ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ

ଢେଙ୍କାନାଳ, ୧୬ ଅଗଷ୍ଟ: ଢେଙ୍କାନାଳ ଜିଲ୍ଲା ସଦର ମହକୁମାଠାରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ପବିତ୍ର ଦିବସ ପାଳନ ଅବସରରେ ଢେଙ୍କାନାଳ ଷ୍ଟାଡିୟମଠାରେ ସକାଳ ୯ଟା ୧୫ ମିନିଟ୍ ସମୟରେ ଦିବସର ମୁଖ୍ୟଅତିଥି ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଆଶିଷ ଇଶ୍ଵର ପାଟିଲ ଜାତୀୟ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ । ପ୍ୟାରେଡ କମାଣ୍ଡର ଜ୍ଯୋତି ପ୍ରକାଶ ପଟ୍ଟନାୟକ, ଆର.ଆଇ.ଙ୍କ, ନେତୃତ୍ବରେ ବିଭିନ୍ନ ଶିକ୍ଷାନୁଷ୍ଠାନର ପ୍ୟାରେଡ ଦଳ, ଢେଙ୍କାନାଳ ପୋଲିସ ବାହିନୀ, ଓ.ଏସ୍.ଏ.ପି. ପ୍ରଥମ ବାଟାଲିୟନ ଓ ବ୍ୟାଣ୍ଡ ଦଳ ପକ୍ଷରୁ ପ୍ୟାରେଡ କରାଯାଇ ଜାତୀୟ ପତାକାକୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଏହି ଅବସରରେ ମୁଖ୍ୟଅତିଥି ଢେଙ୍କାନାଳ ଜିଲ୍ଲାବାସୀଙ୍କୁ ଅଭିବାଦନ ଏବଂ ଶୁଭେଚ୍ଛା ଜ୍ଞାପନ କରିଥିଲେ । ବିଶ୍ଵ ଇତିହାସରେ ଭାରତର ସ୍ଵାଧୀନତା ସଂଗ୍ରାମ ଏକ ଅଭୂତପୂର୍ବ ଘଟଣା ବୋଲି ସେ ବର୍ଣ୍ଣନା କରିଥିଲେ । ସ୍ଵାଧୀନତା ସଂଗ୍ରାମରେ ପ୍ରାଣବଳି ଦେଇଥିବା ସମସ୍ତ ମହାପୁରୁଷ ଏବଂ ଢେଙ୍କାନାଳର ବରପୁତ୍ରମାନଙ୍କ ପ୍ରତି ଶ୍ରଦ୍ଧା ଜ୍ଞାପନ କରିଥିଲେ । ବିକଶିତ ଓଡିଶା ଗଠନ ନିମନ୍ତେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ପ୍ରଦାନ କରିବା ସହିତ ଦେଶର ଏକତା,ଅଖଣ୍ଡତା, ଶାନ୍ତି ଓ ମୈତ୍ରୀ ବଜାୟ ରଖି ରାଜ୍ୟ ଏବଂ ଦେଶର ଉନ୍ନତି ପାଇଁ ପବିତ୍ର ସ୍ଵାଧୀନତା ଦିବସରେ ସମସ୍ତେ ସଂକଳ୍ପ ନେବାକୁ କହିଥିଲେ । ଆନୁଷ୍ଠନିକ ପ୍ୟାରେଡ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଚିତ୍ତାକର୍ଷକ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ମାଟ୍ରିକ ପରୀକ୍ଷାରେ ଜିଲାରେ ସର୍ବାଧିକ ନମ୍ବର ରଖିଥିବା ଶ୍ରୀମାନ ଅମନ କୁମାର ସାହୁ, ଶ୍ରୀମାନ ଅରଣ୍ୟ କୁମାର ସାହୁ, ଏବଂ କୁମାରୀ ଶ୍ରେୟା ଶିଳ୍ପୀ ସାହୁ ଏବଂ ଜିଲ୍ଲାର ଶ୍ରେଷ୍ଠ ବିଦ୍ୟାଳୟ ଭାବେ ପଞ୍ଚାୟତରାଜ ହାଇସ୍କୁଲ, କାନପୁରା ଏହି ଦିବସର ପୁରସ୍କୃତ ହୋଇଥିଲେ । ଏହି ଅବସରରେ ଜିଲ୍ଲାରେ ସର୍ବାଧିକ ରକ୍ତ ଦାନ ନିମନ୍ତେ ବଜରଙ୍ଗ କ୍ଲବ ଢେଙ୍କାନାଳ, ବିଜେପି ଢେଙ୍କାନାଳ, ଆମ ଓଡିଶା ଢେଙ୍କାନାଳ, ସାଇ ସତସଙ୍ଗ ସେବା ଟ୍ରଷ୍ଟ, ଟାଟା ଷ୍ଟିଲ, ମେରାମଣ୍ଡଳୀ, ଏବଂ ମହିଳା ଶିବିର, ବଜରଙ୍ଗ କ୍ଲବ, ଢେଙ୍କାନାଳଙ୍କୁ ରନିଙ୍ଗ ସିଲ୍ଡ ପ୍ରଦାନ କରାଯାଇଥିଲା । ସମ୍ମିଳିତ ପ୍ୟାରେଡରେ ଶ୍ରେଷ୍ଠ ସମର ଶିକ୍ଷାର୍ଥୀ ଭାବେ ଜୁନିଅର ଡିଭିଜ଼ନ ଏନସିସି, ଦିଲ୍ଲୀ ପବ୍ଲିକ ସ୍କୁଲ, ଶ୍ରେଷ୍ଠ ବେସାମରିକ ବାଳିକା ପ୍ୟାରେଡ ଦଳ ଭାବେ ସୁଲକ୍ଷଣା ଦେବୀ ବାଳିକା ଉଚ୍ଚ ବିଦ୍ୟାଳୟ, ଶ୍ରେଷ୍ଠ ବେସାମରିକ ବାଳକ ପ୍ୟାରେଡ ଦଳ ଭାବେ ଆନନ୍ଦ ମାର୍ଗ ପବ୍ଲିକ ସ୍କୁଲ ଏବଂ ଶ୍ରେଷ୍ଠ ଗାଇଡ ଦଳ ଭାବେ ସେଣ୍ଟ ଜାଭିୟର୍ସ ହାଇ ସ୍କୁଲକୁ ରନିଙ୍ଗ ସିଲ୍ଡ ପ୍ରଦାନ କରାଯାଇଥିଲା । ପବିତ୍ର ଜାତୀୟ ଦିବସ ଅବସରରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀ ମାନଙ୍କୁ ଫଳ ବଣ୍ଟନ ଏବଂ ଜିଲ୍ଲା କାରାଗାରର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ପ୍ରତ୍ୟୁଷରୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହର ମଧ୍ୟରେ ଡାକବାଜି ଯନ୍ତ୍ର ଦ୍ଵାରା ରାମ ଧୂନ ପରିବେଷଣ କରାଯାଇଥିଲା । ସକାଳ ୮ ଘଟିକା ଠାରୁ ସହର ମଧ୍ୟରେ ଥିବା ସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ମାଲ୍ୟାର୍ପଣ କରିଥିଲେ । ଏହି ଅବସରରେ ପ୍ରୟାସ ପରିବାର, ଢେଙ୍କାନାଳ ପକ୍ଷରୁ ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ହଲ ଠାରେ ଏକ ରକ୍ତଦାନ ଶିବିର ଏବଂ ରୋଟାରୀ କ୍ଲବ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଥିଲା । ଅପରାହ୍ନରେ ଷ୍ଟାଡିୟମ ଠାରେ ଢେଙ୍କାନାଳ ପ୍ରଶାସନ ଏବଂ ଗଣମାଧ୍ୟମ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ଯାଚ ଅନୁଷ୍ଠିତ ହୋଇଥିଲା । ସନ୍ଧ୍ଯାରେ ଆର୍ଟ ଆଣ୍ଡ କ୍ରାଫ୍ଟ ସେଣ୍ଟର ଠାରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ସାଧୀନତା ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ମୁଖ୍ୟ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଉତ୍ସବରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଭିନବ ସୋନକର, ଢେଙ୍କାନାଳ ପୌରଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠି, ଏବଂ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଉପଜ଼ିଲ୍ଲାପାଳ ଶ୍ରୀ ପଦ୍ମ ଚରଣ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।ସର୍ବଶ୍ରେଷ୍ଠ ସାଂସ୍କୃତିକ ଦଳ ଭାବେ ଦିଲ୍ଲୀ ପବ୍ଲିକ୍ ସ୍କୁଲ୍, କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ସେଣ୍ଟ୍ ଜାଭିୟର୍ସ ସ୍କୁଲଙ୍କୁ ପୁରସ୍କୃତ କରାଯାଇଥିଲା।

Leave a Reply

Your email address will not be published. Required fields are marked *