ପୁରୀ ଜିଲ୍ଲାର ସମସ୍ତ ଥାନାରେ ଜଳଛତ୍ର ଉଦଘାଟନ

ପୁରୀ ଜିଲ୍ଲାରେ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ସମସ୍ତ ଥାନା ଅଞ୍ଚଳରେ ଜଳଛତ୍ର ଖୋଲାଯାଇଛି। ଏହି ଉଦ୍ୟମର ମୂଳ ଉଦ୍ଦେଶ୍ୟ ହେଉଛି ଥାନାକୁ ଆସୁଥିବା ସାଧାରଣ ଲୋକମାନେ ଏବଂ ରାସ୍ତାରେ ଯାତାୟାତ କରୁଥିବା ଜନସାଧାରଣଙ୍କୁ ତୀବ୍ର ଗ୍ରୀଷ୍ମ ତାପରୁ କିଛି ସହଜତା ଓ ଶିତଳତା ପ୍ରଦାନ କରିବା। ଅଧିକ ତାପମାତ୍ରାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି, ଯାହା ଲୋକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ସୁବିଧାକୁ ସୁନିଶ୍ଚିତ କରିବ। ଏହି କାର୍ଯ୍ୟକ୍ରମର ଉଦ୍ଘାଟନ ପୁରୀ ସହରର ଟାଉନ, ସମୁଦ୍ରକୁଳ ଓ ତାଳବଣିଆ ଥାନାରେ ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ ନେତୃତ୍ୱରେ ଶୁଭାରମ୍ଭ ହୋଇଥିଲା। ଏହି ଅବସରରେ ବିଭିନ୍ନ ପୋଲିସ ଅଧିକାରୀ, ସ୍ଥାନୀୟ ପ୍ରଶାସନର ପ୍ରତିନିଧିମାନେ ଏବଂ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ। ସେହିପରି, ଜିଲ୍ଲାର ସମସ୍ତ ଥାନାରେ ସ୍ଥାନୀୟ ଥାନା ଅଧିକାରୀମାନେ ନିଜେ ଉପସ୍ଥିତ ରହି ଜଳଛତ୍ର ଉଦ୍ଘାଟନ କରିଛନ୍ତି ଏବଂ ଏହି ଜନସେବାମୂଳକ ପଦକ୍ଷେପକୁ ସୁଚାରୁ ଭାବେ ଆରମ୍ଭ କରିଛନ୍ତି। ଜଳଛତ୍ରରେ ଟଙ୍କ ତୋରାଣି, ଦହି ସର୍ବତ, ଥଣ୍ଡା ପାଣି, ପଣା ଓ ଅନ୍ୟାନ୍ୟ ଶିତଳ ପାନୀୟର ବ୍ୟବସ୍ଥା ରହିଛି, ଯାହା ଦ୍ୱାରା ରାସ୍ତାରେ ଯାତ୍ରା କରୁଥିବା ଲୋକମାନେ, ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ ଏବଂ ପ୍ରଯ୍ୟଟକମାନେ ତାପରୁ ଅଲ୍ପ ବିରତି ଓ ସୁବିଧା ଅନୁଭବ କରିପାରୁଛନ୍ତି। ବିଶେଷ କରି ପୁରୀ ଭଳି ଧାର୍ମିକ ଏବଂ ପର୍ଯ୍ୟଟନ ସ୍ଥଳରେ ଏହି ପଦକ୍ଷେପ ଲୋକମାନଙ୍କ ପାଇଁ ବହୁତ ଉପକାରୀ ହେଉଛି।

ଉଲ୍ଲେଖନୀୟ ଯେ, ଆଜି ମହାବିଶୁବ ସଂକ୍ରାନ୍ତି (ପଣା ସଂକ୍ରାନ୍ତି), ହନୁମାନ ଜୟନ୍ତୀ ଏବଂ ଓଡ଼ିଆ ନବବର୍ଷ ପବିତ୍ର ଅବସରରେ ଏହି ଜଳଛତ୍ର ବ୍ୟବସ୍ଥା କରାଯାଇଛି। ପରମ୍ପରାଗତ ଭାବେ ଏହି ଦିନଠାରୁ ଗ୍ରୀଷ୍ମ ତାପର ତୀବ୍ରତା ବୃଦ୍ଧି ପାଉଥାଏ, ଯାହାକୁ ଦୃଷ୍ଟିରେ ରଖି ପୁରୀ ପୋଲିସ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ପୁରୀକୁ ଆସୁଥିବା ପ୍ରଯ୍ୟଟକ ଓ ଭକ୍ତମାନେ ଏହି ବ୍ୟବସ୍ଥାକୁ ଅନୁଭବ କରି ଖୁସି ବ୍ୟକ୍ତ କରିଛନ୍ତି। ସେମାନେ ପୁରୀ ପୋଲିସଙ୍କ ଏହି ଉଦ୍ୟମକୁ ସ୍ୱାଗତ କରି ଏହାକୁ ଏକ ସ୍ୱାଗତଯୋଗ୍ୟ ଏବଂ ମାନବିକ ପଦକ୍ଷେପ ବୋଲି କହିଛନ୍ତି। ଏହା ସହିତ ସାଧାରଣ ଜନତା ମଧ୍ୟ ପୋଲିସ ପକ୍ଷରୁ ଏପରି ସେବାମୂଳକ କାର୍ଯ୍ୟକୁ ଉଚ୍ଚ ସ୍ତୁତି କରିଛନ୍ତି। ପୁରୀ ପୋଲିସ ସଦା ଜନସାଧାରଣଙ୍କ ସୁରକ୍ଷା ସହିତ ସେବା ଦାନରେ ନିବିଡ଼ ଭାବରେ କାର୍ଯ୍ୟରତ। ଏପରି ଜନସେବାମୂଳକ କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *