ବଣିକ ସଂଘ ପକ୍ଷରୁ ଯୁଦ୍ଧ ଯୋଗୁ ଏଲପିଜି ଗ୍ୟାସ ସିଲିଣ୍ଡର ସଂକଟ ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର

ଯୁଦ୍ଧ ଯୋଗୁ ଦେଖାଦେଲାଣି ବ୍ୟବସାୟିକ ଓ ଘରୋଇ ଏଲପିଜି ଗ୍ୟାସ ସଂକଟ। ରେଷ୍ଟୁରାଣ୍ଟ, ଖାଦ୍ୟ ବିକ୍ରେତା ଏଥିରେ ସର୍ବାଧିକ ପ୍ରଭାବିତ ହେଉଛନ୍ତି । ଆଗକୁ ମିଳିବ କି ନାହିଁ ଆଶଙ୍କା କରି ଲୋକେ କଳାବଜାରରେ ଗ୍ୟାସ କିଣୁଛନ୍ତି । କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଗ୍ୟାସ ସିଲିଣ୍ଡର ଅଭାବ ଉତ୍କଟ ସ୍ଥିତିରେ ପହଞ୍ଚିଛି। ଭବାନୀପାଟଣାର ଅନେକ ରେଷ୍ଟୁରାଣ୍ଟ, ଫାଷ୍ଟଫୁଡ ଗ୍ୟାସ ଅଭାବରୁ ବନ୍ଦ ହେବା ଆରମ୍ଭ ହେଲାଣି ତ ଆଉ କିଛି ଗ୍ୟାସ ପାଇଁ ସଂଘର୍ଷ କରୁଛନ୍ତି। ଏନେଇ ସ୍ଥାନୀୟ ଭାଗୀରଥି ଇନ୍ ଠାରେ ବଣିକ ସଂଘ ପକ୍ଷରୁ ଭବାନୀପାଟଣାର ବିଭିନ୍ନ ହୋଟେଲ, ରେଷ୍ଟୁରାଣ୍ଟ , କେଫେ, ଫାଷ୍ଟଫୁଡ ତଥା ଫୁଡ୍ ଷ୍ଟଲ୍ ମାଲିକ ମାନଙ୍କୁ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କମର୍ସିଆଲ ଗ୍ୟାସ ଯୋଗାଣକୁ ନେଇ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଏନେଇ ଆଜି ସକାଳେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାଓ୍ବାରଙ୍କୁ ବଣିକ ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ସାକ୍ଷାତ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି ।

ବିଭିନ୍ନ ରେଷ୍ଟୁରାଣ୍ଟ, ହୋଟେଲ , ଫାଷ୍ଟଫୁଡ, ଟିଫିନ ସେଣ୍ଟର ଆଦି ଖାଦ୍ୟ ଷ୍ଟଲ କୁ ବ୍ୟବସାୟିକ ଏଲପିଜି ଗ୍ୟାସ ଯୋଗାଣ କରିବା, କୋଇଲା ଓ କାଠରେ ରନ୍ଧନ ପାଇଁ ଅନୁମତି, ଗ୍ୟାସ ଏଜେନ୍ସୀର କଳାବଜାରୀ ରୋକିବା, କୋଇଲା ଭାରକୁ ଫରେଷ୍ଟ ବିଭାଗ ପକ୍ଷରୁ କୋହଳ କରିବା ଏବଂ ଗ୍ୟାସ ସଂକଟ ଦୂର ନହେବା ପର୍ଯ୍ୟନ୍ତ ଖାଦ୍ୟ ବ୍ୟବସାୟୀଙ୍କୁ ନୀରିକ୍ଷଣ ନାମରେ ହଇରାଣ ନକରିବାକୁ ଆଦି ବିଷୟ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଏହି ପ୍ରତିନିଧି ଦଳରେ କଳାହାଣ୍ଡି ବଣିକ ସଂଘ ସଭାପତି ବିଜୟ ସାହୁ, ସାଧାରଣ ସମ୍ପାଦକ ନିରୋଜ ପଟ୍ଟନାୟକ, ବିଶିଷ୍ଟ ବ୍ୟବସାୟୀ ପ୍ରମୋଦ ଖମାରୀ, ସହ ସମ୍ପାଦକ ସଚ୍ଚିଦାନନ୍ଦ ସାହୁ , ପ୍ରମୋଦ ଜୈନ, ଯୁବ ଉଦ୍ୟୋଗୀ ଅବିନାଶ ଠାକୁର, ମହମ୍ମଦ କରୀମ, ଅବିନାଶ ଅଗ୍ରୱାଲ, ରାଜ ମିଶ୍ର, ସାଇ ଅଗସ୍ତି ପ୍ରମୁଖ ଉପସ୍ଥିତ ଥିଲେ ‌।

Leave a Reply

Your email address will not be published. Required fields are marked *