ପୁରୀଜିଲ୍ଲା ପୋଲିସ ପକ୍ଷରୁ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର
ପୁରୀ ଜିଲ୍ଲାରେ ଆଇନ ଓ ଶୃଙ୍ଖଳାକୁ ସୁଦୃଢ କରିବା ଏବଂ ସାଧାରଣ ଲୋକଙ୍କ ସୁରକ୍ଷାକୁ ନଜରରେ ରଖି, ତାଳବଣିଆ ଥାନା ପକ୍ଷରୁ ଭୁଦାନ ଜଙ୍ଗଲ ଅଞ୍ଚଳରେ ଦିନ-ରାତି ଚଢ଼ାଉ ଜୋରଦାର ଭାବରେ ଚାଲୁ ରହିଛି। ଏହି ଅଞ୍ଚଳରେ ଅସାମାଜିକ ବ୍ୟକ୍ତିମାନଙ୍କ ଚଳଚଳା ଓ ବିଭିନ୍ନ ଅବୈଧ କାର୍ଯ୍ୟକଳାପ ସମ୍ପର୍କରେ ମିଳୁଥିବା ସୂଚନାକୁ ଆଧାର କରି, ପୋଲିସ ପକ୍ଷରୁ ଏହି ବିଶେଷ ଅଭିଯାନ ଚାଲୁ ରଖାଯାଇଛି। ତାଳବଣିଆ ଥାନା ପୋଲିସ ଟିମ୍ ଦ୍ୱାରା ଜଙ୍ଗଲ ଅଞ୍ଚଳର ବିଭିନ୍ନ ସନ୍ଦେହଜନକ ସ୍ଥାନରେ ସଂଘଟିତ ଭାବରେ ସନ୍ଧାନ ଓ ଚେକିଂ କରାଯାଉଛି।ଏହା ସହିତ, ପୁରୀ ପୋଲିସ ଦ୍ୱାରା ଚାଲୁଥିବା “ଅପରେସନ୍ ଚକ୍ର” ଅଭିଯାନ ଅଧୀନରେ ଗତ ୧ ମାସ ମଧ୍ୟରେ ତାଳବଣିଆ ଥାନା ପକ୍ଷରୁ ବିଭିନ୍ନ କଠୋର ପଦକ୍ଷେପ ଗ୍ରହଣ କରାଯାଇଛି। ଗତ ଏକ ମାସ ମଧ୍ୟରେ ସାର୍ବଜନିକ ସ୍ଥାନରେ ମଦ୍ୟପାନ କରୁଥିବା ୩୭ ଜଣ ବ୍ୟକ୍ତିଙ୍କ ବିରୋଧରେ ପି.ଆର୍ (PR) ମାମଲା ରଜିଷ୍ଟର କରାଯାଇଛି। ଏହା ଦ୍ୱାରା ସାର୍ବଜନିକ ଶୃଙ୍ଖଳା ଓ ଶାନ୍ତି ଭଙ୍ଗ କରୁଥିବା ବ୍ୟକ୍ତିମାନଙ୍କୁ କଠୋର ସନ୍ଦେଶ ଦିଆଯାଇଛି। ଏହାସହ, ଭୁଦାନ ଜଙ୍ଗଲ ଅଞ୍ଚଳରୁ ଅବୈଧ କାର୍ଯ୍ୟକଳାପରେ ଜଡିତ ୨ ଜଣ ଅସାମାଜିକ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ଓ ସେମାନଙ୍କ ବିରୋଧରେ ଆଇନୀଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଛି। ସେହିପରି, ମଦ୍ୟପାନ କରି ଯାନ ଚଳାଇବା ଅପରାଧରେ ୨୬ଟି ଯାନବାହନକୁ ଜବତ କରାଯାଇଛି। ଏହା ମାଧ୍ୟମରେ ରୋଡ୍ ସେଫ୍ଟିକୁ ସୁନିଶ୍ଚିତ କରିବା ସହିତ ଦୁର୍ଘଟଣାକୁ ରୋକିବାରେ ପୋଲିସ ପକ୍ଷରୁ ସକ୍ରିୟ ପଦକ୍ଷେପ ନିଆଯାଉଛି। ଏହି ସମସ୍ତ ଅଭିଯାନ ତାଳବଣିଆ ଥାନାର ଅଧିକାରୀ ଶ୍ରୀ ଅଭିନବ ମିଶ୍ରଙ୍କ ନେତୃତ୍ୱରେ ସଫଳତାର ସହ ଚାଲିଛି। ସେମାନଙ୍କ ନିୟନ୍ତ୍ରଣ ଓ ପରିଚାଳନାରେ ପୋଲିସ ଟିମ୍ ଦ୍ୱାରା ଅଞ୍ଚଳରେ ଆଇନ ଶୃଙ୍ଖଳା ରକ୍ଷା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି।

ଏହି ଚଢ଼ାଉ ଓ ବିଶେଷ ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ । ଯେକୌଣସି ଅପରାଧମୂଳକ କାର୍ଯ୍ୟରେ ଜଡିତ ବ୍ୟକ୍ତିଙ୍କ ବିରୋଧରେ କଠୋର ଆଇନ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ। ପୁରୀ ପୋଲିସ ସାଧାରଣ ଲୋକଙ୍କୁ ନିବେଦନ କରୁଛି ଯେ, ସେମାନେ କୌଣସି ସନ୍ଦେହଜନକ ଚଳଚଳା କିମ୍ବା ଅବୈଧ କାର୍ଯ୍ୟ ବିଷୟରେ ତୁରନ୍ତ ପୋଲିସକୁ ୧୧୨ରେ ସୂଚନା ଦେବାପାଇଁ ଅନୁରୋଧ କରାଯାଇଛି । ଜନସାଧାରଣଙ୍କ ସହଯୋଗ ଦ୍ୱାରା ଅପରାଧ ନିୟନ୍ତ୍ରଣ ଓ ଶାନ୍ତି ପ୍ରତିଷ୍ଠା ଅଧିକ ସୁଦୃଢ ହେବ। ପୁରୀ ପୋଲିସ ସଦା ସର୍ବଦା ସାଧାରଣ ଲୋକଙ୍କ ସୁରକ୍ଷା ଓ ସେବା ପାଇଁ ପ୍ରତିବଦ୍ଧ ଅଟେ।
