ପି.ଏମ. ଶ୍ରୀ ବିଶ୍ୱମ୍ଭର ବିଦ୍ୟାପୀଠ
ପି.ଏମ. ଶ୍ରୀ ବିଶ୍ୱମ୍ଭର ବିଦ୍ୟାପୀଠରେ ‘ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ’ କାର୍ଯ୍ୟକ୍ରମ ଅନୁଷ୍ଠିତ
(ପୁରୀ )
ସାମଗ୍ରିକ ଶିକ୍ଷା ଓ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (OSEPA) ର ନିର୍ଦ୍ଦେଶକ୍ରମେ ପୁରୀସ୍ଥିତ ପି.ଏମ. ଶ୍ରୀ ବିଶ୍ୱମ୍ଭର ବିଦ୍ୟାପୀଠ ପରିସରରେ ନୂତନ ଶିକ୍ଷାବର୍ଷ ପାଇଁ ‘ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ’ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ନୂତନ ଶିକ୍ଷା ନୀତି (NEP-2020) ଅନୁଯାୟୀ ପ୍ରାଥମିକ ଶିକ୍ଷା ସହିତ ‘ଶିଶୁ ବାଟିକା’ ଶ୍ରେଣୀର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (DPRO) ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠି ଯୋଗଦେଇ କୁନି କୁନି ପିଲାଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବା ସହ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀମତୀ ଶୁଭଶ୍ରୀ ଦାଶଙ୍କ ସଭାପତିତ୍ୱ ଓ ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଖଡିଛୁଆଁ ସହିତ ମିଷ୍ଟାନ୍ନ, ପୁଷ୍ପଗୁଚ୍ଛ ଓ ପାଠ୍ୟୋପକରଣ ଦେଇ ସ୍ୱାଗତ କରାଯାଇଥିଲା।
ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି (SMC) ର ସଭାପତି, ସଦସ୍ୟବୃନ୍ଦ ଏବଂ ଅଭିଭାବକମାନେ ଉପସ୍ଥିତ ରହି ଶିଶୁମାନଙ୍କୁ ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପାର୍ବତୀ ଦାଶ, ସୁରେଶ ଚନ୍ଦ୍ର ତ୍ରିପାଠୀ,ପ୍ରତାପ କୁମାର ସାହୁ, ରଶ୍ମିତା ଦାଶ, ଓ ଟିକିନା ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

ସରକାରଙ୍କ ନିର୍ଦ୍ଦେଶାନୁସାରେ ବିଦ୍ୟାଳୟ ପରିସରରେ ଶିଶୁଙ୍କ ପାଇଁ ଉଦ୍ଦିଷ୍ଟ ‘ଖେଳିବା ସ୍ଥାନ’, ‘କଳା ଓ ସୃଜନଶୀଳ ସ୍ଥାନ’ ଏବଂ ‘କାହାଣୀ କହିବା ସ୍ଥାନ’ ଭଳି ସ୍ୱତନ୍ତ୍ର କୋଣ ଗୁଡ଼ିକୁ ଅତିଥି ଓ ଅଭିଭାବକମାନେ ବୁଲି ଦେଖିବା ସହ ଶିକ୍ଷାଦାନର ଏହି ଅଭିନବ ଶୈଳୀକୁ ପ୍ରଶଂସା କରିଥିଲେ। ଅନ୍ତିମରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମିଳିତ ସହଯୋଗରେ ଏହି ଉତ୍ସବଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।
