ପୁରୀ ଜିଲ୍ଲାର ୮୨ଟି ଶିକ୍ଷାନୁଷ୍ଠାନରେ ସାଇବର ସଚେତନତା କାର୍ଯ୍ୟକ୍ରମ*
ପୁରୀ ଜିଲ୍ଲାର ୮୨ଟି ଶିକ୍ଷାନୁଷ୍ଠାନରେ ସାଇବର ସଚେତନତା କାର୍ଯ୍ୟକ୍ରମ*ଛାତ୍ରଛାତ୍ରୀମାନଙ୍କୁ ସାଇବର ଠକେଇ, ଅନଲାଇନ୍ ସୁରକ୍ଷା, ଡିଜିଟାଲ୍ ମାଧ୍ୟମର ସୁରକ୍ଷିତ ବ୍ୟବହାର ଏବଂ ଦାୟିତ୍ୱଶୀଳ ଅନଲାଇନ୍ ଆଚରଣ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ତିନିଦିନ ମଧ୍ୟରେ ପୁରୀ ପୋଲିସ ପକ୍ଷରୁ ଜିଲ୍ଲାର ବିଭିନ୍ନ ସ୍କୁଲ୍ ଓ କଲେଜ୍ ସମେତ ମୋଟ ୮୨ଟି ଶିକ୍ଷାନୁଷ୍ଠାନରେ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ବର୍ତ୍ତମାନ ସମୟରେ ଇଣ୍ଟରନେଟ୍ ଓ ଡିଜିଟାଲ୍ ପ୍ଲାଟଫର୍ମ ଛାତ୍ରଛାତ୍ରୀଙ୍କ ଦୈନନ୍ଦିନ ଜୀବନର ଏକ ଅବିଚ୍ଛିନ୍ନ ଅଂଶ ହୋଇଥିବାରୁ, ସେମାନଙ୍କୁ ସାଇବର ଅପରାଧର ବିଭିନ୍ନ ରୂପ ଓ ଏଥିରୁ ନିଜକୁ କିପରି ସୁରକ୍ଷିତ ରଖିବେ ସେ ସମ୍ପର୍କରେ ଜ୍ଞାନ ପ୍ରଦାନ କରାଯାଇଛି। ସାଇବର ଠକେଇ, ଫିସିଂ ଲିଙ୍କ୍, ଭୁଆ ୱେବସାଇଟ୍, OTP ଓ ବ୍ୟାଙ୍କିଂ ସୂଚନାର ଦୁରୁପଯୋଗ, ସୋସିଆଲ୍ ମିଡିଆ ଆକାଉଣ୍ଟର ସୁରକ୍ଷା, ଅଜଣା ବ୍ୟକ୍ତିଙ୍କ ସହ ଅନଲାଇନ୍ ଯୋଗାଯୋଗ ସମୟରେ ସତର୍କତା ଆଦି ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ରେ କୌଣସି ଅଜଣା ଲିଙ୍କ୍ରେ କ୍ଲିକ୍ ନକରିବା, ନିଜର OTP, PIN, Password ଓ ବ୍ୟାଙ୍କିଂ ସମ୍ପର୍କିତ ଗୋପନୀୟ ତଥ୍ୟ କାହା ସହିତ ମଧ୍ୟ ସେୟାର ନକରିବା, ଶକ୍ତିଶାଳୀ ପାସୱାର୍ଡ ବ୍ୟବହାର କରିବା ଏବଂ ସୋସିଆଲ୍ ମିଡିଆରେ ଅତ୍ୟଧିକ ବ୍ୟକ୍ତିଗତ ତଥ୍ୟ ସେୟାର ନକରିବା ପାଇଁ ପରାମର୍ଶ ଦିଆଯାଇଛି। ଏଥିସହିତ, ସାଇବର ଠକେଇର ଶିକାର ହେଲେ ଭୟଭୀତ ନହୋଇ ତୁରନ୍ତ ଆଇନଗତ ପଦକ୍ଷେପ ନେବା ଏବଂ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଘଟଣା ବିଷୟରେ ଜଣାଇବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଛାତ୍ରଛାତ୍ରୀମାନେ ନିଜେ ସଚେତନ ହେବା ସହିତ ପରିବାରବର୍ଗ ଓ ସମାଜର ଅନ୍ୟମାନଙ୍କୁ ମଧ୍ୟ ସାଇବର ସୁରକ୍ଷା ବିଷୟରେ ସଚେତନ କରିବାକୁ ପୁରୀ ପୋଲିସ ପକ୍ଷରୁ ଆହ୍ୱାନ କରାଯାଇଛି। ଏହି ଅଭିଯାନର ଅଂଶ ଭାବେ ଆଜି ମହିଳା ମହାବିଦ୍ୟାଳୟ, ପୁରୀ ଠାରେ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂଙ୍କ ଅଧ୍ୟକ୍ଷତା କରି ଛାତ୍ରୀମାନଙ୍କୁ ସାଇବର ଅପରାଧରୁ ସୁରକ୍ଷିତ ରହିବା ଏବଂ ଡିଜିଟାଲ୍ ମାଧ୍ୟମକୁ ସତର୍କତାର ସହ ବ୍ୟବହାର କରିବା ସମ୍ପର୍କରେ ସଚେତନ କରିଥିଲେ।

ଏସ୍ପି ପୁରୀ ଶ୍ରୀ ପ୍ରତୀକ ସିଂ ଛାତ୍ରୀମାନଙ୍କୁ ସାଇବର ଅପରାଧର ବିଭିନ୍ନ ଦିଗ ସମ୍ପର୍କରେ ଅବଗତ କରାଇବା ସହିତ, ଡିଜିଟାଲ୍ ଦୁନିଆରେ ସତର୍କତା, ସଚେତନତା ଓ ଦାୟିତ୍ୱଶୀଳ ଆଚରଣର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ବିଶେଷକରି ଅଜଣା ବ୍ୟକ୍ତିଙ୍କ ଫୋନ୍ କଲ୍, ମେସେଜ୍ କିମ୍ବା ସନ୍ଦେହଜନକ ଲିଙ୍କ୍ ପ୍ରତି ସତର୍କ ରହିବା ଏବଂ କୌଣସି ପରିସ୍ଥିତିରେ ଗୋପନୀୟ ଡିଜିଟାଲ୍ ତଥ୍ୟ ଅନ୍ୟମାନଙ୍କ ସହ ସେୟାର ନକରିବାକୁ ସେ ପରାମର୍ଶ ଦେଇଥିଲେ। ସେ କହିଥିଲେ ଯେ, “ସାଇବର ଅପରାଧକୁ ରୋକିବାରେ ସଚେତନତା ହିଁ ସବୁଠାରୁ ବଡ଼ ସୁରକ୍ଷା।” ଛାତ୍ରଛାତ୍ରୀମାନେ ନିଜର ଡିଜିଟାଲ୍ ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସଚେତନ ହେଲେ ସାଇବର ଅପରାଧର ଶିକାର ହେବାର ଆଶଙ୍କାକୁ ବହୁ ମାତ୍ରାରେ କମାଇପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ। ପୁରୀ ପୋଲିସ ପକ୍ଷରୁ ଆୟୋଜିତ ଏହି ଅଭିଯାନରେ ଛାତ୍ରଛାତ୍ରୀଙ୍କୁ “Think Before You Click” ଏବଂ “Stay Alert, Stay Safe, Stay Cyber Safe” ଭଳି ସଚେତନତା ବାର୍ତ୍ତା ଦିଆଯାଇଛି।ସାଇବର ଠକେଇରୁ ସୁରକ୍ଷିତ ରହିବା ପାଇଁ ନିଜର ଗୋପନୀୟ ତଥ୍ୟ ସୁରକ୍ଷିତ ରଖିବା, ଅଜଣା ଲିଙ୍କ୍ ଓ ଆପ୍ ଡାଉନଲୋଡ୍ରୁ ଦୂରେଇ ରହିବା, ସୋସିଆଲ୍ ମିଡିଆ ଆକାଉଣ୍ଟରେ Privacy Settings ଠିକ୍ ଭାବେ ବ୍ୟବହାର କରିବା ଏବଂ ସନ୍ଦେହଜନକ ଅନଲାଇନ୍ କାର୍ଯ୍ୟକଳାପ ସମ୍ପର୍କରେ ତୁରନ୍ତ ଅଭିଭାବକ, ଶିକ୍ଷକ କିମ୍ବା ପୋଲିସକୁ ଜଣାଇବା ପାଇଁ ପରାମର୍ଶ ଦିଆଯାଇଛି। ପୁରୀ ପୋଲିସର ଏହି ସାଇବର ସଚେତନତା ଅଭିଯାନର ମୁଖ୍ୟ ଲକ୍ଷ୍ୟ ହେଉଛି ଯୁବପିଢ଼ିଙ୍କୁ ଏକ ସୁରକ୍ଷିତ ଓ ସଚେତନ ଡିଜିଟାଲ୍ ପରିବେଶ ପ୍ରଦାନ କରିବା। ଆଗାମୀ ଦିନରେ ମଧ୍ୟ ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ସାଧାରଣ ଲୋକଙ୍କ ମଧ୍ୟରେ ସାଇବର ସୁରକ୍ଷା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଜାରି ରହିବ।
