ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର
*‘ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର’ର ଦ୍ଵିତୀୟ ଦିବସ ଯୋଗ,ଯଜ୍ଞ, ନୈତିକ ଶିକ୍ଷା, ମୂଲ୍ୟବୋଧ,ସ୍ୱଧର୍ମ, ସ୍ୱରାଷ୍ଟ୍ର,ସ୍ୱ ଜାଗରଣ ଓ ସ୍ୱ ଦେଶପ୍ରେମରେ ଉଦବୁଦ୍ଧ ହେଲେ ଶିବିରାର୍ଥୀ*। —————————————-ନୟାଗଡ଼, ୯/୦୫: ନୟାଗଡ଼ ହାଉସିଂବୋର୍ଡ କଲୋନୀ ନିକଟସ୍ଥ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ଚାଲିଥିବା ତ୍ରିଦିବସୀୟ “ବିଦ୍ୟାର୍ଥୀ ଜୀବନ ନିର୍ମାଣ ଶିବିର”ର ଦ୍ଵିତୀୟ ଦିବସ ଶନିବାର ଦିନ ବିଭିନ୍ନ ଆଧ୍ୟାତ୍ମିକ, ନୈତିକ ଓ ପ୍ରେରଣାଦାୟକ କାର୍ଯ୍ୟକ୍ରମ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ, ଚରିତ୍ର ଗଠନ ଓ ମୂଲ୍ୟବୋଧ ଭିତ୍ତିକ ଶିକ୍ଷାକୁ ନେଇ ଦିନବ୍ୟାପୀ ବିଭିନ୍ନ ଅଧିବେଶନ ଆୟୋଜିତ ହୋଇଥିଲା। ସକାଳ ୫.୩୦ ରୁ ପ୍ରାର୍ଥନା ଓ ଯୋଗାଭ୍ୟାସ ସହ ଦ୍ଵିତୀୟ ଦିବସର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଯୋଗ ମାଧ୍ୟମରେ ଶରୀର ଓ ମନର ସନ୍ତୁଳନ ରକ୍ଷା କରି ସୁସ୍ଥ ଜୀବନ ଗଢ଼ିବାକୁ ପ୍ରଶିକ୍ଷକମାନେ ବିଦ୍ୟାର୍ଥୀ ଶିଶୁ,ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ପରାମର୍ଶ ଦେଇଥିଲେ। ଯୋଗ, ପ୍ରାଣାୟମ କାଳାଂଶ ପରେ ବିଦ୍ୟାଳୟ ତରଫରୁ ପୂର୍ବାହ୍ନ ୮ଟା ରୁ ୯.୩୦ ପର୍ଯ୍ୟନ୍ତ ପଞ୍ଚକୁଣ୍ଡୀୟ ଗାୟତ୍ରୀ ଯଜ୍ଞର ଆୟୋଜନ କରାଯାଇଥିଲା। ଏହି ଘୃତ ଯଜ୍ଞରେ ସମସ୍ତ ଶିବିରାର୍ଥୀ ଓ ଗୁରୁଜୀ – ଗୁରୁମାମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲାବେଳେ ଶିବିରାର୍ଥୀ ମାନେ ସେମାନଙ୍କର ତିନିଗୋଟି ମନ୍ଦ ଅଭ୍ୟାସକୁ ପରିତ୍ୟାଗ କରି ଯଜ୍ଞରେ ଆହୁତି ଦେଇ ଜୀବନରେ ଭଲ ମଣିଷ ହେବା ପାଇଁ ସଙ୍କଳ୍ପ ନେଇଥିଲେ। ବିଶେଷ କରି ସ୍ୱଧର୍ମ, ସ୍ୱରାଷ୍ଟ୍ର,ସ୍ୱ ଜାଗରଣ ଓ ସ୍ୱ ଦେଶପ୍ରେମ ବିଷୟ ରେ ଶିକ୍ଷା ଦାନ କରାଯାଇଥିଲା। ପରବର୍ତ୍ତୀ ଅଧିବେଶନରେ ନୈତିକ, ବୌଦ୍ଧିକ ଶିକ୍ଷା ଓ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଉପରେ ଆଲୋଚନା କରାଯାଇଥିଲା। ଶିଶୁମାନଙ୍କ ମନରେ ସତ୍ୟନିଷ୍ଠା, ଅନୁଶାସନ, ଗୁରୁଭକ୍ତି, ଦେଶପ୍ରେମ ଓ ସେବାଭାବ ଭଳି ଗୁଣର ବିକାଶ ଆଜିର ସମୟରେ ଅତ୍ୟନ୍ତ ଆବଶ୍ୟକ ବୋଲି ବିଶିଷ୍ଟ ବକ୍ତା ଅବସରପ୍ରାପ୍ତ ଭାରତୀୟ ନୌସେନା କର୍ମଚାରୀ ତଥା ବିଶିଷ୍ଟ ମଞ୍ଚ ଉପସ୍ଥାପକ ଗୋପୀନାଥ ସେଠୀ ଆଲୋଚନା କରିଥିଲା ବେଳେ ବିଶିଷ୍ଟ ସାହିତ୍ୟିକ, ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ବାଣ୍ଠ ସଫଳ ଜୀବନର ଅନେକ ସ୍ୱର୍ଣ୍ଣିମ ସୂତ ଉପରେ ଆଲୋକପାତ କରିଥିଲେ। ମଧ୍ୟାହ୍ନ ବିରତି ପରେ ଅପରାହ୍ନ ୩.୩୦ ରୁ ୪.୩୦, ଦୀର୍ଘ ଘଣ୍ଟାଏ କାଳ ସମସ୍ତ ଶିବିରାର୍ଥୀଙ୍କୁ ନେଇ କୁଇଜ୍ ଓ ଡ୍ରଇଂ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ ଶ୍ରେଷ୍ଠ ପ୍ରତିଭା ଚୟନ କରାଯାଇଥିଲା। ପରେପରେ ବିଦ୍ୟାଳୟ ପରିସରରେ ସଂଧ୍ୟା ପର୍ଯ୍ୟନ୍ତ ପ୍ରତିଷ୍ଠିତ ଶାରିରୀକ ପ୍ରଶିକ୍ଷକ ମାନଙ୍କ ଦ୍ଵାରା ଶିବିରାର୍ଥୀଙ୍କୁ ଶାରିରୀକ ପ୍ରଶିକ୍ଷଣ ଦିଆଯାଇଥିଲା। ଏହିଭଳି ଭାବେ ଦିନ ତମାମ୍ ଅନୁଭବୀ ବକ୍ତାମାନେ ଛାତ୍ରଛାତ୍ରୀଙ୍କୁ ଜୀବନରେ ସଫଳତା ପାଇଁ ଲକ୍ଷ୍ୟ ନିର୍ଦ୍ଧାରଣ, ସମୟର ସଦୁପଯୋଗ, ଆତ୍ମବିଶ୍ୱାସ ଓ ସକାରାତ୍ମକ ଚିନ୍ତାଧାରାର ଆବଶ୍ୟକତା ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ସନ୍ଧ୍ୟାରେ ଭଜନ, କୀର୍ତ୍ତନ ଓ ଠାକୁରଙ୍କ ଆଳତୀ କାର୍ଯ୍ୟକ୍ରମ ମାଧ୍ୟମରେ ସମଗ୍ର ପରିବେଶ ଭକ୍ତିମୟ ହୋଇଉଠିଥିଲା। ବିଦ୍ୟାଳୟର ଦିଲ୍ଲୀପ ଗୁରୁଜୀଙ୍କ ନେତୃତ୍ୱରେ ଆୟୋଜିତ ଏହି ଆଳତୀ କାର୍ଯ୍ୟକ୍ରମରେ ୨୦୦ ଶିବିରାର୍ଥୀ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ। ଶିବିରକୁ ସଫଳ କରିବାରେ ବିଦ୍ୟାଳୟର ସମସ୍ତ ସେବାବ୍ରତୀ ଗୁରୁଜୀ, ଗୁରୁମା ଓ କର୍ମକର୍ତ୍ତାମାନେ ସକ୍ରିୟ ସହଯୋଗ କରିଥିଲା ବେଳେ ଆସନ୍ତାକାଲି ମାଆ ଦିବସ ପାଳନ ସହିତ ଉଦଯାପନ ଉତ୍ସବ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଥିଲା।
