ଶିଶୁସୁରକ୍ଷା ସ୍ବେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ ଶିଶୁ ଅଧିକାର କମିଶନ

ଶିଶୁସୁରକ୍ଷା ସ୍ବେଚ୍ଛାସେବୀଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ ଶିଶୁ ଅଧିକାର କମିଶନ l ପୁରୀରେ ଅନୁଷ୍ଠିତ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଶିଶୁ ମାନଙ୍କ ସୁରକ୍ଷା ନିମନ୍ତେ ନିୟୋଜିତ ହୋଇଥିବା ଶିଶୁ ସୁରକ୍ଷା ସ୍ବେଚ୍ଛାସେବୀଙ୍କୁ ସ୍ଥାନୀୟ ସ୍ୱତନ୍ତ୍ର ପ୍ରଦକ୍ଷିଣ ଗୃହ, ପୁରୀ ଠାରେ ସମ୍ବର୍ଦ୍ଧିତ କରିଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଶ୍ରୀମତୀ ବବିତା ପାତ୍ର। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଦ୍ୱାରା ଆୟୋଜିତ ସ୍ବେଚ୍ଛାସେବୀ ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ଅଧ୍ୟକ୍ଷା କହିଥିଲେ ଯେ, ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଜନସମାଗମ ପରିବେଶରେ ହଜିବା, ବିପରୀତ ପରିସ୍ଥିତିରେ ରହୁଥିବା ଶିଶୁମାନଙ୍କୁ ଖୋଜିବା ବା ଉଦ୍ଧାର କରିବା କଷ୍ଟକର ବ୍ୟାପାର। ଏହି କାର୍ଯ୍ୟକୁ ଶିଶୁସୁରକ୍ଷା ସ୍ବେଚ୍ଛାସେବୀମାନେ ନିଷ୍ଠାର ସହିତ ସମ୍ପାଦନା କରି ମୋଟ ୨୧୫ ଜଣ ଶିଶୁଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ କମିଟିଙ୍କ ନିର୍ଦ୍ଦେଶ କ୍ରମେ ପରିବାରରେ ସମ୍ମିଶ୍ରଣ କରାଇପାରିଛନ୍ତି। ଏ ଉପଲବ୍ଧି ଓ ସଫଳତା ପାଇଁ ଗୁଣ୍ଡିଚା ଯାତ୍ରା ଠାରୁ ବାହୁଡା଼ ଯାତ୍ରା ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ମୋଟ ୬୦ ଜଣ ଶିଶୁ ସୁରକ୍ଷା ସ୍ବେଚ୍ଛାସେବୀଙ୍କୁ ପ୍ରମାଣପତ୍ର, ପ୍ରୋତ୍ସାହନ ରାଶି ପ୍ରଦାନ ସହିତ ଧନ୍ୟବାଦ ଜଣାଇଛନ୍ତି।

ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ବେହେରା, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ମହାବୀର ରୁଦ୍ର ନାରାୟଣ ସାହୁ ଜିଲ୍ଲା ସୂଚନା ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ୟୁନିସେଫ ପ୍ରତିନିଧି ଚକ୍ରଧର ସାହୁ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ସୁରକ୍ଷା ଅଧିକାରୀ ଶୁଭ ନାରାୟଣ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ। ସ୍ବେଚ୍ଛାସେବୀମାନେ ସେମାନଙ୍କର ଅଭିଜ୍ଞତା, କାର୍ଯ୍ୟ ସମୟରେ ଆହ୍ୱାନ ଗୁଡ଼ିକ ବିଷୟରେ ଅବଗତ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଚାଇଲଡ ହେଲ୍ପଲାଇନ ସଂଯୋଜକ କୃଷ୍ଣଚନ୍ଦ୍ର ମିଶ୍ର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ରୋଜାଲିନି ପାତ୍ର, ହରେକୃଷ୍ଣ ସାହୁ, ସୁସ୍ମିତା ନନ୍ଦ, ବିଜୟ ପରିଡ଼ା ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *