ଖରିଫ-୨୦୨୬ ପ୍ରସ୍ତୁତି ସମୀକ୍ଷା

ଓଡ଼ିଶାରେ ଏଲ୍-ନିନୋର ପ୍ରଭାବ କମ୍ ରହିବାର ସମ୍ଭାବନା ତଥାପି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ଜଳସେଚନ ପରିଚାଳନା ପାଇଁ ଟାସ୍କ ଫୋର୍ସ ଗଠନ କରିବାକୁ ପରାମର୍ଶ ଭୁବନେଶ୍ୱର, ତା-୧୫/୦୬/୨୦୨୬ ଖରିଫ ଫସଲ ଋତୁ-୨୦୨୬ ପାଇଁ ରାଜ୍ୟର ପ୍ରସ୍ତୁତି, ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷାର ସ୍ଥିତି, ଆକଳନ ଏବଂ ଏଲ୍-ନିନୋ ଜନିତ ସମ୍ଭାବ୍ୟ ପ୍ରଭାବର ମୁକାବିଲା ନେଇ ଆଜି ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଏଲ୍ ନିନୋର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଆଗୁଆ ପ୍ରସ୍ତୁତି ଏବଂ ସମନ୍ୱିତ କାର୍ଯ୍ୟାନୁଷ୍ଠାନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, କୃଷି ଓ କୃଷକ ସଶକ୍ତିକରଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ସଚିନ ରାମଚନ୍ଦ୍ର ଯାଦବ, ସ୍ୱତନ୍ତ୍ର ରିଲିଫ କମିଶନର ତଥା ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ରାଜେଶ ପ୍ରଭାକର ପାଟିଲ, ଭାରତୀୟ ପାଣିପାଗ ବିଭାଗ (ଆଇଏମଡି), ଭୁବନେଶ୍ୱରର ଆଂଚଳିକ ନିର୍ଦ୍ଦେଶିକା ଡଃ. ମନୋରମା ମହାନ୍ତି, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ କୁଳପତିଙ୍କ ସମେତ ରାଜ୍ୟ ସରକାରଙ୍କ ସମ୍ପୃକ୍ତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।ଏଲ୍ ନିନୋ ହେଉଛି ମହାସାଗରୀୟ ଜଳର ତାପମାତ୍ରା ବୃଦ୍ଧି ଯୋଗୁଁ ସୃଷ୍ଟ ଏକ ଜଳବାୟୁଜନିତ ଘଟଣା, ଯାହା ବିଶ୍ୱସ୍ତରରେ ପାଣିପାଗ ଓ ବର୍ଷାର ପରିମାଣକୁ ପ୍ରଭାବିତ କରିଥାଏ ଏବଂ ଭାରତରେ ମୌସୁମୀ ବର୍ଷା ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ବୈଠକରେ ଆଇଏମଡି ପକ୍ଷରୁ ଦୈନିକ, ସାପ୍ତାହିକ, ମାସିକ ଏବଂ ଦୀର୍ଘମିଆଦୀ ମୌସୁମୀ ବର୍ଷା ପୂର୍ବାନୁମାନ ସଂପର୍କରେ ଉପସ୍ଥାପନ କରାଯାଇଥିଲା । ଓଡ଼ିଶାର ଉପକୂଳ କେତେକ ଅଂଚଳରେ ମୌସୁମୀ ବର୍ଷା ଆରମ୍ଭ ହୋଇଛି ଏବଂ ଅନ୍ୟ ଅଂଚଳରେ ବର୍ଷା ହେବା ନେଇ ସ୍ଥିତି ଅନୁକୂଳ ରହିଥିବା ସୂଚନା ଦିଆଯାଇଥିଲା । ଆଇଏମଡି ଆକଳନ ଏବଂ ବୈଠକରେ ଆଲୋଚନା ଅନୁଯାୟୀ, ଏଲ-ନିନୋ ପ୍ରଭାବରେ ଚଳିତ ବର୍ଷ ଦେଶରେ ସାମଗ୍ରିକ ଭାବେ ସାଧାରଣଠାରୁ କିଛି କମ୍ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ପୂର୍ବ ବର୍ଷଗୁଡ଼ିକର ତଥ୍ୟ ଓ ବିଶ୍ଳେଷଣ ଆଧାରରେ ଜଣାଯାଉଛି ଯେ, ଓଡ଼ିଶାରେ ଏଲ୍-ନିନୋର ପ୍ରଭାବ ବିଶେଷ ପଡ଼ିବ ନାହିଁ । ଅର୍ଥାତ୍ ଏଲନିନୋ ପ୍ରଭାବରେ ବର୍ଷା ପ୍ରତିବର୍ଷ ହେଉଥିବା ବର୍ଷା ଅନୁସାରେ ସାଧାରଣରୁ କିଛି ପରିମାଣ କମିପାରେ, କିଛି ବଢି ପାରେ କିମ୍ବା ପ୍ରତିବର୍ଷ ଭଳି ସ୍ୱାଭାବିକ ରହିପାରେ । କିନ୍ତୁ ଏଲନିନୋ ପ୍ରଭାବରୁ କମ୍ ବର୍ଷା ହେଲେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଏଥିନେଇ ସଂପୃକ୍ତ ବିଭାଗୀୟ ସଚିବମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ବର୍ଷାର ସ୍ଥିତି, ଜଳଭଣ୍ଡାରର ଜଳସ୍ତର, କୃଷି କାର୍ଯ୍ୟକଳାପ ଓ ଜଳ ସମ୍ପଦର ନିରନ୍ତର ସମୀକ୍ଷା ସହ ଆବଶ୍ୟକ ପୂର୍ବ ପ୍ରସ୍ତୁତି ଗ୍ରହଣ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସାମଗ୍ରିକ ଜଳ ପରିଚାଳନା ଓ ଜଳସେଚନ କାର୍ଯ୍ୟକ୍ରମର ନିରନ୍ତର ସମୀକ୍ଷା ଏବଂ ଆବଶ୍ୟକ ପରାମର୍ଶ ପ୍ରଦାନ ପାଇଁ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ କମିଟି ଗଠନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି କମିଟି ଜଳ ଉପଲବ୍ଧତା, ଖରିଫ୍ ଓ ରବି ପାଇଁ ଜଳସେଚନ ପ୍ଲାନିଂ, ଜଳସେଚନ କ୍ଷମତା ବୃଦ୍ଧି ଏବଂ ଚାଷୀମାନଙ୍କ ପାଇଁ ଜଳର ସର୍ବୋତ୍ତମ ବ୍ୟବହାର ସୁନିଶ୍ଚିତ କରିବା ଦିଗରେ ସଚେତନ କରିବାକୁ କାର୍ଯ୍ୟ କରିବ । ଏଥିରେ ଜଳ ସଂପଦ ବିଭାଗ ନୋଡାଲ ବିଭାଗ ଭାବେ କାର୍ଯ୍ୟ କରିବା ସହିତ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ସଚିବ ତଥା ବରିଷ୍ଠ ଅଧିକାରୀମାନେ ସଦସ୍ୟ ରହିବେ । ଏଲନିନୋ ବର୍ଷ ୨୦୨୬ ରେ ଜଳ ସଂରକ୍ଷଣ, ଜଳର ସୁବିନିଯୋଗ, ଜଳ ସେଚନ ବ୍ୟବସ୍ଥା ପାଇଁ ମାଇକ୍ରୋ ଳସେଚନ ପ୍ଲାନିଂ , ଜଳାଶୟଗୁଡ଼ିକର ଦକ୍ଷ ପରିଚାଳନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଏଲନିନୋ ବର୍ଷ-2026ରେ ଖରିଫ-୨୦୨୬ ପାଇଁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରସ୍ତୁତି ସମ୍ପର୍କରେ କୃଷି ବିଭାଗର କମିଶନର ତଥା ଶାସନ ସଚିବ ବିସ୍ତୃତ ତଥ୍ୟ ଓ ପ୍ରସ୍ତୁତି ଉପସ୍ଥାପନ କରିଥିଲେ । ଏ ସମ୍ପର୍କରେ ଓଡ଼ିଶାର ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ ଗତ ମଇ ୨୭ ରେ ଏକ ବୈଠକ ଅନୁଷ୍ଠିତ ହୋଇ ଏଲନିନୋର ସମ୍ଭାବ୍ୟ ପ୍ରଭାବ , ଚଳିତ ବର୍ଷ କୃଷି ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇ ପରାମର୍ଶ ଦିଆଯାଇଥିବା ଏବଂ ଓଡ଼ିଶାରେ କୃଷି ସମୃଦ୍ଧି ହେଲପ ଲାଇନ୍ ମାଧ୍ୟମରେ କୃଷି ସଂପର୍କିତ ସୂଚନା ଓ ମାର୍ଗ ଦର୍ଶନ କରାଯାଉଥିବା ନେଇ କୃଷି ବିଭାଗ ସଚିବ ସୂଚନା ଦେଇଥିଲେ । ଆହୁରି ମଧ୍ୟ ମଇ ୨୯ ରେ ନୂଆ ଦିଲ୍ଲୀରେ ମଧ୍ୟ ଏକ ଜାତୀୟସ୍ତରୀୟ ସମ୍ମିଳନୀ ମଧ୍ୟ ଅନୁଷ୍ଠିତ ହୋଇ ବିଭିନ୍ନ ପରାମର୍ଶ ଦିଆଯାଇଛି । କୃଷି ବିଭାଗର ସୂଚନା ଅନୁଯାୟୀ ଚଳିତ ଖରିଫରେ ଓଡ଼ିଶାରେ ମୋଟ ୫୭.୮୮ ଲକ୍ଷ ହେକ୍ଟର ଚାଷ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି । ଏଥିସହ ୩୯.୦୪ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇବାର ଲକ୍ଷ୍ୟ ରହିଛି । ଚଳିତ ଖରିଫ ଋତୁ ପାଇଁ ୨ ଲକ୍ଷ ୬୬ ହଜାର ୭୮୦ କ୍ୱିଣ୍ଟାଲ ବିହନ ଯୋଗାଣର ଯୋଜନା କରାଯାଇଛି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୧୮ ହଜାର ୭୮୭ କ୍ୱିଣ୍ଟାଲରୁ ଅଧିକ ବିହନ ଚାଷୀମାନଙ୍କ ପାଇଁ ଉପଲବ୍ଧ କରାଯାଇଛି । ସେହିପରି ଆବଶ୍ୟକ ପରିସ୍ଥିତିର ମୁକାବିଲା ପାଇଁ ୧୪ ହଜାର ୩୫୦ କ୍ୱିଣ୍ଟାଲ ବିହନ ସଂରକ୍ଷିତ ରଖାଯାଇଛି । ଖରିଫ୍ ଚାଷ ସଂପର୍କିତ ବୈଠକ ପ୍ରତି ସପ୍ତାହରେ କରାଯାଇ ପ୍ରସ୍ତୁତି ସମୀକ୍ଷା କରାଯାଉଛି । ସାର ଉପଲବ୍ଧତା ସମ୍ପର୍କିତ ସମୀକ୍ଷାରେ ସମବାୟ ବିଭାଗ କମିଶନର ତଥା ଶାସନ ସଚିବ ସୂଚନା ଦେଇଥିଲେ । ଚଳିତ ଖରିଫ ଋତୁ ପାଇଁ ୧୧ ଲକ୍ଷ ୪୩ ହଜାର ମେଟ୍ରିକ୍ ଟନ ସାରର ଆବଶ୍ୟକତା ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାସ୍ତରକୁ ସାର ଯୋଗାଣ ଏବଂ ଉପଲବ୍ଧତା ସନ୍ତୋଷଜନକ ରହିଛି । ସାର ଯୋଗାଣ ସଂପର୍କିତ କୌଣସି ପ୍ରକାର ଅନିୟମିତତା ଦୃଷ୍ଟିକୁ ଆସିଲେ ଜିଲ୍ଲା ଏବଂ ବ୍ଲକସ୍ତରରେ ପ୍ରବର୍ତ୍ତନ ସ୍କ୍ୱାଡ୍ ମାଧ୍ୟମରେ ଚଢଉ କରାଯାଉଛି । ରାଜ୍ୟ ଓ ଜିଲ୍ଲାସ୍ତରୀୟ ସମନ୍ୱୟରେ ସାର ଯୋଗାଣ ସଂପର୍କିତ ନିୟମିତ ତଦାରଖ ବୈଠକ କରାଯାଉଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଚଳିତ ଖରିଫ ଋତୁରେ ପ୍ରାୟ ୨୫ ଲକ୍ଷ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ମୁଖ୍ୟ ଶାସନ ସଚିବ ସମସ୍ତ ସମ୍ପୃକ୍ତ ସମସ୍ତ ବିଭାଗ ଏବଂ ଜିଲ୍ଲାସ୍ତରରେ ପ୍ରସ୍ତୁତି ଓ ସମନ୍ୱୟକୁ ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି, ବର୍ଷାର ପରିମାଣ କମ ହେଲେ ସମ୍ଭାବ୍ୟ ରୋଗପୋକ ପରିଚାଳନାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଦେଇଛନ୍ତି । ଭୂତଳ ଜଳ ଭରଣ ଉପରେ ଗୁରୁତ୍ୱ ଦେବା ସହ ଯେଉଁଠି ଭୂତଳ ଜଳ ଅଧିକ ବ୍ୟବହାର ହେଉଛି, ତାହାର ପୁନଃ ଭରଣ ପାଇଁ ସଚେତନ ଓ ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *