ଅପୂର୍ବ ଭେଟି

ଅପୂର୍ବ ଭେଟି
——✍️ ଚିନ୍ମୟୀ ସାହୁ।

ଅଦିନିଆ ବର୍ଷା ଭିଜାଏ ମନକୁ
ଅପ୍ରତ୍ୟାଶିତ ଅତିଥି
ସ୍ନେହର ଅପୂର୍ବ ବନ୍ଧନ ମାନେନା
ସ୍ଥାନ କାଳ ଶୁଭ ତିଥି।

ମନ ଧାଇଁ ଯାଏ ନିଜ ବସା ଯହିଁ
ତୋଳି ଥାଏ ଟିକି ଘର
ଘର ନୁହେଁ ସେ ତ ସ୍ନେହର ମନ୍ଦିର
ବନ୍ଧୁତ୍ୱ ହିଁ ଯହିଁ ସାର।

ବନ୍ଧୁତ୍ୱ ତ ଏକ ନିଃସର୍ତ୍ତ ସମ୍ପର୍କ
ଛଳନା ରହିତ ଡୋରୀ
ବଳା ଯାଇଥାଏ ବିଶ୍ୱାସ କତାରେ
କେବେ ଯାଏ ନାହିଁ ଛିଡି।

ସେ ଦେଲେ ମୁଁ ଦେବି ସେ ନେଲେ ମୁଁ ନେବି
ବ୍ୟାପାର ସଉଦା ନୁହେଁ
ବନ୍ଧା ଦୁଇ ପ୍ରାଣ ମନର ମିଳନେ
ପ୍ରୀତିର ସେ ଦିବ୍ୟ ମୋହେ।

ସବୁଠାରୁ ଉଚ୍ଚ ବନ୍ଧୁର ପରଶ
ଭରସା ସାହାରା ତା’ର
ବିଧତାଙ୍କ ଏକ ଅପୂର୍ବ ଭେଟି ଏ
ସର୍ତ୍ତ ଯା’ ନିଃସ୍ୱାର୍ଥପର।

ମୂଳିସିଂ, ସହର
ଜଗତସିଂହପୁର।

Leave a Reply

Your email address will not be published. Required fields are marked *