ମର୍ତ୍ତ୍ୟ ମଣ୍ଡଳ
ମର୍ତ୍ତ୍ୟ ମଣ୍ଡଳ
( ରାଗ – ପାହାଡ଼ିଆ କେଦାର )
🔹କବିରତ୍ନ ନୂତନ କୁମାର ବେହେରା
ସୃଷ୍ଟିର ଏଇ ତିନି ମଣ୍ଡଳ’
ସ୍ଵର୍ଗ ମର୍ତ୍ତ୍ୟ ସହିତେ ପାତାଳ’
ରହିଛି ରହିବ କାଳ କାଳ’
ବିଧି ବିଧାନେ’ ଗୋ,
ମର୍ତ୍ତ୍ୟରେ ଜନ୍ମ ହୁଅନ୍ତି ଜୀବ’
ପଞ୍ଚଭୂତ ତାଙ୍କର ବିଭବ’
ପ୍ରକୃତି ସର୍ବଦା ପକାଏ ପ୍ରଭାବ’
ଏଇ ଭୁବନେ’ ଗୋ,
ଭାବନାର ଶକତି ଆଣଇ ମନେ ଗୋ,
ହୁଅଇ ଯେତେ ସେ ସବୁର କାରଣେ ଗୋ’
ମର୍ତ୍ତ୍ୟ ମଣ୍ଡଳେ ମଣିଷ ଶ୍ରେଷ୍ଠ’
କର୍ମରେ ଥାଏ ଯେ ହୋଇ ଏକନିଷ୍ଠ’
ଯଶ ଖ୍ୟାତି ଅର୍ଜି ହୁଅଇ ବିଶିଷ୍ଟ’
ତାର ଜୀବନେ’ ଗୋ /୧/
ନଦ ନଦୀ ସିନ୍ଧୁ ବନ ଗିରି’
ସବୁରେ ଭରି ରହିଛି ଶିରୀ’
ସୁଖ ଦିଅନ୍ତି ଯେ ଅସୁମାରି’
ପ୍ରାଣୀଙ୍କ ହିତେ’ ଗୋ,
ଉତ୍ପନ୍ନ ହୁଏ ଯେତେ ଦରବ’
ଉପଭୋଗ କରିଥାନ୍ତି ଜୀବ’
ହୃଦୟେ ରଖି ତାଙ୍କ ସ୍ଵଭାବ’
ଏଇ ମରତେ’ ଗୋ
ମଣିଷ ଯେ ରହିଥାଏ ଶୃଙ୍ଖଳିତେ ଗୋ,
ନ୍ୟାୟ ଧର୍ମର ନୀତି ମାନି ଉଚିତେ ଗୋ,
ସିଏ ହୁଏ ସୁଖୀ ପାଏ ଶାନ୍ତି’
ରୁହଇ ସ୍ଵଚ୍ଛ ସୁନ୍ଦର ଚିନ୍ତି’
ଭୁଲିଯାଏ ପରିଶ୍ରମ କ୍ଳାନ୍ତି’
ରହି ସଂଯତେ’ ଗୋ /୨/
ସୃଷ୍ଟିର ସ୍ରଷ୍ଟା ପ୍ରଭୁ ଶ୍ରୀବିଷ୍ଣୁ’
ଭବ ଚାଲେ ତାଙ୍କ ପାଇଁ ଯେଣୁ’
ତ୍ରିପୁର ଶୂନ୍ୟ ତାଙ୍କର ବିନୁ’
ସେ ହିଁ କରତା’ ଗୋ,
ରହି ନିରାକାର ପରମାତ୍ମା’
ଆକାର ନିଅନ୍ତି ହୋଇ ଆତ୍ମା’
ଦେଖାନ୍ତି ସେ ଅପାର ମହିମା’
ସେ ହିଁ ବିଧାତା’ ଗୋ,
ମହାପ୍ରଭୁ ସବୁ ସୁଖ ଦୁଃଖ ଦାତା’ ଗୋ’
ସଂସାରରେ ସେ ପରମ ପୂଜ୍ୟ ପିତା ଗୋ’
ମଣିଷ ଧରି ସ୍ଥୂଳ ଶରୀର’
ଜୀବନ ନିର୍ବାହ କରେ ତାର’
କର୍ମରତ ଥାଏ ନିରନ୍ତର’
ବୁଝି ବାରତା’ ଗୋ /୩/
ମର୍ତ୍ତ୍ୟ ମଣ୍ଡଳ ଅଟେ ବାସ୍ତବିକ’
ସ୍ଵର୍ଗ ପାତାଳ ଯେ କାଳ୍ପନିକ’
ସୂକ୍ଷ୍ମରୁ ଆସଇ ଜ୍ଞାନାଲୋକ’
ଘୁଞ୍ଚେ ସଂକଟ’ ଗୋ,
ଜନ୍ମ ମୃତ୍ୟୁ ସଂସାରର ଲୀଳା’
ହୁଅଇ ଶୁଭ ଅଶୁଭ ବେଳା’
ଲାଗିଛି ସଂସାରେ ଏଇ ଖେଳା’
ଲମ୍ବିଛି ବାଟ’ ଗୋ,
ମନ ନେଇ ମଣିଷ କରେ ନାଟ’ ଗୋ
ବିଶ୍ଵାସ ହାରିଲେ କରୁଥାଏ ହଟ’ ଗୋ,
କର୍ମ ନେଇ ମିଳିଥାଏ ଫଳ’
ମନଟି ତାର ଅଟଇ ମୂଳ’
ଜୀବନର ହୁଅଇ ମଙ୍ଗଳ’
ଲେଖେ ଲଲାଟ’ ଗୋ/୪/
ଜଗତ ମିଥ୍ୟା ବ୍ରହ୍ମ ହିଁ ସତ୍ୟ’
ଏକ ଅଦ୍ଵିତୀୟେ ସିଏ ନିତ୍ୟ’
ଭକ୍ତିରେ ହୁଅନ୍ତି ସଦା ପ୍ରୀତ’
ଏଇ ନିୟମ’ ଗୋ,
ମର୍ତ୍ତ୍ୟ ମଣ୍ଡଳେ ହୋଇ ଜନମ’
ମଣିଷ କର୍ମେ ହେଲେ ସକ୍ଷମ’
ଅରଜି ଥାଏ ସିଏ ସୁନାମ’
ହୋଏ ଉତ୍ତମ’ ଗୋ,
ଆଳସ୍ୟ କରିଲେ ଦୁଃଖ ଯେ ଅସୀମ’ ଗୋ
ହୁଏ ନାହିଁ ତାର କେବେ ବ୍ୟତିକ୍ରମ’ ଗୋ,
ନିୟତିରେ ନୀତି ଯେ ଅଟଳ’
ସେ କ୍ରମେ ଚାଲେ ମର୍ତ୍ତ୍ୟ ମଣ୍ଡଳ’
ରଖିଲେ ସଦା ତା’ ତାଳ ମେଳ’
ହୁଏନା ବାମ’ ଗୋ /୫/
ପ୍ରତିଷ୍ଠାତା ଓ ମୁଖ୍ୟସମ୍ପାଦକ,
‘ ନବସୃଜନ ‘ ଇ-ପତ୍ରିକା,
କୋହି,ବାରିପଦା,ମୟୂରଭଞ୍ଜ।
