ଜୁନ୍ ୧୮ ରୁ ୨୨ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ଏବଂ ଓଡ଼ିଶା ଗସ୍ତ କରିବେ ରାଷ୍ଟ୍ରପତି
ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୁନ୍ ୧୮ ରୁ ୨୨ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ଏବଂ ଓଡ଼ିଶା ଗସ୍ତ କରିବେ ।ଜୁନ୍ ୧୮ ତାରିଖରେ, ରାଷ୍ଟ୍ରପତି ମଧ୍ୟପ୍ରଦେଶର ବେତୁଲଠାରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ‘ଆଧ୍ୟାତ୍ମିକ ଜାଗରଣ ଜରିଆରେ ଆଦିବାସୀ ସମାଜର ସଶକ୍ତିକରଣ’ କାର୍ଯ୍ୟକ୍ରମରେ ଯୋଗଦେବେ।ଜୁନ୍ ୧୯ ତାରିଖରେ ରାଷ୍ଟ୍ରପତି ମଧ୍ୟପ୍ରଦେଶର ଓଁକାରେଶ୍ୱରରେ ଅନ୍ତର୍ଜାତୀୟ ସିକଲ୍ ସେଲ୍ ଦିବସ ସମାରୋହରେ ଯୋଗଦେବେ। ସେହିଦିନ, ଓଡ଼ିଶାର ରାଇରଙ୍ଗପୁରରେ, ରାଷ୍ଟ୍ରପତି ଏମ୍ସ, ଭୁବନେଶ୍ୱର ଦ୍ୱାରା ଆୟୋଜିତ ଏକ ଚିକିତ୍ସା ଶିବିର, କୁସୁମି ବ୍ଲକ୍ ଅନ୍ତର୍ଗତ ଖଣି ପ୍ରଭାବିତ ଗ୍ରାମଗୁଡ଼ିକୁ ମେଗା ସମନ୍ୱିତ ଗ୍ରାମୀଣ ପାଇପ୍ ଜଳ ଯୋଗାଣ, ବ୍ରହ୍ମାକୁମାରୀମାନଙ୍କ ମାତୃଶକ୍ତି ଭବନ, ସ୍ୱତନ୍ତ୍ର ସର୍କିଟ୍ ହାଉସ୍ ଏବଂ ରାଇରଙ୍ଗପୁର ପୁଲିସ ଜିଲ୍ଲାକୁ ଉଦଘାଟନ କରିବେ।ଜୁନ୍ ୨୦ ତାରିଖରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପାହାଡ଼ପୁରର ବିଭିନ୍ନ ସ୍ଥାନ ପରିଦର୍ଶନ କରିବେ । ସେମାନେ ପାହାଡ଼ପୁରର ସ୍କୁଲ ଏବଂ ଦକ୍ଷତା କେନ୍ଦ୍ର ବୁଲି ଦେଖିବା ସହିତ ହିତାଧିକାରୀ/ପିଲାମାନଙ୍କ ସହିତ ଭାବ ବିନିମୟ କରିବେ। ପରେ, ସେମାନେ ରାଇରଙ୍ଗପୁରରେ ଏକ ଜନସଭାରେ ଯୋଗଦେବେ।ଜୁନ୍ ୨୧ ତାରିଖରେ ରାଷ୍ଟ୍ରପତି ମଧ୍ୟପ୍ରଦେଶର ଜବଲପୁରଠାରେ ଅନ୍ତର୍ଜାତୀୟ ଯୋଗ ଦିବସ ସମାରୋହରେ ଯୋଗ ଦେବେ। ସେହି ଦିନ ସେ ଜବଲପୁରର ରାଣୀ ଦୁର୍ଗାବତୀ ବିଶ୍ୱବିଦ୍ୟାଳୟର ୩୬ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ।ଜୁନ୍ ୨୨ ତାରିଖରେ ରାଷ୍ଟ୍ରପତି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ସହରିଆ ଜନଜାତିର ସଦସ୍ୟ, ଚିତା ଟ୍ରାକର, ପର୍ଯ୍ୟଟନ ଗାଇଡ୍ ଏବଂ କୁନୋ କ୍ଷେତ୍ର ଦଳର ସଦସ୍ୟମାନଙ୍କ ସହିତ ଆଲୋଚନା କରିବେ ।
