ଶେଷ ସାବିତ୍ରୀ ଉପହାର

“ଶେଷ ସାବିତ୍ରୀ ଉପହାର”🌹* ପ୍ରମୋଦ କୁମାର ପ୍ରଧାନ ନାଗପୁରା, ତିର୍ତ୍ତୋଲ, ଜଗତସିଂହପୁର –ଆକାଶ ମେଘାଚ୍ଛନ୍ନ ଥିଲା। କୋର୍ଟ ପରିସରରେ ଲୋକମାନଙ୍କର ଭିଡ଼ ଥିଲା, କିନ୍ତୁ ତନୁଜାଙ୍କ ମନରେ ଥିଲା ଅଜଣା ଶୂନ୍ୟତା। ପନ୍ଦର ବର୍ଷର ଦାମ୍ପତ୍ୟ ଜୀବନ—ଆଜି ଏକ ରାୟରେ ଶେଷ ହେବାକୁ ଯାଉଛି।ଗୋଟିଏ ଭୁଲ ବୁଝାମଣା… ଗୋଟିଏ ଅସହିଷ୍ଣୁ ମୁହୂର୍ତ୍ତ… ଏବଂ ଦୁଇଟି ହୃଦୟର ମଧ୍ୟରେ ଜନ୍ମିଥିବା ଦୂରତା।ମିଶ୍ରବାବୁଙ୍କ ଝିଅର ବିବାହ ଭୋଜିରେ ସ୍ୱାତୀ ସହ ଆଶୁତୋଷଙ୍କ ସେଇ ହସିଥିବା ମୁହଁଟି ଆଜି ମଧ୍ୟ ତନୁଜାଙ୍କ ମନକୁ ଆନ୍ଦୋଳିତ କରେ । ସେ ଦୃଶ୍ୟ ତାଙ୍କର ବିଶ୍ୱାସ କୁ ଅବିଶ୍ୱାସ ରେ ପରିଣତ କରିଥିଲା । ଆଉ ଭରସାକୁ ଆଘାତ କରିଥିଲା। ଆଶୁତୋଷ ଯେତେ ବୁଝେଇଥିଲେ ମଧ୍ୟ, ସନ୍ଦେହର ଛାୟା ତାଙ୍କ ମନରୁ ହଟିନଥିଲା। ଅଭିମାନ ଧୀରେଧୀରେ ପ୍ରେମକୁ ଆଛାଦିତ କରିଦେଇଥିଲା।ଏବଂ ଏକଦିନ… ସେ ଘର ଛାଡ଼ିଦେଇଥିଲା।ଦୁଇ ବର୍ଷର ଝିଅ ସେଫାଳୀ ତାଙ୍କ କୋଳରେ କାନ୍ଦୁଥିଲା—କିନ୍ତୁ ମା’ର ଆଖିରେ ଥିଲା ଅଭିମାନର ଅଗ୍ନି। ସେ ଭାବିଥିଲା—ସମୟ ସବୁ ଠିକ୍ କରିଦେବ। କିନ୍ତୁ ସମୟ ତ ଦୂରତାକୁ ଆଉ ଦୂର କରିଦେଲା।ବର୍ଷ ପରେ ବର୍ଷ କଟିଗଲା। ସେଫାଳୀ ବଡ଼ ହେଲା। ଏକଦିନ ପଚାରିଲା—“ମା, ମୋର ବାପା କେଉଁଠି?”ସେଇ ପ୍ରଶ୍ନ ତନୁଜାଙ୍କ ହୃଦୟକୁ ଛିଣ୍ଡିଦେଲା। କିନ୍ତୁ ଅଭିମାନ ତାଙ୍କୁ ଏପର୍ଯ୍ୟନ୍ତ ବନ୍ଧି ରଖିଥିଲା।ମାମୁଙ୍କ ପରାମର୍ଶରେ ଡିଭୋର୍ସ ମାମଲା ରୁଜୁ ହେଲା। ଭରଣପୋଷଣ ଦାବି ହେଲା। ଆଜି ଥିଲା ଶେଷ ଶୁଣାଣୀ।ଜର୍ଜ ଙ୍କ ରାୟ ପଢ଼ାଗଲା। ଟଙ୍କାର ହିସାବ ନିର୍ଣ୍ଣୟ ହେଲା। ସମ୍ପର୍କର ମୂଲ୍ୟ ଆଇନର ଖାତାରେ ଗଣନା ହେଲା।ଆଶୁତୋଷ ଶାନ୍ତ ମୁହଁରେ ଧୈର୍ଯ୍ୟର ସହିତ ରହିଥିଲେ। ରାୟକୁ ସମ୍ମାନ କଲେ। ୧୦ ଲକ୍ଷ ଟଙ୍କାର ଚେକ୍ ଦେଲେ। ସହିତ ଗୋଟିଏ ବ୍ୟାଗ।ତାଙ୍କ ଆଖିରେ ଲୁହ ଥିଲା।“ଜର୍ଜ ସାହେବ,” ସେ କହିଲେ, “ସ୍ୱାମୀ-ସ୍ତ୍ରୀର ସମ୍ପର୍କ ଜନ୍ମଜନ୍ମାନ୍ତରର। କୋର୍ଟ ତାହାକୁ ଆଇନରେ ଭାଗ କରିପାରେ, କିନ୍ତୁ ହୃଦୟରୁ କିପରି କାଟିପାରିବ?”କହି ସେ ଚାଲିଆସିଲେ ଆଖିରେ ଥିଲା ଅଶ୍ରୁ ।ତନୁଜା କମ୍ପିତ ହାତରେ ବ୍ୟାଗଟି ଖୋଲିଲା।ଭିତରେ ଥିଲା—ଲାଲ ଶାଢ଼ୀ, ଶଂଖା, ସିନ୍ଦୂର… ଏବଂ ଗୋଟିଏ ଚିଠି।ଚିଠି ପଢ଼ିବା ସହିତ ତାଙ୍କ ଆଖି ଧୁସର ହେଇଗଲା।ପ୍ରତିବର୍ଷ ସାବିତ୍ରୀ ବ୍ରତରେ ସେ ତାଙ୍କ ଫଟୋକୁ ଆଶୁତୋଷ ବୋହୁ ପରି ସଜାଇଥାନ୍ତି… ପ୍ରତିବର୍ଷ ଏକ ଶାଢ଼ୀ କିଣି ସାଇତି ରଖିଥାନ୍ତି… ପ୍ରତିବର୍ଷ ତାଙ୍କ ଦୀର୍ଘାୟୁ ପାଇଁ ପ୍ରାର୍ଥନା କରୁଥାନ୍ତି…ତନୁଜାର ଅଭିମାନ ଭାଙ୍ଗିପଡ଼ିଲା।ସେ ଦୌଡ଼ି ବାହାରକୁ ଆସିଲା।ବର୍ଷା ପଡ଼ୁଥିଲା।କୋର୍ଟ ଗେଟ୍‌ ପାଖରେ ଆଶୁତୋଷ ଙ୍କ ଗାଡି ବାହାରୁଥାଏ । ଶେଷଥର ପାଇଁ ପଛକୁ ଚାହିଁଲେ ଆଶୁତୋଷ । ତନୁଜା ଦୌଡି ଦୌଡି ଆସୁଛି , ଚିତ୍କାର କରି ଡାକୁଛି ତୁମେ ରହିଯାଅ“ଆଶୁତୋଷ!” ମୋତେ ନେଇଯାଅ ମୁଁତୁମ ସହିତ ଯିବାକୁ ଚାହେଁ ।ତନୁଜା ତାଙ୍କ ପାଖକୁ ଯାଇ ଚେକ୍‌ଟି ତାଙ୍କ ହାତରେ ରଖିଦେଲା।“ମୋତେ ଟଙ୍କା ଦରକାର ନାହିଁ… ମୋତେ ତୁମେ ଦରକାର। ମୁଁ ଭୁଲ କରିଥିଲି। ମୋତେ କ୍ଷମା କର।”ଆଶୁତୋଷଙ୍କ ଆଖିରୁ ଲୁହ ଝରିପଡ଼ିଲା।“ତନୁଜା… ମୁଁ କେବେ ତୁମକୁ ଦୋଷ ଦେଇନି।”ସେଫାଳୀ ମଧ୍ୟ ଦୌଡ଼ିଆସିଲା—“ବାପା…”ସେଇ ଏକ ଶବ୍ଦ ଆଶୁତୋଷଙ୍କ ଜୀବନର ସବୁଠୁ ବଡ଼ ପୁରସ୍କାର ହେଲା।ତିନିଜଣ ଏକାଠି ହେଇଗଲେ।ପରଦିନ ସାବିତ୍ରୀ ବ୍ରତର ସକାଳେ, ତନୁଜା ସେଇ ଲାଲ ଶାଢ଼ୀ ପିନ୍ଧି, ସିନ୍ଦୂର ଲଗାଇ, ଆଶୁତୋଷଙ୍କ ପାଖରେ ବସି ପୂଜା କଲା।ଏଥର ଫଟୋକୁ ନୁହେଁ—ସତ୍ୟ ସ୍ୱାମୀଙ୍କୁ ସାମ୍ନାରେ ରଖି।ସାବିତ୍ରୀ ବ୍ରତର ସେଇ ଉପହାର ଆଉ “ଶେଷ” ରହିଲା ନାହିଁ—ସେହି ହେଲା ନୂତନ ଜୀବନର ଆରମ୍ଭ ।

Leave a Reply

Your email address will not be published. Required fields are marked *