ଅମୃତ ଭାରତ ଷ୍ଟେସନ ଯୋଜନାରେ ବରପାଲି ରେଳ ଷ୍ଟେସନର ପୁନଃକଳ୍ପନା

ଭୁବନେଶ୍ୱର, ଜୁଲାଇ ୧୪, ୨୦୨୬:ଓଡ଼ିଶାର ବରଗଡ଼ ଜିଲ୍ଲାର ବରପାଲି ରେଳ ଷ୍ଟେସନକୁ ‘ଅମୃତ ଭାରତ ଷ୍ଟେସନ ଯୋଜନା’ ଅଧୀନରେ ଏକ ଆଧୁନିକ ଏବଂ ଯାତ୍ରୀ-ଅନୁକୂଳ ରେଳ ଷ୍ଟେସନରେ ପରିଣତ କରାଯାଇଛି। ଏହା ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସେହି ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି, ଯେଉଁଥିରେ ସ୍ଥାନୀୟ ସଂସ୍କୃତିକୁ ସୁରକ୍ଷିତ ରଖି ରେଳ ଷ୍ଟେସନଗୁଡ଼ିକୁ ବିଶ୍ୱସ୍ତରୀୟ, ସମାବେଶୀ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ପରିବହନ କେନ୍ଦ୍ର ଭାବରେ ବିକଶିତ କରିବାର ଲକ୍ଷ୍ୟ ରହିଛି।ପ୍ରାୟ ୨୨ କୋଟି ଟଙ୍କା ବ୍ୟୟରେ ପୁନଃବିକଶିତ ହୋଇଥିବା ଏହି ଷ୍ଟେସନରେ ଆଧୁନିକ ଯାତ୍ରୀ ସୁବିଧା ସହିତ ପଶ୍ଚିମ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରିଚୟର ମିଶ୍ରଣ ଦେଖିବାକୁ ମିଳିଛି। ଏହି ପ୍ରକଳ୍ପ ଦ୍ୱାରା ରେଳ ସଂଯୋଗୀକରଣ ମଜବୁତ ହେବା, ଯାତ୍ରୀଙ୍କ ସୁବିଧା ବୃଦ୍ଧି ପାଇବା ଏବଂ ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶରେ ସହାୟକ ହେବ ବୋଲି ଆଶା କରାଯାଉଛି।ଷ୍ଟେସନ ବିଲ୍ଡିଂକୁ ସମ୍ପୂର୍ଣ୍ଣ ରୂପେ ଅପଗ୍ରେଡ୍ କରାଯାଇଛି, ଯେଉଁଥିରେ ନୂତନ ପ୍ରବେଶ ପଥ , ପ୍ରଶସ୍ତ ପରିକ୍ରମା କ୍ଷେତ୍ର ଏବଂ ଯାତ୍ରୀମାନଙ୍କ ପାଇଁ ଉନ୍ନତ ସୁବିଧା ରହିଛି। ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ସମେତ ସମସ୍ତ ଯାତ୍ରୀଙ୍କ ନିରାପଦ ଓ ସୁବିଧାଜନକ ଚଳାଚଳ ପାଇଁ ୧୨ ମିଟର ଓସାରର ଏକ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ କରାଯାଇଛି।ଅନ୍ୟାନ୍ୟ ପ୍ରମୁଖ ଭିତ୍ତଭୂମି ମଧ୍ୟରେ ଆପ୍ରୋଚ୍ ରୋଡ୍‌ର ଓସାର ବୃଦ୍ଧି, ଅତିରିକ୍ତ ପ୍ଲାଟଫର୍ମ ସେଲ୍‌ଟର, ପ୍ଲାଟଫର୍ମର ନବୀକରଣ, ଆଧୁନିକ ବିଶ୍ରାମ କକ୍ଷ, ଉନ୍ନତ ଶୌଚାଳୟ ଏବଂ ଯାତ୍ରୀଙ୍କ ସୁବିଧା ଓ ସହଜ ଚଳାଚଳ ପାଇଁ ପ୍ରାମାଣିକ ସୂଚନା ସଂକେତ ରହିଛି।ଏହି ଅଞ୍ଚଳର ସାଂସ୍କୃତିକ ଐତିହ୍ୟକୁ ସମ୍ମାନ

ଜଣାଇ, ଷ୍ଟେସନର ବାସ୍ତୁକଳା ଡିଜାଇନରେ ବିଶ୍ୱସ୍ତରୀୟ ବରପାଲି ଇକତ ହସ୍ତତନ୍ତ ପରମ୍ପରାର କଳାତ୍ମକ ଉପାଦାନଗୁଡ଼ିକୁ ସାମିଲ କରାଯାଇଛି, ଯାହା ଏହାର ଜଟିଳ ବୁଣାକାର ଶୈଳୀ ଏବଂ ଜୀବନ୍ତ ରଙ୍ଗ ପାଇଁ ଜଣାଶୁଣା। ଏହା ବ୍ୟତୀତ ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ‘ଡାଲଖାଇ’ ଲୋକନୃତ୍ୟ ଏବଂ ଅନ୍ୟାନ୍ୟ ପାରମ୍ପରିକ କଳାର ମୋଟିଫ୍‌ଗୁଡ଼ିକୁ ମଧ୍ୟ ଷ୍ଟେସନର ସୌନ୍ଦର୍ଯ୍ୟକରଣରେ ଯତ୍ନର ସହ ସାମିଲ କରାଯାଇଛି, ଯାହା ଏହାକୁ ଏକ ସ୍ୱତନ୍ତ୍ର ସ୍ଥାନୀୟ ପରିଚୟ ପ୍ରଦାନ କରିଛି।ବରପାଲି ରେଳ ଷ୍ଟେସନର ପୁନଃବିକାଶ ଭାରତୀୟ ରେଳବାଇର ସେହି ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ, ଯେଉଁଠାରେ ଷ୍ଟେସନଗୁଡ଼ିକ କେବଳ ଯାତାୟାତର ସ୍ଥାନ ନୁହେଁ, ବରଂ ସେହି ଅଞ୍ଚଳର ସଂସ୍କୃତି, ପରମ୍ପରା ଏବଂ ଆକାଂକ୍ଷାର ପ୍ରଦର୍ଶନୀ କେନ୍ଦ୍ର ଭାବରେ ଗଢ଼ି ଉଠୁଛି।ଏହି ଉନ୍ନତ ଷ୍ଟେସନ କୃଷି, ବାଣିଜ୍ୟ, ବ୍ୟବସାୟ, ପର୍ଯ୍ୟଟନ ଏବଂ ସ୍ଥାନୀୟ ଶିଳ୍ପ ପାଇଁ ବୃଦ୍ଧି କରି ଆଞ୍ଚଳିକ ବିକାଶର ଏକ ମାଧ୍ୟମ ଭାବେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି। ଉନ୍ନତ ରେଳ ଭିତ୍ତିଭୂମି ଚାଷୀ, କାରିଗର, ବୁଣାକାର , ବ୍ୟବସାୟୀ ଏବଂ କ୍ଷୁଦ୍ର ଉଦ୍ୟୋଗୀମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି କରିବ, ଯାହା ଦ୍ୱାରା ପଶ୍ଚିମ ଓଡ଼ିଶାର ସାମଗ୍ରିକ ଅର୍ଥନୈତିକ ବିକାଶକୁ ସହାୟତା ମିଳିବ।ବରପାଲି ରେଳ ଷ୍ଟେସନର ଏହି ରୂପାନ୍ତରଣ, ଭାରତୀୟ ରେଳବାଇର ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରଦାନ ଏବଂ ପ୍ରତ୍ୟେକ ଯାତ୍ରୀଙ୍କୁ ଏକ ନିରାପଦ, ଅତ୍ୟାଧୁନିକ ଏବଂ ଆରାମଦାୟକ ଯାତ୍ରାର ଅନୁଭୂତି ପ୍ରଦାନ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ।ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୧୭ ଜୁଲାଇ ୨୦୨୬ରେ ଉଦ୍‌ଘାଟନ ହେବାକୁ ଥିବା ଭାରତୀୟ ରେଳବାଇର ୭୫ଟି ଷ୍ଟେସନ ମଧ୍ୟରେ ବରପାଲି ଅନ୍ୟତମ।

Leave a Reply

Your email address will not be published. Required fields are marked *