ମାଲକାନଗିରି ବିମାନବନ୍ଦରରୁ ଉଡ଼ିବ ବିମାନ: ପ୍ରସ୍ତୁତି ସମୀକ୍ଷା କଲେ ଜିଲ୍ଲା ପ୍ରଶାସନ

ମାଲକାନଗିରି ୨୦/୮(ପ୍ରଶାନ୍ତ କୁମାର ସଗରିଆ )ମାଲକାନଗିରି ବିମାନବନ୍ଦରରୁ ବାଣିଜ୍ୟିକ ବିମାନ ସେବାର ଶୁଭାରମ୍ଭ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଏହି ସେବାର ଆନୁଷ୍ଠାନିକ ଉଦଘାଟନ ହେବାକୁ ଥିବାବେଳେ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଛି। ବିମାନ ସେବାକୁ ସୁଗମ ଓ ସୁବ୍ୟବସ୍ଥିତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବେଦବର ପ୍ରଧାନ ଏବଂ ଡେପୁଟି କଲେକ୍ଟର ସ୍ଵୟଂ ସିଦ୍ଧ ରାଉତଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଭୂମିସ୍ତରୀୟ ପ୍ରସ୍ତୁତି ଓ ସମନ୍ୱୟର ସମୀକ୍ଷା କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଏଠାରୁ ଆରସିଏସ ଉଡ଼ାନ୍ ଯୋଜନାରେ ନନ୍-ସେଡ୍ୟୁଲ୍ଡ ବାଣିଜ୍ୟିକ ବିମାନ ଚଳାଚଳ ଆରମ୍ଭ ହେବ। ଇଣ୍ଡିଆଓ୍ବାନ୍ ଏୟାର ପକ୍ଷରୁ ୯ ସିଟ୍ ବିଶିଷ୍ଟ ବିମାନ ଉଡ଼ାଣ ଭରିବ। ଯାତ୍ରୀମାନଙ୍କ ଟିକେଟ ବୁକିଂ ଏବଂ ସହାୟତା ପାଇଁ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର ସେଲ୍ ଗଠନ କରାଯାଉଛି। ଏହି ବିମାନ ସେବା ଦ୍ୱାରା ଜିଲ୍ଲାରେ ଯୋଗାଯୋଗ, ବ୍ୟବସାୟ ଓ ପର୍ଯ୍ୟଟନ କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆସିବ ବୋଲି ପ୍ରଶାସନ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

Leave a Reply

Your email address will not be published. Required fields are marked *