ପୁଡୁଚେରୀସ୍ଥିତ ଆଇସିଏମଆର-ଏନଆଇଭିସିଆର ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି

ପୁଡୁଚେରୀସ୍ଥିତ ଆଇସିଏମଆର-ଏନଆଇଭିସିଆର ପରିଦର୍ଶନ କଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଓଡ଼ିଶାର ଆଦିବାସୀ ଅଞ୍ଚଳରେ ରୋଗ ସୃଷ୍ଟିକାରୀ କୀଟ ନିୟନ୍ତ୍ରଣ ସହ ଜଡ଼ିତ ନୂତନ ଜ୍ଞାନକୌଶଳ ସମ୍ପର୍କରେ ଆଲୋଚନାମ୍ୟାଲେରିଆ ନିରାକରଣରେ ଓଡ଼ିଶାର ଆଞ୍ଚଳିକ କେନ୍ଦ୍ରଗୁଡ଼ିକ ଗ୍ରହଣ କରୁଛନ୍ତି ପ୍ରମୁଖ ଭୂମିକାସ୍ୱଦେଶୀ ନିଦାନ ସୁବିଧା ଏବଂ ରୋଗୀ ପୁନର୍ବାସ ମଡେଲ ନିରୀକ୍ଷଣ କଲେ ପ୍ରତିନିଧି ଦଳପୁଡୁଚେରୀ, ୩ ସେପ୍ଟେମ୍ବରଭୁବନେଶ୍ୱରସ୍ଥିତ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ନେତୃତ୍ୱରେ ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ପୁଡୁଚେରୀସ୍ଥିତ ଆଇସିଏମଆର- ନେସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭେକ୍ଟର କଣ୍ଟ୍ରୋଲ୍ ରିସର୍ଚ୍ଚ (ଏନଆଇଭିସିଆର) ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସାମ୍ବାଦିକମାନଙ୍କୁ ଅଗ୍ରଣୀ ଜୈବ ଚିକିତ୍ସା ଗବେଷଣା, ରୋଗ ସୃଷ୍ଟିକାରୀ କୀଟ (ଭେକ୍ଟର) ନିୟନ୍ତ୍ରଣ ଲାଗି ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଏବଂ ଭେକ୍ଟର ବାହିତ ରୋଗ ବିରୁଦ୍ଧରେ ଭାରତର ଗୋଷ୍ଠୀ ସ୍ୱାସ୍ଥ୍ୟ ହସ୍ତକ୍ଷେପ ବିଷୟରେ ପ୍ରତ୍ୟକ୍ଷ ଅନୁଭୂତି ପ୍ରଦାନ କରିଛି ।ଆଇସିଏମଆର-ଏନଆଇଭିସିଆର ନିର୍ଦ୍ଦେଶକ ଡକ୍ଟର ମଞ୍ଜୁ ରାହି ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ । ସେ ପ୍ରତିଷ୍ଠାନର ପାଞ୍ଚ ଦଶକର ବୈଜ୍ଞାନିକ ଯାତ୍ରା ଉପରେ ଆଲୋକପାତ କରିଥିଲେ। ଏକ ଜାତୀୟ ଉତ୍କର୍ଷ କେନ୍ଦ୍ର ଭାବରେ ଏହି ଅନୁଷ୍ଠାନ ନିଜର ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛି । ଏହି ଅବସରରେ ସେ ଓଡ଼ିଶା ସହ ଅନୁଷ୍ଠାନର ଗଭୀର ଏବଂ ରଣନୀତିକ ସହଭାଗୀତା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ, କୋରାପୁଟ ଏବଂ ମାଲକାନଗିରିରେ ଏନଆଇଭିସିଆର ର ସ୍ୱତନ୍ତ୍ର ଆଞ୍ଚଳିକ କେନ୍ଦ୍ର ରହିଛି । ଏହି କେନ୍ଦ୍ରଗୁଡ଼ିକ ଅଧିକ ସଂକ୍ରମଣ ଆଶଙ୍କା ଥିବା ଘଞ୍ଚ ଜଙ୍ଗଲ, ଉପାନ୍ତ ଆଦିବାସୀ କ୍ଷେତ୍ରରେ ପ୍ରୟୋଗାତ୍ମକ ଗବେଷଣା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ରୂପରେ କାର୍ଯ୍ୟ କରୁଛି । ଏଠାରେ ମ୍ୟାଲେରିଆ ମୁକାବିଲା ଲାଗି ନୂତନ ଜ୍ଞାନକୌଶଳ ଯଥା ବିଶେଷ ପ୍ରକାରର କୀଟନାଶକ ମଶାରି ଏବଂ ଘର ଭିତରେ ହେଉଥିବା ରେସିଡୁଆଲ ସ୍ପ୍ରେର ଗଭୀର ନିରୀକ୍ଷଣ କରାଯାଇଥାଏ। ବର୍ତ୍ତମାନ ଏଠାରେ ଦ୍ୱିତୀୟ ପର୍ଯ୍ୟାୟର ମୂଲ୍ୟାଙ୍କନ କରାଯାଉଥିବା ସେ ସୂଚନା ଦେଇଥିଲେ ।ଓଡ଼ିଶାରେ ଚାଲିଥିବା କାର୍ଯ୍ୟର ବିଶେଷତ୍ୱ ହେଉଛି ସ୍ଥାନୀୟ ଆଦିବାସୀ ସମ୍ପ୍ରଦାୟଙ୍କ ସହଯୋଗରେ ବିକଶିତ ତଥା ଡବ୍ଲୁଏଚଓ ମାନକ ଅନୁଯାୟୀ ନିର୍ମିତ ପରୀକ୍ଷାମୂଳକ କୁଡ଼ିଆ ଗୁଡ଼ିକର ଏକ ନେଟୱାର୍କ । ଅସଲି ସ୍ଥାନୀୟ ଘରୋଇ ପରିବେଶକୁ ଅନୁସରଣ କରି ଡିଜାଇନ କରାଯାଇଥିବା କୁଡ଼ିଆ, ରୋଗ ସୃଷ୍ଟିକାରୀ କୀଟ ନିୟନ୍ତ୍ରଣର ନୂତନ ପଦ୍ଧତିକୁ କାର୍ଯ୍ୟକାରୀ କରିବାରେ ସହାୟତା କରିଥାଏ। ଡକ୍ଟର ରାହି ଓଡ଼ିଶାର ଆଦିବାସୀ ସମ୍ପ୍ରଦାୟଗୁଡ଼ିକର ଉନ୍ନତ ସହଯୋଗକୁ ପ୍ରଶଂସା କରିଥିଲେ । ସେ ବିଶେଷ ଭାବେ କହିଥିଲେ ଯେ, ଦୁର୍ବଳ ବର୍ଗଙ୍କ ପାଇଁ ପ୍ରୟୋଗଶାଳାରେ ହୋଇଥିବା ଉଦ୍ଭାବନକୁ ଜୀବନ ବଞ୍ଚାଉଥିବା ସମାଧାନରେ ବଦଳାଇବା ଅତ୍ୟନ୍ତ ଜରୁରୀ ।ଓଡ଼ିଶା ସାମ୍ବାଦିକ ପ୍ରତିନିଧି ଦଳ ପ୍ରତିଷ୍ଠାନର ହାଇ-କଣ୍ଟେନମେଣ୍ଟ ଇନ୍ସେକ୍ଟସ୍‌ ବାୟୋସିକ୍ୟୁରିଟୀ ଲେଭଲ-୨ (ଆଇବିଏସଏଲ-୨) ପ୍ରୟୋଗଶାଳା, ଜିଏଲପି-ସାର୍ଟିଫାଏଡ୍‌ ସୁବିଧା ଏବଂ ଜାତୀୟ ମଶା ସଂଗ୍ରହାଳୟ ପରିଦର୍ଶନ କରିଥିଲେ। ଏହି ସଂଗ୍ରହାଳୟରେ ୩୬୦ରୁ ଅଧିକ ମଶା ପ୍ରଜାତିକୁ ସଂଗୃହିତ କରି ରଖାଯାଇଛି । ସ୍କ୍ରବ୍‌ ଟାଇଫସ୍‌ ଭଳି ନୂଆ ବିପଦର ମୁକାବିଲା ଲାଗି ଏହା ଅତ୍ୟନ୍ତ ଜରୁରୀ ।ସାମ୍ବାଦିକମାନେ କୀଟନାଶକ ଯୁକ୍ତ କାଗଜ ପ୍ରସ୍ତୁତ କରାଯାଉଥିବା କାରଖାନା ପରିଦର୍ଶନ କରିଥିଲେ। ଏହା ଡବ୍ଲୁଏଚଓ ସହଯୋଗରେ ଜାରି ରହିଥିବା ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଏକ ବଡ଼ ଉପଲବ୍ଧି । ଏହି କାରଖାନା ଆରମ୍ଭ ହେବା ଫଳରେ ରୋଗ ସୃଷ୍ଟିକାରୀ କୀଟ ପ୍ରତିରୋଧ ଲାଗି ନିରୀକ୍ଷଣରେ ବ୍ୟବହୃତ ହେଉଥିବା ନିଦାନ ଫିଲ୍ଟର ପେପର୍‌ ଲାଗି ମାଲେସିଆ ଆମଦାନୀ ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇବ । ଅନ୍ତର୍ଜାତୀୟ ସ୍ତରରେ ପ୍ରଶିକ୍ଷିତ ବିଶେଷଜ୍ଞଙ୍କ ଦ୍ୱାରା ପରିଚାଳିତ ଏହି ସୁବିଧା ସାରା ଦେଶରେ ବିତରଣ ଆରମ୍ଭ କରିବ । ଫଳରେ ଦେଶରେ ଭେକ୍ଟର ନିୟନ୍ତ୍ରଣ ଯୋଗାଣ ଶୃଙ୍ଖଳ ସୁରକ୍ଷିତ ହେବ ।ପ୍ରତିନିଧି ଦଳ କ୍ରନିକ୍ ଲିମ୍ଫାଟିକ୍ ଫାଇଲେରିଆସିସ୍ ପାଇଁ ମର୍ବିଡିଟି ମ୍ୟାନେଜମେଣ୍ଟ କ୍ଲିନିକ୍ ପରିଦର୍ଶନ କରିଥିଲେ। ଏଠାରେ ରୋଗୀଙ୍କ ପୁନର୍ବାସ ଉପରେ ଧ୍ୟାନ ଦିଆଯାଇଥାଏ । ଏହି କ୍ଲିନିକ୍ ବ୍ୟାପକ କ୍ଲିନିକାଲ କେୟାର, ଫିଜିଓଥେରାପି ଏବଂ ସ୍ୱଚ୍ଛତା ତାଲିମ ପ୍ରଦାନ କରି ରୋଗୀଙ୍କ ଗତିଶୀଳତା ଏବଂ ମର୍ଯ୍ୟାଦାଜନକ ଜୀବନ ଫେରାଇ ଆଣିବା କ୍ଷେତ୍ରରେ କାର୍ଯ୍ୟ କରାଯାଏ।ଓଡ଼ିଶାର ସାମ୍ବାଦିକମାନେ ବରିଷ୍ଠ ବୈଜ୍ଞାନିକମାନଙ୍କ ସହିତ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଆଇସିଏମଆର- ଏନଆଇଭିସିଆରର ସମନ୍ୱିତ ମଡେଲକୁ ସେମାନେ ପ୍ରଶଂସା କରିଥିଲେ । ଏହି ମଡେଲ ଆଧୁନିକ ଗବେଷଣାକୁ ତୃଣମୂଳ ସ୍ତରରେ ସେବା ପହଞ୍ଚାଇବା ସହ ଯୋଡ଼ିଥାଏ । ଏହି ମଡେଲ ଭାରତର ମହାମାରୀ ମୁକାବିଲା କ୍ଷମତା ଏବଂ ମ୍ୟାଲେରିଆକୁ ବିଲୋପ କରିବାର ମିଶନକୁ ଆଗକୁ ବଢ଼ାଇଥାଏ ।

Leave a Reply

Your email address will not be published. Required fields are marked *