ରାଜ୍ୟପାଳଙ୍କୁ ଭେଟିଲେ ବାରଣାସୀର ଗଣମାଧ୍ୟମ ପ୍ରତିନିଧି ଦଳ

ଭୁବନେଶ୍ୱର, ୨୬ ମାର୍ଚ୍ଚ: ଉତ୍ତରପ୍ରଦେଶ ବାରଣାସୀରୁ ଆସିଥିବା ୧୪ ଜଣ ବରିଷ୍ଠ ସାମ୍ବାଦିକମାନଙ୍କର ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ୱର ଲୋକ ଭବନ ଠାରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ରାଜ୍ୟପାଳ ଏହି ଗଣମାଧ୍ୟମ ପ୍ରତିନିଧି ଦଳକୁ ଓଡ଼ିଶାରେ ସ୍ୱାଗତ କରି ସେମାନଙ୍କୁ ରାଜ୍ୟର ବିକାଶ ଯାତ୍ରା ଏବଂ ସମୃଦ୍ଧ ସଂସ୍କୃତି, ପରମ୍ପରା ଓ ଐତିହ୍ୟ ବିଷୟରେ ଅବଗତ କରାଇଥିଲେ।ଏହି ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ର ପରିଦର୍ଶନ କରିଥିବା ବିଷୟରେ ଅବଗତ ହେବା ପରେ ରାଜ୍ୟପାଳ କହିଥିଲେ, ଓଡ଼ିଶା ସାରା ଦେଶରେ ଦକ୍ଷତା ବିକାଶର ଏକ ପ୍ରମୁଖ କେନ୍ଦ୍ର ରୂପେ ଉଭା ହେଉଛି। ବିଶ୍ୱ ଦକ୍ଷତା କେନ୍ଦ୍ର ଏହାର ଏକ ଉଦାହରଣ। ଏଠାରେ ବିଭିନ୍ନ କ୍ଷେତ୍ରରେ ଧନ୍ଦାମୂଳକ ତାଲିମ ପ୍ରଦାନ କରାଯାଉଛି। ଶିକ୍ଷିତ ଏବଂ ଅର୍ଦ୍ଧଶିକ୍ଷିତ ଯୁବକଯୁବତୀ ଏଠାରୁ ବିଭିନ୍ନ ଧନ୍ଦାମୂଳକ ତାଲିମ ଗ୍ରହଣ କରି ରୋଜଗାରକ୍ଷମ ହୋଇପାରୁଛନ୍ତି। ଏହି କେନ୍ଦ୍ରରୁ ତାଲିମ ନେଉଥିବା ଯୁବକଯୁବତୀ ଉତ୍ପାଦନ କ୍ଷେତ୍ରରେ ନିଯୁକ୍ତି ପାଇପାରୁଛନ୍ତି । ରାଜ୍ୟରେ ସରକାରୀ ଏବଂ ଘରୋଇ କ୍ଷେତ୍ର ରାଜ୍ୟରେ କୌଶଳ ବିକାଶ କେନ୍ଦ୍ର ଖୋଲି ରାଜ୍ୟର ଯୁବକଯୁବତୀଙ୍କୁ ନିଯୁକ୍ତି ଓ ଆତ୍ମନିଯୁକ୍ତି ନିମନ୍ତେ ସକ୍ଷମ କରାଇପାରୁଛନ୍ତି ବୋଲି ରାଜ୍ୟପାଳ କହିଥିଲେ।ରାଜ୍ୟପାଳ ଆହୁରି କହିଥିଲେ, ପୂର୍ବରୁ ଓଡ଼ିଶା ଏକ ଗରିବ ରାଜ୍ୟ ବୋଲି ଯେଉଁ ଧାରଣା ରହିଥିଲା ସେଥିରେ ଏବେ ପରିବର୍ତ୍ତନ ଆସିଛି। ଓଡ଼ିଶା ଏକ ଖଣିଜ ସମ୍ପଦ ସମୃଦ୍ଧ ରାଜ୍ୟ। ଓଡ଼ିଶା ମାଟିରେ ପ୍ରଚୁର ପରିମାଣରେ କୋଇଲା, ଲୁହାପଥର, ବକ୍ସାଇଟ୍‌, କ୍ରୋମାଇଟ୍‌ ଭଳି ବିରଳ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ଦ୍ରବ୍ୟ ରହିଛି। ଖଣି କ୍ଷେତ୍ରରୁ ରାଜ୍ୟକୁ ୫୨ ହଜାର କୋଟି ଟଙ୍କାରୁ ଅଧିକ ରାଜସ୍ୱ ମିଳିପାରୁଛି। ଲୁହାପଥର ଓ ବକ୍ସାଇଟ୍‌ କାରଣରୁ ରାଜ୍ୟରେ ପ୍ରମୁଖ ଇସ୍ପାତ ଓ ଆଲୁମିନିୟମ କାରଖାନା ମଧ୍ୟ ସ୍ଥାପିତ ହୋଇଛି। ଏହି କ୍ଷେତ୍ରରେ ବିପୁଳ ପରିମାଣରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି । ଖଣିଜ ସମ୍ପଦ ରାଜ୍ୟର ସବୁଠୁ ବଡ଼ ସମ୍ପଦ ବୋଲି ରାଜ୍ୟପାଳ କହିଥିଲେ।ଦକ୍ଷ ଆର୍ଥିକ ସୁପରିଚାଳନା କାରଣରୁ ଓଡ଼ିଶା ଦେଶରେ ରାଜସ୍ୱ ବଳକା ରାଜ୍ୟ ହୋଇପାରିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ଓଡ଼ିଶା ଦ୍ରୁତ ପ୍ରଗତି ପଥରେ ଆଗେଇ ଚାଲିଛି ବୋଲି ରାଜ୍ୟପାଳ କହିଥିଲେ । ସେ କହିଥିଲେ, ସଡ଼କ ଓ ରେଳ ନେଟୱର୍କ ଦୃଷ୍ଟିରୁ ଓଡ଼ିଶା ଦେଶର ବିଭିନ୍ନ ଭାଗ ସହିତ ସୁଗମ ଭାବେ ଯୋଡ଼ି ହୋଇ ରହିଛି। କୋଲକାତା-ଚେନ୍ନାଇ ଜାତୀୟ ରାଜପଥ ଓଡ଼ିଶାର ଏକ ପ୍ରମୁଖ ଅଞ୍ଚଳ ଦେଇ ଯାଇଛି। ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥଗୁଡ଼ିକ ମଧ୍ୟ ଓଡ଼ିଶାରେ ଗମନାଗମନ ବ୍ୟବସ୍ଥାରେ ସୁଧାର ଆଣିଛି। ଆଗାମୀ ଦିନରେ କେନ୍ଦ୍ର ସରକାର ରାଜ୍ୟର ସବୁ ଜିଲ୍ଲାକୁ ରେଳ ସଂଯୋଗ ନିମନ୍ତେ ଲକ୍ଷ୍ୟ ରଖିଛନ୍ତି।ଓଡ଼ିଶା ସାମୁଦ୍ରିକ କାରବାର ଦୃଷ୍ଟିରୁ ମଧ୍ୟ ଏକ ସମୃଦ୍ଧ ରାଜ୍ୟ ବୋଲି ରାଜ୍ୟପାଳ କହିଛନ୍ତି। ସେ କହିଛନ୍ତି, ଓଡ଼ିଶାରେ ୪୦୦ କିଲୋମିଟରରୁ ଅଧିକ ବିସ୍ତିର୍ଣ୍ଣ ଉପକୂଳ କ୍ଷେତ୍ର ସମେତ ପାରାଦୀପ, ଗୋପାଳପୁର ଓ ଧାମରା ଭଳି ପ୍ରମୁଖ ବନ୍ଦ ରହିଛି । ଏହାସହିତ କେନ୍ଦ୍ର ସରକାର ରାଜ୍ୟରେ ଏକ ପ୍ରମୁଖ ଜଳମାର୍ଗ ନିର୍ମାଣ ଲାଗି ଯୋଜନା କରିଛନ୍ତି।ରାଜ୍ୟପାଳ କହିଛନ୍ତି, ରାଜଧାନୀ ଭୁବନେଶ୍ୱର ଦେଶର ଏକ ପ୍ରମୁଖ ଶିକ୍ଷା କେନ୍ଦ୍ର ରୂପେ ଉଭା ହୋଇଛି। ଏଠାରେ ଏମ୍ସ, ଆଇଆଇଟି ଭଳି ଜାତୀୟ ସ୍ତରର ଶିକ୍ଷାନୁଷ୍ଠାନ ରହିଛି । ରାଜ୍ୟରେ ୧୮ଟି ସରକାରୀ ଏବଂ ୮ଟି ଘରୋଇ ବିଶ୍ୱବିଦ୍ୟାଳୟ ଗୁଣାତ୍ମକ ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଛନ୍ତି।

ବିଦେଶରୁ ମଧ୍ୟ ଛାତ୍ରଛାତ୍ରୀ ଓଡ଼ିଶାକୁ ପାଠ ପଢ଼ିବା ଲାଗି ଆସୁଛନ୍ତି। ଆଇଟି, ସେମିକଣ୍ଡକ୍ଟ, ଫାର୍ମା ଆଦି କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦିନକୁ ଦିନ ପ୍ରଗତି ହାସଲ କରୁଛି। ନିକଟରେ ଓଡ଼ିଶାରେ ସେମିକଣ୍ଡକ୍ଟର ଏବଂ ଚିପ୍‌ ନିର୍ମାଣ ପ୍ରକଳ୍ପ ସ୍ଥାପନ ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଯଥେଷ୍ଟ ପ୍ରଗତି ହାସଲ କରିଛି। ଭୁବନେଶ୍ୱର ଏମ୍ସ, କଟକ ଏସସିବି ଭଳି ପ୍ରମୁଖ ମେଡ଼ିକାଲ କଲେଜ ସମେତ ସରକାରୀ ଓ ବେସରକାରୀ ସ୍ତରରେ ଅନେକ ଡାକ୍ତରଖାନା ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଛନ୍ତି ବୋଲି ରାଜ୍ୟପାଳ କହିତିଲେ।କୃଷି କ୍ଷେତ୍ରରେ ମଧ୍ୟ ଓଡ଼ିଶା ଯଥେଷ୍ଟ ପ୍ରଗତି ହାସଲ କରୁଛି ବୋଲି ରାଜ୍ୟପାଳ କହିଛନ୍ତି । ସେ କହିଛନ୍ତି ଧାନ ଓଡ଼ିଶାର ଏକ ପ୍ରମୁଖ ଫସଲ ହୋଇଥିବା ବେଳେ ବର୍ତ୍ତମାନ ମିଲେଟ୍‌ ଚାଷରେ ମଧ୍ୟ ରାଜ୍ୟ ଅଗ୍ରଗତି କରିଛି । କୋରାପୁଟ କଫି ଦେଶବିଦେଶରେ ନିଜର ସ୍ୱାଦ ପାଇଁ ଖ୍ୟାତି ଅର୍ଜନ କରିଛି। ସାଂସ୍କୃତିକ ଦୃଷ୍ଟିରୁ ସମୃଦ୍ଧ ଓଡ଼ିଶାର ଐତିହ୍ୟ, ପରମ୍ପରା ଏବଂ ଜୀବନଶୈଳୀ ବିଷୟରେ ମଧ୍ୟ ରାଜ୍ୟପାଳ ଆଲୋକପାତ କରିଥିଲେ। ସେ କହିଥିଲେ, ଉତ୍ତରପ୍ରଦେଶ କାଶୀ ବିଶ୍ୱନାଥଙ୍କ ପାଇଁ ପ୍ରସିଦ୍ଧି ହାସଲ କରିଥିବା ବେଳେ ଓଡ଼ିଶା ପୁରୀ ଜଗନ୍ନାଥ ମନ୍ଦିର ପାଇଁ ପ୍ରସିଦ୍ଧି ଲାଭ କରିଛି। ପର୍ଯ୍ୟଟନ ଓ ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଓଡ଼ିଶାରେ ଭିତରକନିକା, ଶିମିଳିପାଳ, ଦେବ୍ରିଗଡ଼ ଭଳି ପ୍ରସିଦ୍ଧ ବନ୍ୟପ୍ରାଣୀ ଅଭୟାରଣ୍ୟ ରହିଛି। ପ୍ରତିବର୍ଷ ଶୀତ ଦିନେ ଚିଲିକା ହ୍ରଦକୁ ବହୁସଂଖ୍ୟାରେ ବିଦେଶାଗତ ପକ୍ଷୀ ଆସିଥା’ନ୍ତି। କୋରାପୁଟର ଦେଓମାଳି ଶୈଳନିବାସ ସାରା ଦେଶରେ ଖ୍ୟାତି ଅର୍ଜନ କରିଥିବା ରାଜ୍ୟପାଳ କହିଥିଲେ। ସେ ଆହୁରି କହିଥିଲେ, କାଶୀ ଯେପରି ନିଜର ପବିତ୍ରତା ପାଇଁ ପ୍ରସିଦ୍ଧ ସେହିପରି ଓଡ଼ିଶାର ଲୋକମାନେ ମଧ୍ୟ ନିଜର ଧାର୍ମିକ ସ୍ୱଭାବ ଲାଗି ପରିଚିତ। ଐତିହ୍ୟଗ୍ରାମ ରଘୁରାଜପୁର ପଟ୍ଟଚିତ୍ର କଳାର ଉଦାହରଣ ଦେଇ ରାଜ୍ୟପାଳ କହିଥିଲେ ଓଡ଼ିଶା ନିଜର ହସ୍ତଶିଳ୍ପ ଓ ହସ୍ତତନ୍ତ ପାଇଁ ମଧ୍ୟ ପ୍ରସିଦ୍ଧି ଲାଭ କରିଛି। ଏହି ସୌଜନ୍ୟମୂଳକ ଆଲୋଚନା ସମୟରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି), ବାରଣାସୀର ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ପ୍ରଶାନ୍ତ କକ୍କର ରାଜ୍ୟପାଳଙ୍କୁ ବାରଣାସୀର ଜିଆଇ ଟ୍ୟାଗ ମାନ୍ୟତା ଲାଭ କରିଥିବା ସଫ୍ଟ ଷ୍ଟୋନ୍‌ ହାତୀ କଳାକୃତି ଉପହାର ସ୍ୱରୂପ ଦେଇଥିଲେ। ପିଆଇବି ଭୁବନେଶ୍ୱରର ନୋଡାଲ ଅଧିକାରୀ ତଥା ସହାୟକ ନିର୍ଦ୍ଦେଶକ ପାର୍ଥସାରଥୀ ମଲ୍ଲିକ ରାଜ୍ୟପାଳଙ୍କୁ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ।

Leave a Reply

Your email address will not be published. Required fields are marked *