ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ପୁରୀ ପୋଲିସର ବିଶେଷ ଫୁଟ୍ ପେଟ୍ରୋଲିଂ

ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ଭକ୍ତ ଓ ସାଧାରଣ ଲୋକଙ୍କ ସୁରକ୍ଷା, ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ପୁରୀ ପୋଲିସ ପକ୍ଷରୁ ଆଜି ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ବିଶେଷ ଫୁଟ୍ ପେଟ୍ରୋଲିଂ କରାଯାଇଛି। ଗଣେଶ ପୂଜା ଅବସରରେ ପୁରୀ ସହର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନେକ ମେଢ଼ ଓ ପୂଜାମଣ୍ଡପ ଆୟୋଜିତ ହୋଇଥିବାରୁ ଭକ୍ତ ଓ ଦର୍ଶନାର୍ଥୀଙ୍କ ସୁବିଧା ଏବଂ ସୁରକ୍ଷାକୁ ପୁରୀ ପୋଲିସ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ପୁରୀ ସହରର ବିଭିନ୍ନ ସାହି, ଗଳି ଓ ପୂଜାମଣ୍ଡପ ଅଞ୍ଚଳରେ ଏହି ଫୁଟ୍ ପେଟ୍ରୋଲିଂ କରାଯାଇ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ଭକ୍ତମାନେ ଯେପରି ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭାବେ ପୂଜାର ଅନୁଭୂତି ନେଇପାରିବେ, ସେଥିପ୍ରତି ନଜର ରଖାଯାଇଛି। ଏହି ବିଶେଷ ଫୁଟ୍ ପେଟ୍ରୋଲିଂରେ ପୁରୀ ଏସ୍‌ପି ଶ୍ରୀ ପ୍ରତୀକ ସିଂ ପୁରୀ ସହରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ତାଙ୍କ ସହିତ ସିଟି ସବ୍‌ଡିଭିଜନର ଡିଏସ୍‌ପି ଶ୍ରୀ ରଶ୍ମିରଞ୍ଜନ ମହାପାତ୍ର ଏବଂ ସହରର ବିଭିନ୍ନ ଥାନାର ଅଧିକାରୀମାନେ ମଧ୍ୟ ଫୁଟ୍ ପେଟ୍ରୋଲିଂରେ ସାମିଲ ହୋଇଥିଲେ। ଗଣେଶ ଚତୁର୍ଥୀ ଉତ୍ସବ ସମୟରେ ସମସ୍ତ କାର୍ଯ୍ୟକ୍ରମ ଶାନ୍ତିପୂର୍ଣ୍ଣ ଓ ସୁବ୍ୟବସ୍ଥିତ ଭାବେ ସମ୍ପନ୍ନ କରିବା ସହ ଭକ୍ତ ଓ ସାଧାରଣ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପୁରୀ ପୋଲିସର ପ୍ରମୁଖ ଲକ୍ଷ୍ୟ।

Leave a Reply

Your email address will not be published. Required fields are marked *