ଭଦ୍ରକରେ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR)-୨୦୨୬ ନେଇ ସର୍ବଦଳୀୟ ବୈଠକ
ଭଦ୍ରକ, ୧୮/୦୫ : ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶାଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ (SIR)-୨୦୨୬ ସମ୍ପର୍କରେ ଆଲୋଚନା ପାଇଁ ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଦିଲୀପ ରାଉତରାଏକଂ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଆଜି ପୂର୍ବାହ୍ନ ୧୧.୩୦ ଘଟିକାରେ ସଦଭାବନା ସଭାଗୃହ, ଜିଲ୍ଲାପାଳ କାର୍ଯ୍ୟାଳୟ, ଭଦ୍ରକରେ ଅନୁଷ୍ଠିତ ହୋଇଛି।ଏହି ବୈଠକରେ ଚାନ୍ଦବାଲି ବିଧାୟକ ଶ୍ରୀ ବ୍ଯୋମକେଶ ରାୟ, ଭାରତୀୟ ଜନତା ପାର୍ଟି (BJP), ବିଜୁ ଜନତା ଦଳ (BJD) ଭାରତୀୟ ଜାତୀୟ କଂଗ୍ରେସ (INC), ବହୁଜନ ସମାଜ ପାର୍ଟି (BSP), କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (CPI), ଆମ ଆଦମୀ ପାର୍ଟି (AAP) ଏବଂ ନ୍ୟାସନାଲ୍ ପିପୁଲ୍ସ ପାର୍ଟି (NPP) ର ଜିଲ୍ଲା ସଭାପତି ଓ ସମ୍ପାଦକମାନେ ଯୋଗଦେଇଥିଲେ।ଓଡିଶାରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ତୃତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଜୋରଦାର ଭାବେ ଆରମ୍ଭ ହୋଇଛି। ଏହି ସଂଶୋଧନ ପାଇଁ ଯୋଗ୍ୟତା ତାରିଖ ୦୧.୦୭.୨୦୨୬ ନିର୍ଦ୍ଧାରିତ ହୋଇଥିବାବେଳେ, ୨୦ ମେରୁ ୨୯ ମେ ୨୦୨୬ ପର୍ଯ୍ୟନ୍ତ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ସମ୍ପାଦିତ ହେବ।୩୦ ମେରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ BLO ମାନେ ଘରେ ଘରେ ପରିଦର୍ଶନ କରି ଭୋଟର ତଥ୍ୟ ସଂଗ୍ରହ ଓ ଯାଞ୍ଚ କରିବେ। ଏହା ସହିତ ୨୮ ଜୁନ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ କାର୍ଯ୍ୟ ସମାପ୍ତ କରାଯିବ।ଖସଡା ଭୋଟର ତାଲିକା ୦୫ ଜୁଲାଇ ୨୦୨୬ରେ ପ୍ରକାଶ ପାଇବ। ଏହାପରେ ୦୫ ଜୁଲାଇରୁ ୦୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ଦାବି ଓ ଆପତ୍ତିର ନିଷ୍ପତ୍ତି ୦୨ ସେପ୍ଟେମ୍ବର ୨୦୨୬ ସୁଦ୍ଧା କରାଯିବା ପରେ ୦୬ ସେପ୍ଟେମ୍ବର ୨୦୨୬ରେ ଅନ୍ତିମ ଭୋଟର ତାଲିକା ପ୍ରକାଶ ପାଇବ।ଜିଲ୍ଲାପାଳ କହିଛନ୍ତି ଯେ, Booth Level Officers, Booth Level Agents ଓ ସମସ୍ତ ରାଜନୈତିକ ଦଳମାନଙ୍କ ସକ୍ରିୟ ସହଯୋଗରେ ଏହି କାର୍ଯ୍ୟକ୍ରମକୁ ସଫଳ କରାଯିବ। ସାଧାରଣ ଭୋଟରମାନେ ମଧ୍ୟ ନିଜ ନାମ ଭୋଟର ତାଲିକାରେ ସଠିକ୍ ଭାବେ ରହିଛି କି ନାହିଁ ଯାଞ୍ଚ କରିବା ସହ ସଂଶୋଧନ ପ୍ରକ୍ରିୟାରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।ଅଧିକ ସୂଚନା ପାଇଁ ଭୋଟରମାନେ voters.eci.gov.in କିମ୍ବା ECINET App ବ୍ୟବହାର କରିପାରିବେ।ଭୋଟର ତାଲିକାର ସଠିକତା ଓ ସ୍ୱଚ୍ଛତା ବଜାୟ ରଖିବା ସହିତ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ସୁଦୃଢ କରିବା ନେଇ SIR-୨୦୨୬ କାର୍ଯ୍ୟକ୍ରମର ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ଏହି ଆଲୋଚନା ଚକ୍ରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦତ୍ତ, ଶ୍ରୀ ରବି ନାରାୟଣ ସାହୁ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଶୁଭେନ୍ଦ୍ର ସାମଲ ଏବଂ ଉପଜିଲ୍ଲାପାଳ ଶ୍ରୀ ସୌରଭ ଚକ୍ରବର୍ତ୍ତୀ ଉପସ୍ଥିତ ଥିଲେ।l
