ମା ମଙ୍ଗଳାଙ୍କ ପାଳି ଜାତ ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ
ମା ମଙ୍ଗଳାଙ୍କ ପାଳି ଜାତ ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ
କାକଟପୁର :ଚଳିତ ବର୍ଷ ମା କାକଟପୁର ମଙ୍ଗଳାଙ୍କ ପ୍ରସିଦ୍ଧ ଚିତ୍ର ମାସ ପାଳି ଜାତ ଓ ଝାମୁ ଯାତ୍ରା ପାଳନକୁ ଦୃଷ୍ଟିରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମା ମଙ୍ଗଳା ମନ୍ଦିର ଟ୍ରଷ୍ଟି ମୂଖ୍ୟ ତଥା କାକଟପୁର ତହସିଲଦାର ଅଙ୍କିତା ଆନନ୍ଦିତା, ମନ୍ଦିର ପରିଚାଳନା ଅଧିକାରୀ କୈଳାଶ ଦାସ, କାକଟପୁର ଥାନା ଅଧିକାରୀ ବସନ୍ତ କୁମାର ସାହୁ, ସେବକ ସମିତିର ସଦସ୍ୟମାନେ, ମନ୍ଦିରର ପୂଜା ପଣ୍ଡା, ପାଳି ସେବାୟତ ସମେତ ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ରହିଥିଲେ। ପ୍ରତିବର୍ଷ ଭଳି ଚୈତ୍ର ମାସର ପ୍ରଥମ ମଙ୍ଗଳବାର ଠାରୁ ପଞ୍ଚମ ମଙ୍ଗଳବାର ପର୍ଯ୍ୟନ୍ତ ମା ମଙ୍ଗଳାଙ୍କ ପାଳି ଜାତ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ମାର୍ଚ୍ଚ ୧୦ ତାରିଖରେ ପ୍ରଥମ ପାଳି ଜାତ ପଡ଼ୁଥିବାରୁ ମନ୍ଦିରକୁ ଭକ୍ତମାନଙ୍କ ବ୍ୟାପକ ଭିଡ଼ ହେବାର ସମ୍ଭାବନା ରହିଛି। ଏହି ପରିପ୍ରେକ୍ଷିତରେ ବୈଠକରେ ପାଳି ଜାତ ସମୟରେ ସୁରକ୍ଷା ବ୍ୟବସ୍ଥା କଠୋର କରିବା, ଯାତାୟାତ ନିୟନ୍ତ୍ରଣ, ପାନୀୟ ଜଳ ବ୍ୟବସ୍ଥା, ପରିଷ୍କାର-ପରିଚ୍ଛନ୍ନତା, ଏବଂ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା। ପାଳି ଜାତ ସମୟରେ ଭକ୍ତମାନଙ୍କୁ ସୁଚାରୁ ଭାବେ ଦର୍ଶନ ସୁବିଧା ଦେବା ପାଇଁ ପ୍ରଶାସନ, ମନ୍ଦିର ପ୍ରଶାସନ ଓ ସେବାୟତମାନେ ସମନ୍ୱୟ ରଖି କାମ କରିବେ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ପାଳି ଜାତ ଅବସରରେ ମନ୍ଦିରକୁ ଆସୁଥିବା ଭକ୍ତମାନେ ଶୃଙ୍ଖଳା ରକ୍ଷା କରି ପୂଜା ଓ ଦର୍ଶନ କରିବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
