ବିନ୍ଦୁରୁ ସିନ୍ଧୁ –୨
ବିନ୍ଦୁରୁ ସିନ୍ଧୁ –୨
🖊️କବିରତ୍ନ ନୂତନ କୁମାର ବେହେରା
‘ଓଁ ‘ କାରର ‘ ଅ ‘ରୁ ବିସର୍ଗ ଚନ୍ଦ୍ରବିନ୍ଦୁ ପର୍ଯ୍ୟନ୍ତ
ବ୍ରହ୍ମା,ବିଷ୍ଣୁ ଓ ମହେଶ୍ୱର ସୃଷ୍ଟିରେ ତ୍ରିଶକ୍ତି ଅନନ୍ତ
ବିନ୍ଦୁରୁ ସିନ୍ଧୁ ରୂପେ ରୂପାନ୍ତର ସର୍ବତ୍ର ବ୍ୟାପ୍ତ
ଏ ଆଦିଶକ୍ତି ଅନାଦି ହୁଅନ୍ତି ନାହିଁ ବିଲୁପ୍ତ
ସୂକ୍ଷ୍ମରୁ ସ୍ଥୂଳ ଆକାରରେ ହୁଅନ୍ତି ବିକେନ୍ଦ୍ରୀଭୂତ
ନିୟତିର ନୀତିରେ ସଂକ୍ଷିପ୍ତ ଅବା ବିକ୍ଷିପ୍ତ
ବିନ୍ଦୁଟିଏ ବ୍ୟଷ୍ଟିରେ ରହେ ସୀମିତ ନିମିତ୍ତ ମାତ୍ର
ସିନ୍ଧୁ ଯେ ଅସୀମ ବ୍ୟାପକ ସମଷ୍ଟିର ବୈଚିତ୍ର
ଏ କ୍ରମଧାରା ପ୍ରକୃତି ସହିତ ସଦାସର୍ବଦା ଜଡ଼ିତ
ଭାରସାମ୍ୟ ରଖିବାରେ ହୁଅଇ ସନ୍ତୁଳିତ
ପଞ୍ଚଭୂତର ପ୍ରଭାବେ ବଶୀଭୂତ ସାରା ଜଗତ
ସିନ୍ଧୁରୁ ବିନ୍ଦୁ ବିନ୍ଦୁ ରୂପେ ହୁଅନ୍ତି ଆତଯାତ
ବନ୍ଧନେ ବନ୍ଧୁ ହୋଇ କରନ୍ତି ଭାବ ବିନିମୟ
ମଧୁର ସମ୍ପର୍କ ସ୍ଥାପିଲେ ସଂସାର ହୁଏ ମଧୁମୟ
ଜଡ଼ ଓ ଚେତନ ଦୁଇ ଭାଗରେ ବିଭକ୍ତ
ଆସକ୍ତରେ ଆଶା ଆକାଂକ୍ଷା ଅନାସକ୍ତରେ ମୁକ୍ତ
ପରମାତ୍ମାରୁ ଆତ୍ମା ଜୀବ ଘଟେ ପାଏ ସ୍ଥାନ
ସଗୁଣରେ ସାର୍ଥକ ବିଗୁଣରେ ହୁଅଇ ବିବର୍ତ୍ତନ
ଅନ୍ତର୍ନିହିତ ଶକ୍ତିର ସୁବିନିଯୋଗରେ ବିକାଶ
ଅସଦବିନିଯୋଗରେ ହୋଇଥାଏ ତାର ବିନାଶ
ସଂସାରରେ ମାନବ ରୁହଇ ଦୈବର ବଶେ
ତାର କର୍ମ ନେଇ ସେ କାନ୍ଦେ ଆଉ ହସେ
ବିଧିର ବିଧାନରେ ସଦା ଥାଇ ମଧ୍ୟ ନିୟନ୍ତ୍ରଣେ
କର୍ମ କରିବାରେ ସ୍ଵାଧୀନ ଥାଏ ତା’ ଗୁଣେ
ଆତ୍ମାରୁ ପ୍ରକାଶିତ ହୋଇଥାଏ ମଣିଷର ମନ
ସେ ମନ ନେଇ ସେ ସମାଜେ କରଇ ଆଚରଣ
ସତ୍ୟ ରଖି ପ୍ରତିଷ୍ଠା କରେ ସୁଖ ଶାନ୍ତି ସନ୍ତୋଷ
ମିଥ୍ୟାଚାରେ ବଢ଼ାଏ ହିଂସା ଈର୍ଷା ଭୋଗେ କ୍ଳେଶ
ଚେତନା ଶକ୍ତି ହରାଇ ବସି ହୁଅଇ ଜଡ଼ ସମ
ଦୈବଦତ୍ତ ପ୍ରତିଭାକୁ ନାଶି ତାର କରେ ବ୍ୟତିକ୍ରମ
ଏକା ଏକା ବିନ୍ଦୁଟିଏ କେବେ ମଧ୍ୟ ହୁଏନାହିଁ ସିନ୍ଧୁ
କାଳ ତାର ସରିଯାଏ ମନରେ ବଳ ବାନ୍ଧୁ ବାନ୍ଧୁ
ଏ ବିନ୍ଦୁ ମିଶିଲେ ଯାଇ ସିନ୍ଧୁରେ ପାଇଥାଏ ନିସ୍ତାର
ନତୁବା ବିନ୍ଦୁରେ ସେ ସୀମିତ ରହିଥାଏ ଚିର
ବିନ୍ଦୁରୁ ସିନ୍ଧୁ ମଧ୍ୟେ ରହିଛି ଜୀବନ ଦର୍ଶନର ତତ୍ତ୍ଵ
ଯେଉଁ ଭାବେ ସାଧେ ଯିଏ ତାହା ତାର ନିଜତ୍ବ ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
