ଆଖି ପଢ଼ିପାରେ ମୁହଁର ଭାଷା
ଆଖି ପଢ଼ିପାରେ ମୁହଁର ଭାଷା
🖊️କବିରତ୍ନ ନୂତନ କୁମାର ବେହେରା
ହସ ଲୁହର ଜୀବନେ ଆଖି କେବଳ ଦେଖେ ନାହିଁ
ବୁଝିଥାଏ ହୃଦୟର ଅସହ୍ୟ ବ୍ୟଥା
ଭାବ ବିନିମୟେ ପାଇବାକୁ ଟିକିଏ ସାନ୍ତ୍ଵନା
ପାଖକୁ ଆସି ଜଣେ ଆଣ୍ଠୁ ଭାଙ୍ଗି ହେଉଥାଏ ନେହୁରା
ଜଣାଏଁ ନୀରବେ ଅନେକ ଅକୁହା କଥା
ବୁଝି ତା’ ଭାବ…ଦେଲେ ଆଶ୍ଵାସନା ସଦୟେ
ତରି ଯାଏ ସେ ପାଇ ଉତ୍ସାହ ପ୍ରେରଣା
ସେଇଥି ପାଇଁ ତ ଅପଲକରେ ଚାହିଁଥାଏ
ନିଜ ଲୋକଙ୍କୁ ଅବା କେହି ଅତିଥି ଅଭ୍ୟାଗତଙ୍କୁ
ସେ ହୋଇ ଥାଉ ଚିହ୍ନା ଜଣା ପରିଚିତ କେହି
ଅବା ଅଚିହ୍ନା ଅଜଣା ଆଗନ୍ତୁକ
ସମ୍ବେଦନା ପାଇବାକୁ ଚାହେଁ ଏକ ଲୟେ
ସାମ୍ନାରେ ଦେଖୁଛି ଯାହାକୁ ସେ ହେବ କି ସାହା
ଯଦି ସେ ନ କହେ ସଂକୋଚରେ ବା କୁଣ୍ଠାବୋଧରେ
ହୃଦୟବାନ ଯିଏ ଆସି ପଚାରେ ବିନୟେ
ଅନୁଭବ କଲେ ପ୍ରାଣର ପିଡ଼ା ବା ଜଟିଳ ସମସ୍ୟା
ନ କହିଲେ ମଧ୍ୟ ଦେଖି ଜାଣି ନିଏ
କାରଣ ଆଖି ପଢ଼ିପାରେ ମୁହଁର ଭାଷା
ଯିଏ ହେଉ ଯେଉଁ ଭାଷାଭାଷୀର ଯେଉଁ ଦେଶର
ମୁହଁ ତାର କହିଦିଏ …ପାରେନା ସେ ଲୁଚାଇ
ଜୀବନର ପରିଭାଷା ତ ଏକ …ମୁହେଁ ହୁଏ ପ୍ରକାଶିତ
ସେ ସାକ୍ଷର ହେଉ କି ନିରକ୍ଷର ଅପାଠୁଆ
ତାର ଆଖି ପଢ଼ି ପାରେ ମୁହଁର ଭାଷା
ହୋଇଥିଲେ ପରୋପକାରୀ ମହତ ମଣିଷଟିଏ
ବଢ଼ାଏ ସେ ସହାନୁଭୂତିର ହାତ ହୁଏ ପାଖରେ ଠିଆ
ଆଖି ମନର ଏକ ସ୍ଵଚ୍ଛ ମସୃଣ ଦର୍ପଣ
ତହିଁରେ ପ୍ରତିବିମ୍ବିତ ହେଉଥାଏ ଯେଉଁ ଛବି
ତା’ ଭାଷା ରୂପେ ଜଣାଇ ଦିଏ ସେ ଚାହୁଁଛି କଣ
କିନ୍ତୁ ସଭିଏଁ ନୁହଁନ୍ତି ବିଚାରରେ ନିରପେକ୍ଷ
ଦେଖୁ ଦେଖୁ ଏଡ଼ି ଦେଇ ଚାଲି ଯାଆନ୍ତି ଆଡ଼େଇ
ଯଦିଓ ତାଙ୍କ ଆଖି ପଢ଼ିପାରେ ମୁହଁର ଭାଷା
ପଢ଼ିଲେ କିବା ଲାଭ…ନ ବୁଝିଲେ ଦୁଃଖ ଦୈନ୍ୟତା
ସୁଖରେ ବରଂ ଠିଆ ନ ହେଉ କେହି
ଦୁଃଖରେ ପାଶେ ରହିଲେ ବଢ଼େ ଆତ୍ମବିଶ୍ଵାସ
ଭାସିଗଲା ଲୋକ ବି ଖୋଜେ କୁଟା ଖିଅଟିର ଆଶ୍ରା
ମଣିଷ ହୋଇ ନ ଚିହ୍ନିଲେ ମଣିଷର ମନକୁ
ନ ଚାହିଁ ଥରରୁଟିଏ ଆର୍ତ୍ତଜନର ମୁହଁକୁ
ସେ ଆଖି…ଆଖି ନୁହେଁ…କାଚର ଦୁଇଟି ଗୋଲା
ସେଇ ମଣିଷ ଉପରର ଚେହେରା ଦେଖି
ଜାଣିଥାଏ ଯେ ଅନ୍ତରର ଅନ୍ତର୍ଦାହକୁ…ଦିଏ ସାହସ
କିଛି ନ କହିଲେ ବି ତାକୁ ହୋଇଥାଏ ଆପଣାର
ବୁଝିଥାଏ ଦୁଃଖୀର ଦୁଃଖ ଦୁର୍ଦ୍ଦଶା
ଅନ୍ୟର ଜୀବନକୁ ଭାବେ ନିଜ ଜୀବନ ପରି
କହିବାକୁ ପଡ଼େନାହିଁ ଦେଖିଲେ ସହଜେ ଜାଣିଯାଏ
ତାର ଦୁଇ ଆଖି ପଢ଼ିପାରେ ମୁହଁର ଭାଷା…।
ପ୍ରତିଷ୍ଠାତା ଓ ମୁଖ୍ୟ ସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
