ପାନୀୟ ଜଳ ଯୋଗାଣ ଲାଗି ରେଳବାଇର ତତ୍କାଳ ପଦକ୍ଷେପ

ନୂଆଦିଲ୍ଲୀ, ୧୬ ଅଗଷ୍ଟ:ପାନୀୟ ଜଳ ଗୁଣବତ୍ତା ଉପରେ ସିଏଜି ରିପୋର୍ଟ ଆସିବା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବରିଷ୍ଠ ଅଧିକାରୀମାନଙ୍କୁ ନେଇ ସାରା ଦିନ ସମୀକ୍ଷା କରିବା ପରେ ତତ୍କାଳ ପଦକ୍ଷେପ ନେଇଛନ୍ତି। ରେଳବାଇର ସିଆରବି, ସିଇଓ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ସମୀକ୍ଷା କରିବା ପରେ ନିରାପଦ ପାନୀୟ ଜଳ ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।ରେଳ ନେଟୱାର୍କର ପ୍ରାୟ ୨୦ ହଜାର ସ୍ଥାନରେ ଥଣ୍ଡା ପାନୀୟ ଜଳ ମେସିନ, ବିସ୍ତୃତ ଜଳ ବିଶୋଧନ ବ୍ୟବସ୍ଥା ଏବଂ ନିରୀକ୍ଷଣ ବ୍ୟବସ୍ଥା ସହିତ ‘ଟ୍ୟାଙ୍କରୁ ଟ୍ୟାପ୍‌’ ୱାଟର ଫିଲ୍ଟରେସନ ପ୍ରଣାଳୀ ସ୍ଥାପନ କରାଯିବ । ଏହା ସହିତ ପାଣିଟାଙ୍କି ବଦଳାଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।ଜଳ ଉତ୍ସ ଏବଂ ବାହାର ସ୍ଥାନଗୁଡ଼ିକରେ ନିୟମିତ ଜଳ ଗୁଣବତ୍ତା ପରୀକ୍ଷା କରାଯିବ । କେନ୍ଦ୍ରୀକୃତ ତଦାରଖ ଓ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରାଯିବ । ପାଣି ସଂରକ୍ଷିତ ହେଉଥିବା ଟାଙ୍କିର ନିର୍ଦ୍ଧାରିତ ନିୟମ ଅନୁଯାୟୀ ସଫା ଓ ରକ୍ଷଣାବେକ୍ଷଣ କରାଯିବ । ଏହା ଏକ ସର୍ବୋଚ୍ଚ ପ୍ରାଥମିକତା କ୍ଷେତ୍ର ଏବଂ ବୋର୍ଡ ସ୍ତରରେ ସିଧାସଳଖ ତଦାରଖ କରାଯିବ । ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ ପ୍ରଗତି ଓ ଜଳ ଗୁଣବତ୍ତା ରିପୋର୍ଟ ସମୟ ସମୟରେ ପ୍ରକାଶିତ ହେବ। ସମସ୍ତ ସିଏଜି ପର୍ଯ୍ୟବେକ୍ଷଣକୁ ସମାଧାନ କରିବା ଏବଂ ସାମଗ୍ରିକ ଯାତ୍ରା ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଏକ ବୃହତ ଅଭିଯାନର ଅଂଶ ଭାବେ ଏହି କାର୍ଯ୍ୟ କରାଯିବ ।

Leave a Reply

Your email address will not be published. Required fields are marked *