ଜିଲ୍ଲା ସ୍ତରୀୟ ଆଶା, ଜନ ଆରୋଗ୍ୟ ସମିତି ସମ୍ମିଳନୀ ଅନୁଷ୍ଠିତ
ଯାଜପୁର, ୨୬/୦୩/୨୬: ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ମହାରାଜା ଯଯାତି କେଶରୀ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ପରିସରରେ ଜିଲ୍ଲା ସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ଜନ ଆରୋଗ୍ୟ ସମିତି, ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ୨୦୨୪-୨୫ ଆୟୋଜିତ ହୋଇଛି। ସ୍ୱାସ୍ଥ୍ୟ ସେବାରେ ଗୋଷ୍ଠୀ ସହଭାଗିତା ବିଷୟକୁ ନେଇ ଏହି ସଭା ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଯୋଗ ଦେଇଥିଲେ। ପରିବାର କଲ୍ୟାଣ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଶ୍ରୀ ଗୋପାଳ ଚନ୍ଦ୍ର ମଲ୍ଲିକ ସ୍ୱାଗତ ଅଭିଭାଷଣ ଦେଇଥିଲେ। ଜିଲ୍ଲାପାଳ ଶ୍ରୀ କର ନିଜ ବକ୍ତବ୍ୟରେ କହିଥିଲେ ଯେ ଗତ କିଛି ମାସ ମଧ୍ୟରେ ଜିଲ୍ଲାରେ ମାତୃ ମୃତ୍ୟୁ ହାର ନିୟନ୍ତ୍ରଣ କରିବାରେ ଆଶା କର୍ମୀଙ୍କ ବଡ଼ ଭୂମିକା ଅଛି। ସେବା ଓ ନିଷ୍ଠାପର ମନୋଭାବ ନେଇ କାର୍ଯ୍ୟ ସମ୍ପାଦନ କରିବା ପାଇଁ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ମେଡିକାଲ କଲେଜ୍ ଅଧ୍ୟକ୍ଷ ଶ୍ରୀ ସୀତାରାମ ମହାପାତ୍ର କହିଥିଲେ ଯେ ଗୋଟିଏ ସୁସ୍ଥ ସମାଜ ଗଢ଼ିବାର କାମ ମେଡିକାଲ କଲେଜର ଚାରି କାନ୍ଥ ଭିତରେ ନୁହେଁ, ବରଂ ଗ୍ରାମାଞ୍ଚଳରେ ତୃଣମୂଳ ସ୍ତରରେ ଆଶା ଓ ଏନଏଚଏମ୍ ସ୍ୱାସ୍ଥ୍ୟ କର୍ମୀଙ୍କ ଦ୍ୱାରା ସମ୍ଭବ ହୋଇଥାଏ। ମାତୃ ଓ ଶିଶୁ ମଙ୍ଗଳ, ଗର୍ଭକାଳୀନ ଯତ୍ନ, ସୁରକ୍ଷିତ ପ୍ରସବ, ପରିବାର କଲ୍ୟାଣ ଯୋଜନା, ଟୀକାକରଣ, ଏନିମିଆ ନିରାକରଣ, ସ୍ୱାସ୍ଥ୍ୟ

ସଚେତନତା, ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ଇତ୍ୟାଦି କ୍ଷେତ୍ରରେ ଆଶା କର୍ମୀଙ୍କ ଯୋଗଦାନ ଅତୁଳନୀୟ ବୋଲି ଡ. ମହାପାତ୍ର କହିଥିଲେ। ଯାଜପୁର ଜିଲ୍ଲାରେ ବିଗତ ଦିନରେ ହଇଜା ଭଳି ମହାମାରୀ ସମୟରେ ଆଶା ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଜୟ କୁମାର ମିଶ୍ର କହିଥିଲେ। ଆଶା କର୍ମୀ ମାନେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଆଶାର ଆଲୋକ ବୋଲି ଡାକ୍ତର ମିଶ୍ର କହିଥିଲେ। ଏହି ସମ୍ମିଳନୀରେ ମେଡିକାଲ କଲେଜ ଅଧିକ୍ଷକ ଡାକ୍ତର ମନୋରମା ସ୍ୱାଇଁ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରମେଶ ଚନ୍ଦ୍ର ମଲ୍ଲିକ, ଡାକ୍ତର ରଶ୍ମିରଞ୍ଜନ ସାହୁ, ଡିପିଏମ୍ ମଞ୍ଚରେ ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରେଷ୍ଠ ଆଶା କର୍ମୀ, ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି, ଜନ ଆରୋଗ୍ୟ ସମିତି ଏବଂ ତୃଣମୂଳ ସ୍ତରରେ ଉତ୍ତମ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ପୁରସ୍କାର ଓ ଆର୍ଥିକ ରାଶି ସହ ସମ୍ବର୍ଦ୍ଧିତ କରାଯାଇଥିଲା।
