ସାଇବର ଠକେଇ ବିରୋଧରେ ପୁରୀ ପୋଲିସର ବ୍ୟାପକ ସଚେତନତା ଅଭିଯାନ

ସାଇବର ଠକେଇ ବିରୋଧରେ ପୁରୀ ପୋଲିସର ବ୍ୟାପକ ସଚେତନତା ଅଭିଯାନରେ ସ୍କୁଲ ଓ କଲେଜରେ ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ସମ୍ପର୍କରେ ସଚେତନତା*ସାଇବର ଅପରାଧର ବୃଦ୍ଧି ପରିପ୍ରେକ୍ଷୀରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ଡିଜିଟାଲ୍ ଠକେଇରୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ପୁରୀ ପୋଲିସ ପକ୍ଷରୁ ଆଜି ଜିଲ୍ଲାର ବିଭିନ୍ନ ଥାନାଞ୍ଚଳରେ ବ୍ୟାପକ ସାଇବର ସଚେତନତା ଅଭିଯାନ ଆୟୋଜନ କରାଯାଇଛି। ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ଏବଂ ସିଟି ଡିଏସ୍‌ପି ଶ୍ରୀ ରଶ୍ମିରଞ୍ଜନ ମହାପାତ୍ରଙ୍କ ନେତୃତ୍ୱରେ ପୁରୀ ସହରର ବିଭିନ୍ନ ସ୍କୁଲ ଓ କଲେଜରେ ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧ ଏବଂ ଅନଲାଇନ୍ ଠକେଇ ସମ୍ପର୍କରେ ସଚେତନ କରାଯାଇଥିଲା।ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ କରିବା ସହିତ ସେମାନଙ୍କ ମାଧ୍ୟମରେ ପରିବାରର ବୟସ୍କ ବ୍ୟକ୍ତି, ବିଶେଷକରି ବରିଷ୍ଠ ନାଗରିକ ଓ ସାଇବର ସୁରକ୍ଷା ବିଷୟରେ କମ୍ ଜ୍ଞାନ ଥିବା ବ୍ୟକ୍ତିମାନଙ୍କୁ ସଚେତନ କରାଇବା। ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ଘରେ ଘରେ ସାଇବର ସଚେତନତା ବର୍ତ୍ତମାନ ସମୟରେ ଅନଲାଇନ୍ ଠକେଇ, OTP ଠକେଇ, UPI ଠକେଇ, ଫିସିଂ, ନକଲି କଷ୍ଟମର କେୟାର, ଡିଜିଟାଲ୍ ଆରେଷ୍ଟ ଆଦି ବିଭିନ୍ନ ପ୍ରକାରର ସାଇବର ଅପରାଧ ଘଟୁଛି। ଏଥିରୁ ରକ୍ଷା ପାଇବା ପାଇଁ ସାଇବର ସଚେତନତା ଅତ୍ୟନ୍ତ ଜରୁରୀ। ଏହି ପରିପ୍ରେକ୍ଷୀରେ ସ୍କୁଲ ଓ କଲେଜରେ ଛାତ୍ରଛାତ୍ରୀଙ୍କୁ OTP, UPI PIN, CVV, ପାସୱାର୍ଡ ଓ ବ୍ୟାଙ୍କ ସମ୍ପର୍କିତ ଗୁପ୍ତ ତଥ୍ୟ କାହା ସହିତ ମଧ୍ୟ ସେୟାର ନକରିବା, ଅଜଣା ଲିଙ୍କ୍ କିମ୍ବା QR Code ଉପରେ କ୍ଲିକ୍/ସ୍କାନ୍

ନକରିବା, ଅଜଣା App ଇନଷ୍ଟଲ୍ ନକରିବା, Screen Share କିମ୍ବା Remote Access ନଦେବା ଏବଂ ସନ୍ଦେହଜନକ ଫୋନ୍ କଲ୍‌ରୁ ସତର୍କ ରହିବା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇ ଦିଆଯାଇଥିଲା। ଛାତ୍ରଛାତ୍ରୀଙ୍କୁ ଏହା ମଧ୍ୟ ବୁଝାଇ ଦିଆଯାଇଥିଲା ଯେ ‘ଡିଜିଟାଲ୍ ଆରେଷ୍ଟ’ ବୋଲି କୌଣସି ଆଇନଗତ ବ୍ୟବସ୍ଥା ନାହିଁ ଏବଂ କୌଣସି ପୋଲିସ, CBI, ED, କଷ୍ଟମ୍ସ କିମ୍ବା ନ୍ୟାୟାଳୟ ଫୋନ୍ କଲ୍ କିମ୍ବା ଭିଡିଓ କଲ୍ ମାଧ୍ୟମରେ କାହାକୁ ଗିରଫ କରନ୍ତି ନାହିଁ।ସଚେତନତା କାର୍ଯ୍ୟକ୍ରମ ସମୟରେ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ସାଇବର ସୁରକ୍ଷା ସମ୍ପର୍କିତ ସଚେତନତା ଲିଫ୍‌ଲେଟ୍ ବଣ୍ଟନ କରାଯାଇଥିଲା। ଲିଫ୍‌ଲେଟ୍‌ରେ ଥିବା ସାଇବର ସୁରକ୍ଷା ନିର୍ଦ୍ଦେଶାବଳୀକୁ ପଢ଼ିବା ସହିତ ଏହାକୁ ନିଜ ପରିବାରର ସଦସ୍ୟ ଓ ପରିଚିତମାନଙ୍କ ମଧ୍ୟରେ ପହଞ୍ଚାଇବା ପାଇଁ ଛାତ୍ରଛାତ୍ରୀଙ୍କୁ ଅନୁରୋଧ କରାଯାଇଥିଲା। ଏହା ମାଧ୍ୟମରେ “ଜଣେ ସଚେତନ ଛାତ୍ର – ଏକ ସଚେତନ ପରିବାର” ଏବଂ “ସଚେତନ ପରିବାର – ସୁରକ୍ଷିତ ସମାଜ” ଲକ୍ଷ୍ୟ ନେଇ ଘରେ ଘରେ ସାଇବର ସଚେତନତା ପହଞ୍ଚାଇବାକୁ ପ୍ରୟାସ କରାଯାଇଛି। ପୁରୀ ସହରର ବିଭିନ୍ନ ସ୍କୁଲ ଓ କଲେଜରେ ପୋଲିସ ଅଧିକାରୀମାନେ ସ୍ୱୟଂ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ସାଇବର ଅପରାଧର ବିଭିନ୍ନ ଦିଗ ଏବଂ ଏଥିରୁ ନିଜକୁ କିପରି ସୁରକ୍ଷିତ ରଖିବେ ସେ ସମ୍ପର୍କରେ ବୁଝାଇଥିଲେ।ଛାତ୍ରଛାତ୍ରୀମାନେ ମଧ୍ୟ ସାଇବର ଅପରାଧ ସମ୍ପର୍କିତ ବିଭିନ୍ନ ପ୍ରଶ୍ନ ପଚାରିଥିବା ବେଳେ ପୋଲିସ ଅଧିକାରୀମାନେ ସେମାନଙ୍କୁ ଆବଶ୍ୟକ ପରାମର୍ଶ ଓ ସୂଚନା ପ୍ରଦାନ କରିଥିଲେ। ଆଜିର ଏହି ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ପୁରୀ ପୋଲିସର ‘ସାଇବର ଅଭିଯାନ ଯାତ୍ରା’ ଆରମ୍ଭ ହୋଇଛି। ଆଗାମୀ ଦିନରେ ମଧ୍ୟ ଏହି ଅଭିଯାନକୁ ଜିଲ୍ଲାର ବିଭିନ୍ନ ଅଞ୍ଚଳ, ଶିକ୍ଷାନୁଷ୍ଠାନ ଓ ସାଧାରଣ ଲୋକଙ୍କ ନିକଟକୁ ନେଇ ସାଇବର ଅପରାଧ ବିରୋଧରେ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ପୁରୀ ପୋଲିସ ପକ୍ଷରୁ ସମସ୍ତ ଅଭିଭାବକ, ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ଓ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଉଛି ଯେ ସାଇବର ଅପରାଧ ବିରୋଧରେ ସଚେତନ ରୁହନ୍ତୁ, ଅନ୍ୟମାନଙ୍କୁ ସଚେତନ କରନ୍ତୁ ଏବଂ କୌଣସି ସନ୍ଦେହଜନକ ଘଟଣା ଘଟିଲେ ତୁରନ୍ତ ପୋଲିସର ସହାୟତା ନିଅନ୍ତୁ। ସାଇବର ଠକେଇ ହେଲେ ତୁରନ୍ତ ୧୯୩୦କୁ କଲ୍ କରନ୍ତୁ। ଜରୁରୀ ପୋଲିସ ସହାୟତା ପାଇଁ ୧୧୨କୁ କଲ କରନ୍ତୁ।

Leave a Reply

Your email address will not be published. Required fields are marked *