ବ୍ରହ୍ମପୁରରେ ୯୧ ତମ ଉତ୍କଳ ଦିବସ ଉତ୍ସବ ପାଳନ ସମ୍ପର୍କିତ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର ତା ୧୯/୦୩/୨୬ () ଓଡିଶା ଦିବସ ଓଡିଶା ରାଜ୍ୟ ଗଠନର ଉଜ୍ଜଳ ସ୍ମୃତି ବହନ କରେ । ଏଥି ସହିତ ଓଡିଆ ଅସ୍ମିତା ଓ ଭାବାବେଗ ଗଭୀରଭାବେ ଜଡିତ । ଚଳିତ ବର୍ଷ ୯୧ ତମ ଓଡିଶା ଦିବସ ଉତ୍ସବକୁ ଚିତ୍ତାକର୍ଷକ ଭାବେ ଦକ୍ଷିଣ ଓଡିଶାର ପ୍ରାଣ କେନ୍ଦ୍ର ବ୍ରହ୍ମପୁର ଠାରେ ପାଳନ କରିବା ପାଇଁ ବ୍ରହ୍ମପୁର ମହାନଗର ନିଗମର କମିଶନର ଅକବରମ୍ ସସ୍ୟା ରେଡ୍ଡୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆଜି ଅପରାହ୍ନରେ ଉପଜିଲ୍ଲାପାଳ, ବ୍ରହ୍ମପୁରଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ଏହି ଉତ୍ସବ ସରସ ସୁନ୍ଦର ଭାବେ ପାଳନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ସମ୍ପୃକ୍ତ ବିଭାଗ ଓ ଅନୁଷ୍ଠାନଗୁଡିକୁ ସେମାନଙ୍କ ଉପରେ ନ୍ୟସ୍ତ କାର୍ଯ୍ୟ ଗୁଡିକୁ ସଠିକ ଢଙ୍ଗରେ କାର୍ଯ୍ୟକାରୀ କରିବା ପାଇଁ କମିଶନର ସୁଶ୍ରୀ ରେଡ୍ଡୀ ପରାମର୍ଶ ଦେଇଛନ୍ତି । ଅନ୍ତର୍ବିଭାଗୀୟ ସମନ୍ୱୟ ଓ ସମ୍ଭବ ହୋଇପାରିଲେ ସାନ୍ଧ୍ୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରିବା ପାଇଁ ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ପରାମର୍ଶ ଦେଇଛନ୍ତି ।ପୂର୍ବବର୍ଷ ପରି ଚଳିତ ବର୍ଷ ମଧ୍ୟ ପ୍ରଭାତଫେରି, ସହରରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଶୋଭାଯାତ୍ରା ଅନୁଷ୍ଠିତ ହେବ। ସ୍ଥାନୀୟ ଜନ ପ୍ରତିନିଧି, ଅଧିକାରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟ ସମ୍ପାଦିତ ହେବ। ଗୋଟିଏ ଯାନର ଓଡିଶାର ବରପୁତ୍ର ଓ ମହାପୁରୁଷ ମାନଙ୍କର ଫଟୋଚିତ୍ରକୁ ଫୁଲଦ୍ବାରା ସଜାଯାଇ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ପରିବେଷଣ ପୂର୍ବକ ଶୋଭାଯାତ୍ରା ଅନୁଷ୍ଠିତ ହେବ । ସହରରେ ଥିବା ସମସ୍ତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିଗୁଡିକରେ ରଙ୍ଗଦେବା, ପ୍ରତିମୂର୍ତ୍ତି ସ୍ଥଳ ସଫା ସୁତୁରା କରିବା ସହିତ ପ୍ରତିମୂର୍ତ୍ତି ଗୁଡିକରେ ପୁଷ୍ପମାଲ୍ୟ ସକାଶେ ବ୍ରହ୍ମପୁର ମହାନଗର ନିଗମ ତରଫରୁ ବ୍ୟବସ୍ଥା କରାଯିବ । ବ୍ରହ୍ମପୁରର ଗିରି ମାର୍କେଟ ଛକସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତିରୁ ସକାଳ ୭.୨୦ ଘଟିକା ରେ ପୁଷ୍ପମାଲ୍ୟାର୍ପଣ ଆରମ୍ଭ ହେବ। ସମସ୍ତ ଅନୁଷ୍ଠାନର କର୍ମକର୍ତ୍ତାମାନେ ନିଜ ନିଜ ଅନୁଷ୍ଠାନରେ ଥିବା ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଓ ଯଥୋରିତ ସମ୍ମାନ ଜଣାଇବା ପାଇଁ ଅନୁରୋଧ କରାଯାଇଛି । ସେହିପରି ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଘରୋଇ ମୋଟର ମାଲିକ ସଂଘ, ସମସ୍ତ ବ୍ୟାଙ୍କ, ବୀମା କମ୍ପାନୀ, ସିନେମା ହଲ୍, ପେଟ୍ରୋଲ ପମ୍ପ, ଶିକ୍ଷାନୁଷ୍ଠାନ ଗୁଡିକୁ ନିଜ ଅନୁଷ୍ଠାନକୁ ଓଡିଶା ଦିବସ ଦିନ ସଂଧ୍ୟା ଘ.୫.୦୦ ରୁ ରାତ୍ର ଘ.୧୧.୦୦ ପର୍ଯ୍ୟନ୍ତ ରଙ୍ଗବେରଙ୍ଗର ଆଲୋକରେ ସଜାଇବା ପାଇଁ ଅନୁରୋଧ କରାଗଲା ।

ଶିଳ୍ପ ତାଲିମ କେନ୍ଦ୍ରର ପ୍ରେକ୍ଷାଳୟ, ବ୍ରହ୍ମପୁର ଠାରେ ସଂଧ୍ୟା ଘ.୦୬.୦୦ମି. ଠାରୁ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସହରର ଚାରିଗୋଟି ପ୍ରବେଶ ପଥରେ ସୁନ୍ଦର ତୋରଣ ନିର୍ମାଣ କରିବା ପାଇଁ ମହାନଗର ନିଗମ କମିଶନରଙ୍କୁ ଅନୁରୋଧ କରାଯାଇଛି । ୯୧ ତମ ଓଡିଶା ଦିବସ ପାଳନ ଉପଲକ୍ଷେ ଶହୀଦ୍ ଲକ୍ଷ୍ମଣ ନାୟକ ସ୍ମତି ପୌର ଉଚ୍ଚ ବିଦ୍ୟାଳୟ କୋର୍ଟପେଟା, ବ୍ରହ୍ମପୁର ଠାରେ ୨୫.୦୩.୨୦୨୬ ତାରିଖରେ ବକ୍ତୃତା ଓ ଦେଶାତ୍ମବୋଧକ ସଙ୍ଗୀତ ଅନୁଷ୍ଠିତ ହେବ । ପ୍ରତି ବିଦ୍ୟାଳୟରୁ ଦୁଇଜଣ ଲେଖାଏଁ ପ୍ରତିଯୋଗୀ ଗୋଟିଏ ପ୍ରତିଯୋଗିତାରେ ଭାଗ ନେଇ ପାରିବେ । ବିଷୟ ବସ୍ତୁ ଏକଘଣ୍ଟା ପୂର୍ବରୁ ପ୍ରତିଯୋଗିତା ସ୍ଥଳରେ ପ୍ରଦାନ କରାଯିବ । ଉଚ୍ଚ ବିଦ୍ୟାଳୟସ୍ତରୀୟ (୯ ମ ଓ ୧୦ ମ), ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ୨ ) ଓ ମହା ବିଦ୍ୟାଳୟ ସ୍ତରୀୟ (ଯୁକ୍ତ ୩) ପ୍ରତିଯୋଗିତା ଅନୁଷ୍ଠିତ ହେବ ।ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର ଆଶୀର୍ବାଦ ପରିଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ଅଦିତି ଆଚାର୍ଯ୍ୟ, ଉତ୍କଳ ପରିଷଦର ସଭାପତି ପ୍ରମୋଦ କୁମାର ପଣ୍ଡା, ପ୍ରେସ କ୍ଲବର ସମ୍ପାଦକ ପ୍ରହ୍ଲାଦ ସାହୁ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା, ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା, ବିଭାଗୀୟ ଅଧିକାରୀ, ଗଣମାଧ୍ୟମର ପ୍ରତିନିଧି, ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ଆଜିର ବୈଠକରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *