ଚିକିଟି କଲେଜ ଛାତ୍ରୀଛାତ୍ରଙ୍କ ସଫଳତା
ଚିକିଟି, 18/5ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କଳା, ବିଜ୍ଞାନ ଓ ବାଣିଜ୍ୟ ସ୍ନାତକ ଷଷ୍ଠ ସେମିଷ୍ଟର ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି ଏବଂ ଏଥିରେ ଚିକିଟି ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ମହାବିଦ୍ୟାଳୟ ଓ ଚିକିଟି ଅଞ୍ଚଳ ପାଇଁ ସୁନାମ ଓ ଗୌରବ ଅର୍ଜନ କରିପାରିଛନ୍ତି। କଳା ସ୍ନାତକରେ ଶିକ୍ଷା ବିଭାଗର ଛାତ୍ର ଦେବ ପ୍ରସାଦ ପଣ୍ଡା ଶିକ୍ଷା ସମ୍ମାନରେ ମୋଟ ୧୨୨୦ ନମ୍ବର ରଖି ବିଶ୍ଵବିଦ୍ୟାଳୟରେ ଦ୍ଵିତୀୟ ସ୍ଥାନ ପ୍ରାପ୍ତ କରିଥିବା ବେଳେ ଛାତ୍ରୀ ସରସ୍ଵତୀ ଗୌଡ଼ ଓ ସୁନୀ ବେହେରା ଶିକ୍ଷା ସମ୍ମାନରେ ଯଥାକ୍ରମେ ୧୨୧୪ ଓ ୧୧୯୭ ନମ୍ବର ହାସଲ କରି ଚତୁର୍ଥ ଓ ଷଷ୍ଠ ସ୍ଥାନରେ ରହିଛନ୍ତି l ସେହିପରି ଆଇ.ଆର.ପି.ଏମ ବିଭାଗର ଛାତ୍ର ଶୁଭମ ଚୌଧୁରୀ ଆଇ.ଆର.ପି.ଏମ ସମ୍ମାନରେ ମୋଟ ୧୧୩୦ ନମ୍ବର ରଖି ବିଶ୍ଵବିଦ୍ୟାଳୟରେ ପଞ୍ଚମ ସ୍ଥାନ ହାସଲ କରିଥିବା ବେଳେ ଓଡ଼ିଆ ବିଭାଗର ଛାତ୍ରୀ ଅର୍ଚ୍ଚନା ସେଠୀ ଓ ଗୁପ୍ତେଶ୍ଵରୀ ପାଢ଼ୀ ଓଡ଼ିଆ ସମ୍ମାନରେ ଯଥାକ୍ରମେ ୧୧୧୮ ଓ ୧୧୦୫ ନମ୍ବର ରଖି ପଞ୍ଚମ ଓ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି । ବିଜ୍ଞାନ ସ୍ନାତକରେ ଭୂତତ୍ତ୍ଵ ବିଜ୍ଞାନ ବିଭାଗର ଛାତ୍ରୀ ଆରତୀ ପାଣିଗ୍ରାହୀ, ମୋନାଲିସା ପ୍ରଧାନ ଓ ଛାତ୍ର ରିପୁନ ସାହୁ ଭୂତତ୍ତ୍ଵ ବିଜ୍ଞାନ ସମ୍ମାନରେ ଯଥାକ୍ରମେ ୧୨୭୯, ୧ ୨୨୧ ଓ ୧୨୦୧ ନମ୍ବର ରଖି ବିଶ୍ଵବିଦ୍ୟାଳୟରେ ପଞ୍ଚମ, ଷଷ୍ଠ ଓ ସପ୍ତମ ସ୍ଥାନ ହାସଲ କରିଛନ୍ତି । ଛାତ୍ରୀ ସୁପ୍ରିତି ପଟ୍ଟନାୟକ ଗଣିତ ସମ୍ମାନରେ ମୋଟ ୧୧୨୦ ନମ୍ବର ପ୍ରାପ୍ତ କରି ଦଶମ ସ୍ଥାନ ଓ ଛାତ୍ରୀ ବିଥିକା ସାହୁ ପ୍ରାଣୀ ବିଜ୍ଞାନ ସମ୍ମାନରେ ମୋଟ ୧୨୧୭ ନମ୍ବର ରଖି ଷଷ୍ଠ ସ୍ଥାନରେ ରହିଛନ୍ତି । ଛାତ୍ରୀଛାତ୍ରମାନଙ୍କ ଏହି ଅଦ୍ଭୂତପୂର୍ବ ସଫଳତା ପାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା ସେମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି I ମହାବିଦ୍ୟାଳୟର ଉତ୍କୃଷ୍ଟ ଶିକ୍ଷା ପରିବେଶ, ଅଧ୍ୟାପିକା ଓ ଅଧ୍ୟାପକମାନଙ୍କ ଉଚିତ ଦିଗଦର୍ଶନ, ମାତାପିତା ଓ ମା’ ବାଳକୁମାରୀଙ୍କ ଆଶୀର୍ବାଦ ଏବଂ ନିଜର କଠିନ ପରିଶ୍ରମ ଯୋଗୁଁ ଏହି ସଫଳତା ହାସଲ କରିପାରିଛନ୍ତି ବୋଲି ଛାତ୍ରୀଛାତ୍ରମାନେ କହିଥିଲେ I ଶିକ୍ଷା ବିଭାଗ ମୁଖ୍ୟ ଅଲେଖ ଚନ୍ଦ୍ର ସେଠୀ, ଆଇ.ଆର.ପି.ଏମ ଅଧ୍ୟାପିକା ଡ. ସୁଜାତା ସାମନ୍ତରାୟ, ଓଡ଼ିଆ ବିଭାଗ ମୁଖ୍ୟ ଡ. ସଞ୍ଜୟ କୁମାର ପଣ୍ଡା, ଅଧ୍ୟାପକ ପ୍ରକାଶ ବେହେରା ଓ ଡ. ବିଶ୍ୱନାଥ ପାଣିଗ୍ରାହୀ, ଭୂତତ୍ତ୍ଵ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପକ ଲକ୍ଷ୍ମଣ ବେହେରା ଓ ଡ. ରାମ ଶଙ୍କର ପଟ୍ଟନାୟକ, ଗଣିତ ବିଭାଗ ମୁଖ୍ୟ ଅଧ୍ୟାପକ ସୁନୀଲ କୁମାର ପାଢ଼ୀ, ଅଧ୍ୟାପିକା ଡ. ପଦ୍ମିନୀ ରାଉଳ ଏବଂ ପ୍ରାଣୀ ବିଜ୍ଞାନ ମୁଖ୍ୟ ଅଧ୍ୟାପକ ଦିବ୍ୟ ରଞ୍ଜନ ଜାଲି ଓ ଅଧ୍ୟାପକ କାହ୍ନୁ ଚରଣ ଜେନା ନିଜ ନିଜ ବିଭାଗର ଛାତ୍ରୀଛାତ୍ରଙ୍କ ସଫଳତାରେ ଅତ୍ୟଧିକ ଆନନ୍ଦ ପ୍ରକାଶ କରିବା ସହ ଭବିଷ୍ୟତରେ ଏହାକୁ ଦୋହରାଇବା ପାଇଁ ଆମେ ସଂକଳ୍ପବଦ୍ଧ ବୋଲି କହିଥିଲେ I ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ କୃତୀ ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି I
