କିଏ ଉଚ୍ଚ କିଏ ନୀଚ୍ଚ
କିଏ ଉଚ୍ଚ କିଏ ନୀଚ୍ଚ
( ରାଗ — ଭଙ୍କରାଭରଣ )
🔹କବିରତ୍ନ ନୂତନ କୁମାର ବେହେରା
ସ୍ଵଚ୍ଛ ମନ କହେ କିଏ’ ଉଚ୍ଚ କି’ଏ’ ନୀଚ୍ଚ’
ସବୁରି ପାଇଁ ତ ଏଠି’ ଏକ ର’ଙ୍ଗ’ମଞ୍ଚ’,
କିଏ’ ନାଚେ କେଉଁ’ ନାଚ’
ଦେଖି ଶୁଣି ବୁଝ ଛନ୍ଦ’ ତାନ ତା’ର’ ପାଞ୍ଚ’ ।
କିଏ ଧନୀ ମାନୀ ଜ୍ଞାନୀ ବୋଲି ହୁଏ ଖୁସି
କିଏ ଗରିବ ବିଚରା ହୋଇ ଭାବେ ବସି,
ହୃଦେ ଭେଦାଭେଦ ରଖି
ବିଚାର କରଇ ମନେ ମେଲି ତାର ଆଖି ।
କିଏ କରେ ଗର୍ବ ଅହଙ୍କାର ମହାଦମ୍ଭେ
ଜୀବନର ଯାତ୍ରା ତାର ଭବରେ ଆରମ୍ଭେ,
ବାଟ ବାଛି ଚାଲେ ବେଗେ
ଦେଖେନାହିଁ କେଉଁ ବାଧା ବିଘ୍ନ ଅଛି ଆଗେ ?
କିଏ ପାଞ୍ଚି ବୁଦ୍ଧି ଯାଏ ତାର ଠିକଣାରେ
ଏକ ଲକ୍ଷ୍ୟ ରଖି ଚାଲେ ତା’ ଚଲା ବାଟରେ,
ଦେଖି ଖାଲ ଖମା କଣ୍ଟା
ପାଦ କରି ଦୃଢ଼ ଚାଲେ ସଳଖାଇ ଅଣ୍ଟା ।
ଉଚ୍ଚ ନୀଚ୍ଚ ଭାବ ଆଣି ମନେ ଏ ମଣିଷ
ତୁଚ୍ଛ ବିଚାରର ସ୍ଵାର୍ଥେ ହୁଅଇ ଯେ ବଶ,
କର୍ମ ନେଇ ମିଳେ ଫଳ
ଦୁଃଖ କଷ୍ଟ ପାଏ ଯେବେ ହୁଅଇ ବିକଳ ।
ଉଚ୍ଚ ନୀଚ୍ଚ ଭାବ ରଖି ହେଲେ ବାଟବଣା
ବିଚାର ବିଗିଡ଼େ ରହେ ନାହିଁ ବୁଝାମଣା,
ହଜେ ବିଶ୍ଵାସ ଭରସା
ଭ୍ରମେ ଭ୍ରମି ଭ୍ରମି ଏକା ଭୋଗଇ ଦୁର୍ଦ୍ଦଶା ।
ଚିନ୍ତେ ଯେ ସବୁରି ପ୍ରାଣ ମଧ୍ୟେ ଏକ ଆତ୍ମା
ବୁଝେ ସେ ପରମାତ୍ମାଙ୍କ ଅପାର ମହିମା,
ଭାବେ ରଖି ସମଦୃଷ୍ଟି
ଅନୁଭବ କରେ ହୃଦେ ଅନୁପମ ସୃଷ୍ଟି ।
ଜୀବ ତା’ ଜୀବନେ ରଖି ଉଚ୍ଚ ନୀଚ୍ଚ ଭେଦ
ହରାଇ ଦିଅଇ ତାର ପରମ ଆନନ୍ଦ,
ସଂସାରେ ହୋଇ ବିମୁଖ
ସୁଖ ଖୋଜି ଖୋଜି ଖାଲି ପାଉଥାଏ ଦୁଃଖ ।
ସନ୍ତୁଳିତେ ମନ ତାର ରହିଲେ ଅସ୍ଥିର
ଉଚିତ ନିଷ୍ପତ୍ତି କରି ପାରେନା ବିଚାର,
ରହେ ରାଗ ରୋଷ କରି
ନିଜକୁ ସେ ପାରେନାହିଁ କେବେ ବି ସୁଧାରି ।
ସମତା ଆଣି ମନରେ କରେ ଯେ ବିଚାର
ସବୁ ଘଟେ ଦେଖେ ସିଏ ଏକୋଇ ଈଶ୍ଵର,
ସେଇ ତା’ ଭକ୍ତିର ଶକ୍ତି
ସେବାରେ ଅରଜି ପୁଣ୍ୟ ପାଇଥାଏ ମୁକ୍ତି ।
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
