ଏଇ ମନ ବୃନ୍ଦାବନ ଏଇ ମନ କାଶୀ

ଏଇ ମନ ବୃନ୍ଦାବନ ଏଇ ମନ କାଶୀ
           ( ରାଗ — ରସକୁଲ୍ୟା )

  ✍🏼କବିରତ୍ନ ନୂତନ କୁମାର ବେହେରା

ସୃଷ୍ଟିରେ ପ୍ରକୃତି ରୂପ ସୁନ୍ଦର
             ପ୍ରତିକ୍ଷଣ ହୁଏ ତା’ ରୂପାନ୍ତର,
ପ୍ରାଣେ ଭରି ଦିଏ ସଦା ପୁଲକ
     ବିଧି ବିଧାନରେ ହୋଇ ପାଳକ ସେ,
ଏଇ ମନ ବୃନ୍ଦାବନ ଯେ
ଏଇ ମନ କାଶୀ ଦିବ୍ୟତ୍ୱ ପ୍ରକାଶି
ସକଳ ବିଷାଦ ଦିଅଇ ନାଶି ଯେ ।୧।
  
ଶରୀର ଭିତରେ ରହିଛି ମନ
       ଦେଖେ ନିତି ଦିନ କେତେ ସପନ,
ହୃଦୟରେ କରି ତା’ ଅନୁଭବ
     ଆଶା ପୂରଣରେ ରଖଇ ଭାବ ସେ,
ଦିଏ ଉତ୍ସାହ ପ୍ରେରଣା ଯେ
   ନିଏ କର୍ମ ପଥେ ରହି ସାଥେ ସାଥେ
କରେ ନାହିଁ କେବେ ଊଣା ଯେ ।୨।

ଜୀବର ଜୀବନେ ସେ ସହାୟକ
      ଅନ୍ଧାର ଦୂରାଇ ଆଣେ ଆଲୋକ,
ଅନ୍ତରରେ ଜାଳେ ଜ୍ଞାନ ଦୀପକ
    ପରମାତ୍ମାଙ୍କର ହୋଇ ପ୍ରତୀକ ସେ,
କରେ ବିବେକ ବିଚାର ଯେ
     ବୁଦ୍ଧିର କୌଶଳେ ରୁହଇ ମଙ୍ଗଳେ
କର୍ମ କରି ନିରନ୍ତର ଯେ ।୩।

ଜୀବ ଅଟେ ରାଧା କାହ୍ନା ଜୀବାତ୍ମା
           ତଉଲି ହୁଏନା ତାଙ୍କ ମହିମା,
ଶରୀର ଘଟରେ କରନ୍ତି ରାସ
   ଅନନ୍ତ ଜ୍ୟୋତିର ଦିବ୍ୟ ପ୍ରକାଶ ସେ,
ଏଇ ମନ ବୃନ୍ଦାବନ ଯେ
       ରାଧାକୃଷ୍ଣ ବିନା ମିଳେନା କରୁଣା
ପାଳନେ ରଖନ୍ତି ଧ୍ୟାନ ଯେ ।୪।

କାଶୀ ବନାରସେ ସେ ବିଶ୍ଵନାଥ
ଶିବ ମହାଦେବ ଦେଖାନ୍ତି ପଥ,
ଦର୍ଶନ କରନ୍ତି ଭକତ ବୃନ୍ଦ
ଲଢ଼ିବାକୁ ସୁଖ ଶାନ୍ତି ଆନନ୍ଦ ସେ,
ମନ ଚିନ୍ତି ରଖେ ଧ୍ୟାନ ଯେ
ମନ ବୃନ୍ଦାବନ କାଶୀ ପୁଣ୍ୟ ସ୍ଥାନ
ତା’ ଭାବେ ଚାଲେ ଜୀବନ ଯେ।୫।

ମୋହରେ ଆସକ୍ତ ହୋଇଲେ କ୍ଳେଶ
ଆସଇ ମନକୁ ହୁଏନା ଶେଷ,
ବିଚଳିତେ ହୁଏ ବ୍ୟସ୍ତ ବିବ୍ରତ
ମାୟା ମିଛେ ପଡ଼ି ରହେ ସତତ ସେ,
ମୋହରେ ମିଳେନା ମୋକ୍ଷ ଯେ
ତ୍ୟାଗରେ ପ୍ରସନ୍ନ ରୁହଇ ମନ
ଲଭଇ ପରମ ସୁଖ ଯେ।୬।

ସତ୍ୟର ଆଶ୍ରୟେ ମିଳଇ ପୁଣ୍ୟ
      ମାୟାରେ ପଡ଼ିଲେ ସବୁ ତ ଶୂନ୍ୟ,
ସାଧନାରେ ରହି ହୁଅଇ ସିଦ୍ଧ
     ଜୀବନ ପଥକୁ କରେ ଅବାଧ ସେ,
ମନ ବୃନ୍ଦାବନ କାଶୀ ଯେ
    ଭାବ ନେଇ ଭାଷା ଆସଇ ଭରସା
ଜ୍ୟୋତି ବୁଣେ ଦିବା ନିଶି ଯେ ।୭।

 ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *