷ କୁମାର ସାହୁ ଏବଂ ମୋହନ ସୁନ୍ଦର ଜେନା ଉପସ୍ଥିତ ମହିଳାମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ ଏବଂ ନିକଟସ୍ଥ କଲେଜର ଛାତ୍ରୀମାନେ ଅଂଶଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ |
