ଭାରତୀୟ ଯୋଗ ସଂସ୍ଥାନ, ନୟାପଲ୍ଲୀ ଯୋଗ ଜିଲ୍ଲା, ଓଡ଼ିଶା ତରଫରୁ ତିନି ଦିନିଆ “ଯୁବ ସଂସ୍କାର ନିର୍ମାଣ ଶିବିର ” ର ସଫଳ ଆୟୋଜନ
ଭୁବନେଶ୍ୱର, ୧୨ ଜୁନ ୨୦୨୬ : ଭାରତୀୟ ଯୋଗ ସଂସ୍ଥାନ, ଓଡ଼ିଶା ପ୍ରାନ୍ତର ନୂଆପଲ୍ଲୀ ଯୋଗ ଜିଲ୍ଲା ପକ୍ଷରୁ ସ୍ଥାନୀୟ ଇନ୍ଦ୍ରଧନୁ ପାର୍କ ଠାରେ ଆୟୋଜିତ ତିନି ଦିନିଆ “ଯୁବ ସଂସ୍କାର ନିର୍ମାଣ ଶିବିର” ସଫଳତାର ସହ ସମାପ୍ତ ହୋଇଯାଇଛି । ଏହି ଶିବିର ଦୁଇଦିନ ଧରି ଇନ୍ଦ୍ରଧନୁ ପାର୍କ ରେ ହୋଇଥିବା ବେଳେ , ଗୋଟିଏ ଦିନ ଏନ୍ ୧ ସ୍ଥିତ ସ୍ଥାନୀୟ ଆବାସିକ ପ୍ରାଇମେରୀ ବିଦ୍ୟାଳୟରେ କରାଯାଇଥିଲା । ଶିବିରରେ ୮ ରୁ ୧୫ ବର୍ଷ ବୟସର ପ୍ରାୟ ୬୦ଜଣ ରୁ ଊର୍ଦ୍ଧ୍ଵ ଶିଶୁ ଓ କିଶୋର-କିଶୋରୀ ଅଂଶଗ୍ରହଣ କରିଥିଲେ । ଶିବିରର ଉଦ୍ଘାଟନ ଦିବସରେ ଓଡ଼ିଶା ପ୍ରାନ୍ତ ସଂଗଠନ ମନ୍ତ୍ରୀ ଅକ୍ଷୟ କୁମାର ସ୍ୱାଇଁ, ପ୍ରାନ୍ତ ସଦସ୍ୟା ଶ୍ରୀମତୀ ମଞ୍ଜୁଳା ମିଶ୍ର, ଜିଲ୍ଲା ଅଧିକାରୀ ଶ୍ରୀ ଜ୍ୟୋତିର୍ମୟ ରଥ, ଶ୍ରୀ ରାମ କିଶୋର ଶର୍ମା, ଶ୍ରୀମତୀ ମମତା ଦାଶ ଙ୍କ ସମେତ , ସ୍ଥାନୀୟ କର୍ପୋରେଟର ଶ୍ରୀ ଶୁଭ୍ରାଂଶୁ ଶେଖର ପଟ୍ଟନାୟକ ଯୋଗ ଦେଇ ଏ ସଂପର୍କିତ ବହୁ ମୂଲ୍ୟବାନ ଉପଦେଶ ପ୍ରଦାନ କରିଥିଲେ । ଦ୍ୱିତୀୟ ଦିବସରେ ଓଡ଼ିଶା ପ୍ରାନ୍ତ ପ୍ରଧାନ ଶ୍ରୀ ସୁରେଶ କୁମାର ମହାପାତ୍ର ଯୋଗ ଦେଇ ଯୁବବର୍ଗ ଓ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆଜିର ଯୁବପିଢ଼ିଙ୍କ ମଧ୍ୟରେ ଅନୁଶାସନ, ଶୃଙ୍ଖଳିତ ଜୀବନଶୈଳୀ, ଭାରତୀୟ ସଂସ୍କୃତି ଓ ପରମ୍ପରା ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ସମ୍ପର୍କରେ ସଚେତନ କରିବା । ଆଧୁନିକ ଜୀବନଶୈଳୀରେ ଏହି ମୂଲ୍ୟବୋଧ କ୍ରମଶଃ ହ୍ରାସ ପାଉଥିବାକୁ ଦୃଷ୍ଟିରେ ରଖି ଯୁବପିଢ଼ିଙ୍କୁ ଏକ ସୁସ୍ଥ ଓ ସୁସଂସ୍କୃତ ସମାଜର ଦୃଢ଼ ସ୍ତମ୍ଭ ଭାବେ ଗଢ଼ି ତୋଳିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ପରିପେକ୍ଷୀରେ ଅଧିକାରୀ ଏବଂ ଖାଦ୍ୟ ବିଶେଷଜ୍ଞ ଶ୍ରୀମତୀ ନୀଳିମା ମିଶ୍ର , ସନ୍ତୁଳିତ ଖାଦ୍ୟ ବିଷୟରେ ବିଶେଷ ଭାବେ ଆଲୋକପାତ କରିଥିଲେ । ତିନି ଦିନ ଧରି ଏହି ଶିବିରରେ ଯୋଗାଭ୍ୟାସ, ସଂସ୍କାର ପରମ୍ପରା, ଏବଂ ନୈତିକ ଶିକ୍ଷା ଦିଆଯାଇଥିଲା । ପରିବେଶ ସୁରକ୍ଷା , ଶୃଙ୍ଖଳା, ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଗଳ୍ପ ମାଧ୍ୟମରେ ସେମାନଙ୍କ ମଧ୍ୟରେ ଉତ୍ତମ ଗୁଣର ପରିଭାଷା କୁ ହୃଦୟଙ୍ଗମ କରାଯିବା ସହ , ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ବିଭିନ୍ନ ପ୍ରତିଯୋଗିତାମୂଳକ ଆୟୋଜନ ମାଧ୍ୟମରେ ପରିବେଶ ସୁରକ୍ଷା ଏବଂ ଶିଶୁମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ , ଇନ୍ଦ୍ରଧନୁ ପାର୍କ ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରର ଶିକ୍ଷକ ଶ୍ରୀ କିଶୋର ଚରଣ ପରିଡ଼ା ପ୍ରମୁଖ ଭୂମିକା ନେଇଥିଲେ । ନୟାପଲ୍ଲୀ ଯୋଗ ଜିଲ୍ଲାର ଅଧିକାରୀମାନେ ସକ୍ରିୟ ଭୂମିକା ଗ୍ରହଣ କରି ପିଲାମାନଙ୍କ ପ୍ରତିଭାକୁ ଉତ୍ସାହିତ କରିବା ପାଇଁ ପୁରଷ୍କାର ମଧ୍ୟ ବଣ୍ଟନ କରିଥିଲେ । ଅଂଶଗ୍ରହଣକାରୀ ଶିଶୁମାନେ ଶିବିରରୁ ଅନେକ ଶିକ୍ଷଣୀୟ ଓ ପ୍ରେରଣାଦାୟକ ଅନୁଭୂତି ଲାଭ କରିଥିବା ବେଳେ ଆୟୋଜକମାନେ ଭବିଷ୍ୟତରେ ଅଧିକ ସଂସ୍କାରମୂଳକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି ।
