ପୁରୀ ସଦର ଥାନା ପୁଲିସ ପକ୍ଷରୁ ସନ୍ଧ୍ୟାକାଳୀନ ପାଟ୍ରୋଲିଂ ଓ ଜୁଆ ବିରୋଧୀ ଚଢ଼ାଉ ସମୟରେ ଏକ ଜୁଆ ଆଡ୍ଡା ଉପରେ ସଫଳ
ପୁରୀ ସଦର ଥାନା ପୁଲିସ ପକ୍ଷରୁ ସନ୍ଧ୍ୟାକାଳୀନ ପାଟ୍ରୋଲିଂ ଓ ଜୁଆ ବିରୋଧୀ ଚଢ଼ାଉ ସମୟରେ ଏକ ଜୁଆ ଆଡ୍ଡା ଉପରେ ସଫଳ ଚଢ଼ାଉ କରାଯାଇ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି। ଆଜି ସନ୍ଧ୍ୟା ପ୍ରାୟ ୭.୨୦ ମିନିଟ୍ ସମୟରେ ସଦର ଥାନାର ଏସାଇ ଶ୍ରୀ ବିଜୟ ବସନ୍ତ ବିଶ୍ୱାଳ, ଅନ୍ୟ ପୁଲିସ କର୍ମଚାରୀମାନଙ୍କ ସହ ରାହାଙ୍ଗିରିଆ ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ବାବା ବୁଧେଶ୍ୱର ମନ୍ଦିର ରାସ୍ତା ନିକଟରେ ଜୁଆ ଖେଳ ଚାଲିଥିବା ସମ୍ପର୍କରେ ନିର୍ଭରଯୋଗ୍ୟ ସୂଚନା ପାଇଥିଲେ ଏବଂ ତୁରନ୍ତ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ପାଞ୍ଚ ଜଣ ବ୍ୟକ୍ତିଙ୍କୁ ଟଙ୍କା ବାଜି ଲଗାଇ ଜୁଆ ଖେଳୁଥିବା ଅବସ୍ଥାରେ ଧରାଯାଇଥିଲା। ଗିରଫ ବ୍ୟକ୍ତିମାନେ ହେଲେ ଭଗବାନ ପ୍ରଧାନ (୩୮), ଅଶ୍ୱିନୀ ଦାସ @ ପାପୁ (୩୬),

ସୁନିଲ କୁମାର ସାହୁ (୪୦), ଚନ୍ଦନ ପାଲେଇ (୩୫) ଏବଂ ଶଙ୍କର ମଲ୍ଲିକ (୩୮)ସେମାନଙ୍କ ନିକଟରୁ ଦୁଇଟି ତାସ ପ୍ୟାକେଟ୍ (ପ୍ରତ୍ୟେକରେ ୫୨ଟି ତାସ), ୩ଟି ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍, ଏକ ସ୍କୁଟି (ନଂ- OD-13M-6016) ଏବଂ ମୋଟ ୫୨,୧୦୦ ଟଙ୍କା ନଗଦ ଜବତ କରାଯାଇଛି। ଏହି ଘଟଣାରେ ଓଡ଼ିଶା ଜୁଆ ନିଷେଧ ଆଇନ (OPG Act) ଧାରା-୩ ଅନୁଯାୟୀ ମାମଲା ରୁଜୁ କରାଯାଇ ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ଆଇନାନୁଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପୁରୀ ପୁଲିସ ପକ୍ଷରୁ ଜନସାଧାରଣଙ୍କୁ ଅବୈଧ ଜୁଆ ଭଳି ସମାଜ ବିରୋଧୀ କାର୍ଯ୍ୟକଳାପରୁ ଦୂରେଇ ରହିବା ସହ ଏପରି କୌଣସି କାର୍ଯ୍ୟକଳାପ ସମ୍ପର୍କରେ ନିକଟସ୍ଥ ଥାନାକୁ ତୁରନ୍ତ ସୂଚନା ଦେବା ପାଇଁ ଅନୁରୋଧ କରାଯାଉଛି।
