ବୃଦ୍ଧାଶ୍ରମ ଓ ବରିଷ୍ଠ ନାଗରିକ ଗୃହ ତାଲିକାଭୁକ୍ତ କରାଯିବ।

ପୁରୀ ୧୦/୯ ପୁରୀ ଜିଲ୍ଲାରେ ବେସରକାରୀ ଭାବେ ପରିଚାଳିତ ହେଉଥିବା ବରିଷ୍ଠ ନାଗରିକ ଗୃହ କିମ୍ବା ବୃଦ୍ଧାଶ୍ରମ ଗୁଡିକୁ ତାଲିକାଭୁକ୍ତ କରିବାକୁ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଜିଲ୍ଲାରେ ପରିଚାଳିତ ସମସ୍ତ ବରିଷ୍ଠ ନାଗରିକ ଗୃହ/ବୃଦ୍ଧାଶ୍ରମ ସମ୍ପର୍କରେ ଏକ ସମ୍ପୂର୍ଣ୍ଣ ତଥ୍ୟ ଭଣ୍ଡାର ବା ଡାଟାବେଶ ପ୍ରସ୍ତୁତ କରାଯିବାକୁ ସେ ପରାମର୍ଶ ଦେଇଛନ୍ତି।ଏହି ବିବରଣୀ ବା ତଥ୍ୟ ମଧ୍ୟରେ ସଂସ୍ଥା ର ନାମ ଓ ସମ୍ପୂର୍ଣ୍ଣ ଠିକଣା, ମାଲିକ/ମୁଖ୍ୟ/ସମ୍ପାଦକ ଙ୍କ ନାମ ଓ ଯୋଗାଯୋଗ ବିବରଣୀ, ପଞିକରଣ ସମ୍ପର୍କରେ ବିବରଣୀ, ସଂସ୍ଥା ପ୍ରତିଷ୍ଠା ତାରିଖ, ବର୍ତ୍ତମାନ ରହୁଥିବା ବା ସେବା ଗ୍ରହଣ କରୁଥିବା ବରିଷ୍ଠ ନାଗରିକ ଙ୍କ ସଂଖ୍ୟା, ପ୍ରଦାନ କରାଯାଉଥିବା ସୁବିଧା ଓ ସେବା ଏବଂ ଅନ୍ୟାନ୍ୟ ବିବରଣୀ, ଦଲିଲ ପତ୍ର ଅନ୍ତର୍ଭୁକ୍ତ ହେବ।ଆବଶ୍ୟକୀୟ ତଥ୍ୟ ସହ ଆନୁଷଙ୍ଗିକ ଦଲିଲପତ୍ର ଏହି ସମ୍ବାଦ ପ୍ରକାଶିତ ହେବାର ୧୫ ଦିନ ମଧ୍ୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ନିକଟରେ ଦାଖଲ ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।ପରବର୍ତ୍ତୀ ସମୟରେ ଆବଶ୍ୟକୀୟ ତଥ୍ୟ ପ୍ରଦାନ କରି ନ ଥିବା ସଂସ୍ଥା ଚିହ୍ନଟ ହେଲେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଦେଇଛନ୍ତି।ଏ ସମ୍ବନ୍ଧରେ ଅଧିକ ବିବରଣୀ ଓ ସ୍ପଷ୍ଟୀକରଣ ପାଇଁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ଯୋଗାଯୋଗ ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ବରିଷ୍ଠ ନାଗରିକ ସଂଘ,ସ୍ବୟଂ ସହାୟକ ଗୋଷ୍ଠୀ ମାନେ ମଧ୍ୟ ଅନୁରୂପ ଭାବେ ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ତଥ୍ୟ ପ୍ରଦାନ କରିବେ।ଯାହା ର ଏକ ଡାଟାବେଶ ପ୍ରସ୍ତୁତ କରାଯିବ। ଯାହା ବ୍ୟବସ୍ଥା ର ସୁରକ୍ଷା ଓ ସ୍ବଛତା ରେ ସହାୟକ ହେବ ବୋଲି ସାମାଜିକ ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *