ଚେୟାର ପାଇଁ କାମ କରେନି।ନିମାପଡ଼ା ଲୋକଙ୍କ ପାଇଁ କାମ କରେ-ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ
ନିମାପଡ଼ା , ଉତ୍କର୍ଷ ନିମାପଡ଼ା ୨.୦ କାର୍ଯ୍ୟକ୍ରମରେ ଯୋଗଦେଇ ଦୁଇ ବର୍ଷର ବିକାଶର ହିସାବ ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସ୍ଥାନୀୟ ପୂର୍ଣ୍ଣେଶ୍ୱରୀ ମନ୍ଦିର ସମ୍ମୁଖରେ ଆୟୋଜିତ ଏହି ସମ୍ମିଳନୀରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଉପରେ ସେ ଆଲୋକପାତ କରିଥିଲେ। ଏଥିସହ ବିଭିନ୍ନ କ୍ଷେତ୍ରରେ ଭାଗ ନେଇଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ସମ୍ମାନିତ କରାଯାଇଥିଲା। ଗତ ଦୁଇ ବର୍ଷ ମଧ୍ୟରେ ନିମାପଡ଼ା ନିର୍ବାଚନ ମଣ୍ଡଳୀରେ ପ୍ରାୟ ୨୨୦୦ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାମ ସମ୍ପନ୍ନ ହୋଇଛି। ଅବଶିଷ୍ଟ କାର୍ଯ୍ୟଗୁଡ଼ିକ ମଧ୍ୟ ଶୀଘ୍ର ସମାପ୍ତ କରାଯିବ ବୋଲି ସେ ପ୍ରତିଶୃତି ଦେଇଥିଲେ। ଏହି ଅବସରରେ କ୍ରୀଡ଼ା ଓ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗ ଦେଇ ଉତ୍କର୍ଷ ନିମାପଡ଼ା ପାଇଁ ସ୍ଥାନୀୟ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସର୍ବଦା ଚେଷ୍ଠିତ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧି ଏବଂ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।ଶିକ୍ଷା, ଗମନାଗମନ, ସୁଭଦ୍ରା ଯୋଜନା, ଗ୍ରାମ ଓ ସହର ବିକାଶ ନିମାପଡ଼ାକୁ ଏକ ଆଦର୍ଶ ନିର୍ବାଚନ ମଣ୍ଡଳୀ ଭାବେ ଗଢ଼ି ତୋଳିବା ତାଙ୍କର ଲକ୍ଷ୍ୟ। ଲୋକଙ୍କ ସମସ୍ୟା ସମାଧାନ ପାଇଁ ତାଙ୍କର ପ୍ରୟାସ ଆଗାମୀ ଦିନରେ ଜାରି ରହିବ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଶତାଧିକ ବିଜେପି କର୍ମୀଙ୍କ ସହ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ଥଲେ।
