ପୁରୀ ପୋଲିସର ତ୍ୱରିତ

*ପୁରୀ ପୋଲିସର ତ୍ୱରିତ ପଦକ୍ଷେପ: ଭିନ୍ନ ଭିନ୍ନ ଥାନା ଅଞ୍ଚଳରୁ ନିଖୋଜ ୪ ନାବାଳକ ସୁରକ୍ଷିତ ଉଦ୍ଧାର*ପୁରୀ ପୋଲିସର ଟାଉନ ଓ ସିଂହଦ୍ୱାର ଥାନାର ତ୍ୱରିତ ପଦକ୍ଷେପ, ଉତ୍ତମ ସମନ୍ୱୟ ଏବଂ ସୂଚନା ଆଦାନପ୍ରଦାନ ଯୋଗୁଁ ଭିନ୍ନ ଭିନ୍ନ ଅଞ୍ଚଳରୁ ନିଖୋଜ ହୋଇଥିବା ୪ ଜଣ ନାବାଳକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ଆବଶ୍ୟକ ଆଇନଗତ ପ୍ରକ୍ରିୟା ଅନୁସରଣ କରି ସମ୍ପୃକ୍ତ ପୋଲିସ ଥାନାକୁ ସୂଚନା ଦିଆଯାଇଥିବା ସହ ନାବାଳକଙ୍କୁ ସେମାନଙ୍କ ପରିବାର କିମ୍ବା ସମ୍ପୃକ୍ତ ଥାନାର ଅଧିକାରୀଙ୍କ ଜିମାରେ ହସ୍ତାନ୍ତର କରାଯାଇଛି। ଲିଙ୍ଗରାଜ ଥାନା ଅଞ୍ଚଳରୁ ନିଖୋଜ ୧୬ ବର୍ଷୀୟ ନାବାଳକ ଉଦ୍ଧାର, ଭୁବନେଶ୍ୱରର ଲିଙ୍ଗରାଜ ଥାନା ଅଞ୍ଚଳରୁ ଜଣେ ୧୬ ବର୍ଷୀୟ ନାବାଳକ ନିଖୋଜ ହୋଇଥିବା ନେଇ ସୂଚନା ମିଳିଥିଲା। ନାବାଳକ ଜଣକ ଏକ ବିଦ୍ୟାଳୟକୁ ଯାଇଥିଲେ, କିନ୍ତୁ ପରେ ଘରକୁ ଫେରିନଥିଲେ। ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଲିଙ୍ଗରାଜ ଥାନା ପୋଲିସ ସହ ପୁରୀ ପୋଲିସ ମଧ୍ୟରେ ତ୍ୱରିତ ସୂଚନା ଆଦାନପ୍ରଦାନ କରାଯାଇଥିଲା। ଏହାପରେ ଟାଉନ ଥାନାର କର୍ମଚାରୀମାନେ ସୂଚନା ଆଧାରରେ ଖୋଜାଖୋଜି କରି ନାବାଳକଙ୍କୁ ଶ୍ରୀମନ୍ଦିର ନିକଟସ୍ଥ ହେରିଟେଜ୍ କରିଡର ଅଞ୍ଚଳରୁ ସୁରକ୍ଷିତ ଭାବେ ଠାବ କରିଥିଲେ। ନାବାଳକଙ୍କୁ ଠାବ କରାଯିବା ପରେ ତାଙ୍କ ପରିବାରକୁ ସୂଚନା ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ତାଙ୍କ ପିତା ଆସି ନାବାଳକଙ୍କୁ ନିଜ ଜିମାରେ ନେଇଥିଲେ। ଏ ସମ୍ପର୍କରେ ଲିଙ୍ଗରାଜ ଥାନାକୁ ମଧ୍ୟ ଅବଗତ କରାଯାଇଥିଲା। ଅନ୍ୟ ଏକ ଘଟଣାରେ, ସହିଦନଗର ଥାନା ଅଞ୍ଚଳରୁ ଜଣେ ନାବାଳକ ନିଖୋଜ ହୋଇଥିବା ନେଇ ପୋଲିସକୁ ସୂଚନା ମିଳିଥିଲା।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁରୀ ସହରର ବିଭିନ୍ନ ଅଞ୍ଚଳରେ ପୋଲିସ କର୍ମଚାରୀମାନେ ସଜାଗ ରହି ନିଖୋଜ ନାବାଳକଙ୍କ ସନ୍ଧାନ ଜାରି ରଖିଥିଲେ। ଏହି ସମୟରେ ସିଂହଦ୍ୱାର ଥାନା ପୋଲିସ ନାବାଳକଙ୍କୁ ଶ୍ରୀମନ୍ଦିର ସମ୍ମୁଖ ଅଞ୍ଚଳରୁ ସୁରକ୍ଷିତ ଭାବେ ଠାବ କରିଥିଲେ। ନାବାଳକଙ୍କୁ ଉଦ୍ଧାର କରିବା ପରେ ସମ୍ପୃକ୍ତ ସହିଦନଗର ଥାନାକୁ ତୁରନ୍ତ ସୂଚନା ଦିଆଯାଇଥିଲା। ପରେ ନାବାଳକଙ୍କୁ ସହିଦନଗର ଥାନା ପୋଲିସର ଜିମାରେ ହସ୍ତାନ୍ତର କରାଯାଇଥିଲା।ଅନ୍ୟ ଏକ ଘଟଣାରେ ଆସ୍କା ଥାନା ଅଞ୍ଚଳରୁ ଜଣେ ମହିଳା ତାଙ୍କ ଦୁଇ ନାବାଳକ ସନ୍ତାନଙ୍କ ସହ ନିଖୋଜ ହୋଇଥିବା ନେଇ ପୋଲିସକୁ ସୂଚନା ମିଳିଥିଲା। ସୂଚନା ପାଇବା ପରେ ପୁରୀ ଟାଉନ ଥାନା ପୋଲିସ ପକ୍ଷରୁ ତୁରନ୍ତ ଖୋଜାଖୋଜି ଆରମ୍ଭ କରାଯାଇଥିଲା। ପୋଲିସ ଟିମ୍‌କୁ ମିଳିଥିବା ସୂଚନା ଆଧାରରେ ନିଖୋଜ ମହିଳା ଓ ତାଙ୍କ ଦୁଇ ନାବାଳକ ସନ୍ତାନଙ୍କୁ ପୁରୀ ବଡ଼ଦାଣ୍ଡ ଅଞ୍ଚଳରୁ ସୁରକ୍ଷିତ ଭାବେ ଠାବ କରାଯାଇଥିଲା। ଉଦ୍ଧାର ପରେ ଘଟଣା ସମ୍ପର୍କରେ ଆସ୍କା ଥାନା ପୋଲିସକୁ ଅବଗତ କରାଯାଇଥିଲା ଏବଂ ମହିଳା ଓ ତାଙ୍କ ଦୁଇ ନାବାଳକ ସନ୍ତାନଙ୍କୁ ତାଙ୍କ ପରିବାର ଜିମାରେ ହସ୍ତାନ୍ତର କରାଯାଇଥିଲା। ସମସ୍ତ ଘଟଣାରେ ପୁରୀ ପୋଲିସର ବିଭିନ୍ନ ଥାନା ମଧ୍ୟରେ ତ୍ୱରିତ ସୂଚନା ଆଦାନପ୍ରଦାନ ଓ ସମନ୍ୱୟ ଯୋଗୁଁ ନିଖୋଜ ନାବାଳକ ମାନଙ୍କୁ ଅଳ୍ପ ସମୟ ମଧ୍ୟରେ ଠାବ କରିବା ସମ୍ଭବ ହୋଇଥିଲା। ବିଶେଷକରି ପୁରୀ ଶ୍ରୀମନ୍ଦିର, ବଡ଼ଦାଣ୍ଡ ଓ ହେରିଟେଜ୍ କରିଡର ଭଳି ଭିଡ଼ ଅଞ୍ଚଳରେ ପୋଲିସ କର୍ମଚାରୀମାନେ ସଜାଗ ରହିବା ସହ ମିଳୁଥିବା ସୂଚନାକୁ ତୁରନ୍ତ ଯାଞ୍ଚ କରି ଆବଶ୍ୟକ ପଦକ୍ଷେପ ନେଇଥିଲେ। ପୁରୀ ପୋଲିସ ପକ୍ଷରୁ ସମସ୍ତ ଅଭିଭାବକଙ୍କୁ ଅନୁରୋଧ କରାଯାଉଛି ଯେ, ନାବାଳକ/ନାବାଳିକାମାନଙ୍କ ସୁରକ୍ଷା ପ୍ରତି ସର୍ବଦା ସଚେତନ ରୁହନ୍ତୁ। କୌଣସି ଶିଶୁ ନିଖୋଜ ହେଲେ ବିଳମ୍ବ ନକରି ତୁରନ୍ତ ନିକଟସ୍ଥ ପୋଲିସ ଥାନାକୁ ଜଣାନ୍ତୁ। ସମୟୋଚିତ ସୂଚନା ଓ ସହଯୋଗ ଦ୍ୱାରା ନିଖୋଜ ଶିଶୁଙ୍କୁ ଶୀଘ୍ର ଠାବ କରିବାରେ ସହାୟତା ମିଳିଥାଏ।

Leave a Reply

Your email address will not be published. Required fields are marked *