ଅଭୁଲା ଅତୀତ ଖୋଜୁଛି ସ୍ମୃତି

        ଅଭୁଲା ଅତୀତ ଖୋଜୁଛି ସ୍ମୃତି
           ( ରାଗ — ରସକୁଲ୍ୟା )

  ▪️କବିରତ୍ନ ନୂତନ କୁମାର ବେହେରା

ଅଭୁଲା ଅତୀତ’ ଖୋଜୁଛି ସ୍ମୃତି’
               ଝୁରି ହୁଏ ବସି’ ମନରେ ଚିନ୍ତି’
ସମୟ ଫେରେନା’ ଯାଏ ତ ବହି’
    କା’ ପାଇଁ ଭାବେନା’ ଅଟକି ରହି’ ସେ’,
ତା’ ଗତି ହୁଏନା’ ରୋକି’ ଯେ’,
         କ୍ରମରେ ଚାଲଇ ଆଗକୁ ଆଗେଇ’
ପଥେ ତାହାର ଏ’କାକୀ ଯେ’/୧/

ଯଶ ଖ୍ୟାତି ଅର୍ଜି ତାର ସ୍ଵଭାବେ
       ଲେଖି ତା’ କାହାଣୀ ଜଣାଏ ସର୍ବେ,
ହସ ଖୁସି ଦିଏ ହୋଇଣ ସାଥୀ
   ପଥେ ନେଇଯାଏ ହୋଇ ସାରଥି ସେ,
ହୃଦୟେ ରହେ ଅଭୁଲା ଯେ’
           ଦିଅଇ ପ୍ରେରଣା ଉତ୍ସାହ ଆନନ୍ଦ
କଥା ତାର ମନ ଖୋଲା ଯେ/୨/

ଜାତି ଜୟଗୀତି ତାହାର ସ୍ମୃତି
             ଭୁଲି ତ ହୁଏନା ଗଲେ ବି ବିତି,
ଅନ୍ତର୍ନାଦ ହୁଏ ପ୍ରତି ସ୍ପନ୍ଦନେ
ଶାନ୍ତି ମୈତ୍ରୀ ଭାବ ଆଣେ ଜୀବନେ ସେ,
ସଂପର୍କ ରଖେ ଅତୁଟ ଯେ,
           ଭାବ ବିନିମୟେ ସରସ ସୁନ୍ଦର
ଦେଖାଉ ଥାଏ ସୁବାଟ ଯେ/୩/

ଅଭୁଲା ଅତୀତ ଖୋଜୁଛି ସ୍ମୃତି
            ପ୍ରାପ୍ତିରେ ତାହାର ରଖଇ ମତି,
ଐତିହ୍ୟ ସଂସ୍କୃତି ବଜାଇ ରଖି
     କାର୍ଯ୍ୟର କାରଣେ ହୁଅଇ ସୁଖୀ ସେ,
ପ୍ରତିଭା କରି ପ୍ରକାଶ ଯେ,
         ସମାଜ କଲ୍ୟାଣେ ହୁଏ ଅଗ୍ରଦୂତ
ଦୁଃଖକୁ କରଇ ନାଶ ଯେ/୪/

ଶିକ୍ଷା,ସ୍ଵାସ୍ଥ୍ୟ,କୃଷି,ବାଣିଜ୍ୟ ଦିଗେ
           ମେହନତ କରି ରୁହଇ ଆଗେ,
ଜାତିର ଅସ୍ମିତା ରଖି ଅକ୍ଷୁଣ୍ଣ
       ଜୀବନର ଆଶା କରଇ ପୂର୍ଣ୍ଣ ସେ,
ବଢ଼ାଏ ସୁଖ ସମୃଦ୍ଧି ଯେ,
           ରଖିଥାଏ ତାର ସ୍ମୃତିର ସନ୍ତକ
ସାଧନାରେ ଲଭେ ସିଦ୍ଧି ଯେ/୫/

ସ୍ମୃତିର ବିସ୍ମୃତି ହୋଇଲେ ଇତି
ଉଦାସରେ ମନ ରୁହଇ ଚିନ୍ତି,
ଆଶା ସ୍ଵପ୍ନ ସବୁ ଯାଏ ତ ହଜି
ଅତୀତକୁ ଆଉ ପାଏନା ଖୋଜି ସେ,
ତୁଟେ ଭରସା ବିଶ୍ଵାସ ଯେ,
ଆଗକୁ ଅନ୍ଧାର ଦିଶଇ ଦୁନିଆଁ
ଅଧରରୁ ଲିଭେ ହସ ଯେ/୬/

ସ୍ମୃତିରେ ରହିଛି ସାଇତା ରତ୍ନ
ମିଳଇ ସେ ସବୁ କରିଲେ ଯତ୍ନ,
ପ୍ରାଣରୁ ପ୍ରେରଣା ଆସେ ଅଶେଷ
ଭବିଷ୍ୟତ କରେ ତାର ବିକାଶ ସେ,
ଜୀବନ ହୁଅଇ ସରସ ଯେ,
ଅଭୁଲା ଅତୀତ ଖୋଜୁଛି ତା’ ସ୍ମୃତି
ନୀରବେ କହେ ଇତିହାସ ଯେ/୭/

   ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *