ପଳାଶ ବନର ଅକୁହା କଥା
ପଳାଶ ବନର ଅକୁହା କଥା
ଡ. ପ୍ରେମାନନ୍ଦ ବେହେରା
ପଳାଶ ବନ ଆଜି ନୀରବ ନୁହେଁ
ଲାଲ ଅଗ୍ନିରେ ଲୁଚିଛି ଅନେକ ଗୁପ୍ତ ରହସ୍ୟ
ପଗୁଣର ପବନ ଯେବେ ମୃଦୁ ଛୁଇଁଯାଏ
ଡାଳରେ ଡାଳରେ ଜାଗେ
ଅକୁହା ଅନୁଭବର ଘର ।।
ପତ୍ର ହରାଇ ଠିଆ ରହିଥିବା ଗଛମାନେ
ମନର ନିର୍ମଳତା ପରି ଖୋଲା
କିଛି ଲୁଚାଇ ନାହାନ୍ତି
ସେମାନେ ଜାଣନ୍ତି ….
ଖାଲିପଣେ ମଧ୍ୟ ହୁଏ ରଙ୍ଗିନ ।।
ଏଇ ନାଲି ଫୁଲର ଆଗ୍ନେୟ ରୂପ
କେବଳ ସୌନ୍ଦର୍ଯ୍ୟ ନୁହେଁ
ଏହା ହେଉଛି ଅନ୍ତରର ଜ୍ୱାଳା
ନିରବ ଭାବର ଦହନ
ଅପେକ୍ଷାର ଜ୍ୱଳନ୍ତ ସ୍ୱପ୍ନ ।।
ପଳାଶ ବନ କହେ
“ମୋ ରଙ୍ଗକୁ ଦେଖି
ମୋତେ ଅଗ୍ନି ଭାବିନିଅନି
ମୁଁ ତ ଶୀତର ଶେଷ ଗାଥା,
ବସନ୍ତର ପ୍ରଥମ ହସ ।।”
ପକ୍ଷୀମାନେ ଏଠାରେ ଗାଉଛନ୍ତି
ଅନୁତାପର ଓ ଆଶାର ସଙ୍ଗୀତ
ପ୍ରତିଟି ଫୁଲ ଲେଖୁଛି
ଏକ ଅଦୃଶ୍ୟ ପ୍ରେମପତ୍ର
ମାଟି ଓ ଆକାଶ ମଧ୍ୟରେ ।।
କେତେ ପ୍ରେମ ଆସି ଏଠାରେ ହାରିଯାଏ
କେତେ ସ୍ୱପ୍ନ ଫୁଲ ହୋଇ ଝରିଯାଏ
ତଥାପି ବନ ହାରେ ନାହିଁ
ପ୍ରତିଥର ପ୍ରତିବର୍ଷ
ନୂଆ ଆଶାରେ ରଙ୍ଗିଯାଏ ।।
ସନ୍ଧ୍ୟାବେଳେ ସୂର୍ଯ୍ୟ ଯେବେ
ରକ୍ତିମ ଆଲୋକରେ ଲୁଚିଯାଏ
ପଳାଶ ବନ ଲାଗେ
ଯେପରି ବିନା ଦ୍ବିଧାରେ
ଧରିତ୍ରୀର ହୃଦୟ ଖୋଲି ପଡ଼ିରହିଛି ।।
ଏଠାର ଅକୁହା କଥା ହେଉଛି
ଭାଙ୍ଗିଯିବା ମାନେ ଶେଷ ନୁହେଁ
ଶୂନ୍ୟ ହେବା ମାନେ ହାର୍ ନୁହେଁ
ନିରବତା ମାନେ ଅସହାୟତା ନୁହେଁ ।।
ପଳାଶ ବନ ଶିଖାଏ
ଜଳି ଉଠିଲେ ମଧ୍ୟ ରହିପାରେ ସୌନ୍ଦର୍ଯ୍ୟ
ଖାଲି ଡାଳରେ ମଧ୍ୟ ଫୁଟିପାରେ ସ୍ୱପ୍ନ
ଅକୁହା କଥାରେ ମଧ୍ୟ ଲୁଚିଥାଏ
ସବୁଠୁ ଗଭୀର ପ୍ରେମ ।।
ଆସ……
ଏକ ମୁହୂର୍ତ୍ତ ଠିଆ ହେବା
ଏହି ଲୋହିତ ଆଲୋକ ମଧ୍ୟରେ
ମନକୁ ପଚାରିବା
ଆମ ଭିତରେ
କେତେ ପଳାଶ ବନ ଜଳୁଛି ?
ବୋଧହୁଏ ଉତ୍ତର ମିଳିବ ନାହିଁ
କିନ୍ତୁ ହୃଦୟର ଗଭୀରତାରେ
କେଉଁଠି ନା କେଉଁଠି
ଫୁଟିଉଠିବ ଗୋଟିଏ ରକ୍ତବର୍ଣ୍ଣ ଫୁଲ
ଅକୁହା କଥାର ନିରବ ସାକ୍ଷୀ ।।
ପଦ୍ମପୁର, ବରଗଡ଼
