ଜୟଦେବ ଵାଟିକାର ପୁନରୁଦ୍ଧାର ଦାବି କଲେ କୋଣାର୍କଵାସୀ
କୋଣାର୍କ, ୨୬/୩ ଅର୍କକ୍ଷେତ୍ର କୋଣାର୍କର ପବିତ୍ର ଚନ୍ଦ୍ରଭାଗା ତୀର୍ଥ ସଂଲଗ୍ନ ଜୟଦେବ ଵାଟିକାକୁ ଦୀର୍ଘକାଳ ଧରି ଅବହେଳିତ କରି ରଖିବା ପରେ ବେଳାଭୂମି ବିକାଶ ଯୋଜନା ଆଳରେ ଵାଟିକାର ଅସ୍ତିତ୍ବ ଲୋପ ପାଇଁ ପ୍ରଶାସନିକ ଅଧିକାରୀମାନେ ଷଡ଼ଯନ୍ତ୍ର ଜାରି ରଖିଥିବା ଅଭିଯୋଗ ହୋଇଛି। ଚନ୍ଦ୍ରଭାଗା ବେଳାଭୂମି ଓ ତୀର୍ଥ ସଂଲଗ୍ନ ଵଜାର ଅଞ୍ଚଳରେ ୪୬କୋଟି ଟଙ୍କା ବ୍ୟୟ ବରାଦରେ ଗାଡ଼ି ପାର୍କିଂଗ ସମେତ ପର୍ଯ୍ୟଟକଙ୍କ ନିମନ୍ତେ ଅନ୍ୟାନ୍ୟ ସୁବିଧା ସୁଯୋଗ ନିର୍ମାଣ ହେବ। ତେବେ ଏଥିପାଇଁ ଜୟଦେବ ଵାଟିକାକୁ ଅସ୍ତିତ୍ୱଶୂନ୍ୟ କରାଯାଇ ସେଠାରେ ପାର୍କିଂ ନିର୍ମାଣ ପାଇଁ ଯୋଜନା କରାଯାଇଛି। ଜୟଦେବ ବାଟିକାର ସଂରକ୍ଷଣ ଓ ବିକାଶ ନିମନ୍ତେ ପର୍ଯ୍ୟଟନ ବିଭାଗ ହାତରୁ ଦାୟିତ୍ଵ କଢାଯାଇ ଏକଵର୍ଷ ପୂର୍ବେ କୋଣାର୍କ ଏନ୍ଏସିକୁ ଦାୟିତ୍ଵ ହସ୍ତାନ୍ତର କରାଯାଇଥିଲା । ଏହି ଵାଟିକାର ବିକାଶ ନିମନ୍ତେ କୋଣାର୍କ ଏନ୍ଏସି ପକ୍ଷରୁ ୭୫ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇ ପୁରୀ ଜିଲ୍ଲାପାଳଙ୍କ ଅନୁମୋଦନ ପରେ ସରକାରଙ୍କୁ ପଠାଯାଇଛି । ଜୟଦେବ ଵାଟିକାର ସୁରକ୍ଷା ତଥା ବିକାଶ ଚିନ୍ତାଠାରୁ ଦୂରେଇ ଯାଇ ଜିଲ୍ଲା ପ୍ରଶାସନ ଏହି ଵାଟିକାର ଅସ୍ତିତ୍ବ ଲୋପ ପାଇଁ ମସୁଧା ଚଳାଇଥିବା ସଂସ୍କୃତିପ୍ରେମୀ ଅଭିଯୋଗ କରିଛନ୍ତି । ରବିବାର କୋଣାର୍କ ଶ୍ରୀଜୟଦେଵ ଜୟନ୍ତୀ କମିଟିର ସଭାପତି ଗୋପାଳଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୋଣାର୍କ ଏନ୍ଏସି ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ, ଜୟଦେବ ଜୟନ୍ତୀ କମିଟିର ଉପଦେଷ୍ଟା ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, ସଦସ୍ୟ ଭାଗିରଥୀ ସ୍ୱାଇଁ, ଭାସ୍କର ବେହେରା, ରବୀନ୍ଦ୍ରନାଥ ବାହିନୀପତି, ରାମକୃଷ୍ଣ ମହାନ୍ତି, ଅଜିତ ମଲ୍ଲିକ, ଅବନୀଭୂଷଣ ବାରିକ, ନିରଞ୍ଜନ ତ୍ରିପାଠୀ, ବିରଞ୍ଚି ନାରାୟଣ ରଥ, ମନୋରଞ୍ଜନ ପଣ୍ଡା ଓ ସୁକାନ୍ତ ଵିଶ୍ୱାଳ ପ୍ରମୁଖ ଯୋଗଦେଇ ଜୟଦେବ ଵାଟିକାର ସୁରକ୍ଷା ନିମନ୍ତେ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ ପାଇଁ ନିଷ୍ପତ୍ତି ନେଇଛନ୍ତି ।
