ପୂଜ୍ୟପୂଜା ପ୍ରତିଷ୍ଠାନ ପୋଲସରାର ୪୪ ତମ ଗୁରୁ ପୂଜନ ଉତ୍ସବ
ପୋଲସରା ୧୦/୦୯/୨୬ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳର ଏକ ମାତ୍ର ସର୍ବ ପୁରାତନ ପୂଜ୍ୟପୂଜା ପ୍ରତିଷ୍ଠାତ ପୋଲସରା ପକ୍ଷରୁ ୪୪ ତମ ଗୁରୁ ପୂଜନ ଉତ୍ସବ ସ୍ଥାନୀୟ ପ୍ରତିଷ୍ଠିତ ଲିଙ୍ଗରାଜ ବାଳିକା ହାଇସ୍କୁଲରେ ପାଳିତ ହୋଇଯାଇଛି। ସଭାପତି ତଥା ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସେବାନିବୃତ୍ତ ପ୍ରଧାନ ଶିକ୍ଷକ ରାଧାଶ୍ୟାମ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକାରି ସଭାପତି ଡ଼ଃ ଜ୍ୟୋତିର୍ମୟ ପଟ୍ଟନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ଡ଼ଃ ସତ୍ୟ ନାରାୟଣ ପଟ୍ଟନାୟକ (ଆକାଶବାଣୀ କଟକ କେନ୍ଦ୍ର ବରିଷ୍ଠ ପଦାଧିକାରୀ) ମୁଖ୍ୟବକ୍ତା ଭାବେ ଡ଼ଃ ଭଗବାନ ତ୍ରିପାଠୀ (ଅଧ୍ୟକ୍ଷ, ପୋଲସରା ବିଜ୍ଞାନ ମହାବିଦ୍ୟାଳୟ, ପୋଲସରା ) ସମ୍ମାନିତ ଅତିଥି ଭାବେ ଓମ୍ ପ୍ରକାଶ (ସରକାରୀ ସ୍ୱୀକୃତି ପ୍ରାପ୍ତ ମୁକ୍ତ ବୃତ୍ତି ସ୍ତମ୍ଭକାର) ଓ ସୂର୍ଯ୍ୟନାରାୟଣ ସାହୁ (ପ୍ରଧାନ ଶିକ୍ଷକ, ଲିଙ୍ଗରାଜ ବାଳିକା ହାଇସ୍କୁଲ, ପୋଲସରା ) ପ୍ରମୁଖ ଯୋଗଦେଇଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା କୋଦଣ୍ଡପାଣି ପଟ୍ଟନାୟକ ସମେତ ସହଯୋଗୀ ଦୁଃଖୀ ଶ୍ୟାମ ପଟ୍ଟନାୟକ ଓ ସୂର୍ଯ୍ୟନାରାୟଣ ଆଚାରୀଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।ନିମନ୍ତ୍ରିତ ୧୦୦ ଜଣ ପୁରାତନ ସେବାନିବୃତ୍ତ ଗୁରୁ ଓ ଗୁରୁମାଁ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଯଦି ଓ ଇଣ୍ଟରନେଟ୍ ଓ ଏ – ଆଇ (କୃତ୍ରିମ ବୁଦ୍ଧିମତା) ଶିକ୍ଷା ବ୍ୟବସ୍ଥା ଏବଂ ଶିକ୍ଷା ଆହରଣ ଢ଼ାଞ୍ଚା ବହୁ ମାତ୍ରାରେ ବଦଳାଇ ସାରିଲେଣି, ତଥାପି ଜୀବନ୍ତ ଗୁରୁ ବ୍ୟକ୍ତିତ୍ୱର ବିକାଶ ନୀର୍ଜିବ କମ୍ପ୍ୟୁଟର କିମ୍ବା ସ୍ମାର୍ଟଫୋନ୍ ଦ୍ବାରା ସମ୍ଭବପର ନୁହେଁ। ତେଣୁ ପ୍ରତ୍ୟେକ ଶିକ୍ଷକ ନିଜ ନିଜର ବ୍ୟକ୍ତିତ୍ୱକୁ ଏଭଳି କରିବା ଦରକାର ଯାହାକି ପିଲାଙ୍କ ଉପରେ ଗଠନମୂଳକ ପ୍ରଭାବ ପକାଇବ। ସେମାନେ ଆହୁରି କହିଛନ୍ତି ଯେ ପ୍ଲାଷ୍ଟିକ ପୁଲ କେତେ ସୁନ୍ଦର ହେଉପଛେ ସେଥିରେ ମହୁମାଛି କିମ୍ବା ପ୍ରଜାପତି ବସେ ନାହିଁ। କାରଣ ସେଥିରେ ଜୀବନ କିମ୍ବା ମହୁ ନଥାଏ। ଏ – ଆଇ ଏବଂ ଅନଲାଇନ୍ ଶିକ୍ଷା ଠିକ୍ ସେହିପରି ଗୋଟିଏ ପ୍ଲାଷ୍ଟିକ୍ ଫୁଲ ସଦୃଶ୍ୟ । ପରେ ସଂପାଦକ କାମରାଜୁ ପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠାନ ତରଫରୁ ପ୍ରଥମେ ନୂତନ ଅବସରପ୍ରାପ୍ତ ୧୨ ଜଣ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସ୍ବତନ୍ତ୍ର ଭାବେ ଉପଢୌକନ ଏବଂ ମାନପତ୍ର ସହ ଗୋଟାଏ ଲେଖାଏଁ ବୃକ୍ଷ ଚାରା ଅତିଥିମାନେ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରାଇବାରେ ଅନୁଷ୍ଠାନର ବରିଷ୍ଠ କର୍ମକର୍ତ୍ତା ଗୟାଚାନ୍ଦ ପାତ୍ର, ବରିଷ୍ଠ ସଦସ୍ୟ ପ୍ରକାଶ ଚନ୍ଦ୍ର ପ୍ରଧାନ ଓ ରଘୁନାଥ ସାହୁଙ୍କ ସମେତ କୋଷାଧ୍ୟକ୍ଷ ସୀମାଂଚଳ ସାହୁ, ଅଧ୍ୟାପକ ଦେବାଶିଷ ସ୍ୱାଇଁ ଏବଂ ସନ୍ତୋଷ କୁମାର ପଣ୍ଡା, ନାରାୟଣ ସାହୁ, ଅତ୍ରୀ ପଟ୍ଟନାୟକ, ଅଶେଷ ପଟ୍ଟନାୟକ, ପ୍ରଗତିବନ୍ଧୁ ଦାସ, ସୁଶାନ୍ତ ମହାରଣା, ସୁବ୍ରତ ବେହେରା, ପି.ସ୍ୱପ୍ନେଶ୍ୱର ପାତ୍ରଙ୍କ ସମେତ ଅନେକ ମାନ୍ୟଗଣ୍ୟ ଓ ଗୁଣୀଜ୍ଞାନି ବ୍ୟକ୍ତି ବିଶେଷ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ସଂପାଦକ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ସହିତ କୃତଜ୍ଞତା ଜଣାଇଥିଲେ।
