ଘରଣୀ ତଣ୍ଟିରେ ଲାଗିଛି କଣ୍ଟା

ଘରଣୀ ତଣ୍ଟିରେ ଲାଗିଛି କଣ୍ଟା


    (ରମ୍ୟ ରଚନା)

ପାହିଲା ରାତି ଥରିଲା ଛାତି
ଘରଣୀ ରଡ଼ି ଶୁଣି,
ରବିବାରିଆ ଆଇଁଷ ଖିଆ
(କ’ଣ)ବିଛଣା ଛାଡ଼ିବନି?
ଶୀଘ୍ର ମାର୍କେଟ ଯାଅ ହେ ତୁମେ
ଭଲଦଶା ଯଦି ଅଛି,
ମାଛ ମାଉଁସ ଧରିକି ଆସ
ଅପେକ୍ଷା କରିଅଛି।
ହଁ, ମନକରିକି ଚୂନାମାଛରୁ
ଆଣିବ ଅଧକିଲେ‌,
କଂସାଏ ପଖାଳ ଖାଇବି ଆଜି
ସେ ମାଛ ଭଜା ହେଲେ।
ଡରିମରିକି ବାହାରିଗଲି‌
ସ୍ତ୍ରୀ ହୁକୁମ‌୍‌ ମାନି,
ଦେଖିଲି ମାଛ ବିକ୍ରୀ ପାଖରେ
ଲାଗିଛି ଲମ୍ବା ଲାଇନ୍।
ସହଜେ ରବିବାର ବଜାର
ହଜାରେ ଲୋକ ଭିଡ଼,
ଘଣ୍ଟାଏ କାଳ ଠିଆ ହେଇକି
ବିନ୍ଧିଲାଣି ମୋ ଗୋଡ଼।
ସେଥିରେ ପୁଣି ଘରଣୀ ଫୋନ୍
ଆସୁଛି ଘନଘନ,
ମଲକି‌ ଗଲ ଆସୁନା କାହିଁ
କରୁଛ ତୁମେ କ’ଣ?
ଘରକୁ ଆସ ଆଜି ଦେଖିବ
ମୋର ଅସଲ ରୂପ,
କେମିତି ଜନ୍ମ କଲେ ତୁମକୁ
ତୁମର ମାଆ ବାପ।
ଏ କଥା ଶୁଣି ଭାଗ୍ୟକୁ ନିନ୍ଦି‌
ମାଛ ମାଉଁସ କିଣି,
ଚୂନା ମାଛ ବି ଅଧକିଲେ‌ ମୁଁ
ଆଣିଲି ସଙ୍ଗେ ଘେନି।
ଛାତିଟା ଧଡଧଡ‌ ମୋହର
ପାଦ ଯେ ଥରଥର‌,
ଡରିଡରିକି ପହଞ୍ଚିଗଲି
ଆସି ମୋହରି ଘର।
ଶୁଭିଲା ରଡ଼ି ଆସିଲା ମାଡ଼ି
ଘରଣୀ ଝାଡୁ ଧରି,
କିଛି ନ କହି ଭୁଲ୍ ମାଗିଲି
କାନକୁ ମୋର ଧରି।
ଘରଣୀ ରାଣୀ ଗଲା ସାଉଁଳି
କହିଲା ମିଠା ବାଣୀ,
କୁନାବାପା ହେ ଚୂନା ମାଛକୁ
ଟିକେ ବାଛି ଦିଅନ୍ତନି!
ତମେ କହିବ ମୁଁ ପୁଣି ଏଇ
କାର୍ଯ୍ଯ କରିବି ନାହିଁ,
ସାଙ୍ଗେ ସାଙ୍ଗେ ତ ମାଛ ବନେଇ
ଭାଜି ବି ଦେବି ମୁହିଁ।
ତେଲ ହଳଦୀ ମସଲା ଦେଇ
ମାଛ ମୁଁ ଭାଜି ଦେଲି,
ମାଛ ସହିତ ପଖାଳ ଗୁଣ୍ଡା
ଘରଣୀ ଦେଲା ଗିଳି‌।
ଦେଶୀ ପିଆଜ କଞ୍ଚାଲଙ୍କାକୁ
ଲୁଣରେ ମାଡ଼ି ଦେଇ,
ଗୁଣ୍ଠୁଣୀ‌ ହାତୀ ମୋ ପଖାଳ ଗିଳେ‌
ହୋଇ ସେ ଧ‌ଇଁସ‌ଇଁ।
ରଙ୍କୁଣୀ‌ ପ୍ରାୟେ‌ ଚୋବ‌ଉ ଥାଏ
ଚୂନା ମାଛର ଭଜା,
ତଣ୍ଟିରେ‌ ତାର ଲାଗିଲା କଣ୍ଟା
ବାହାରିଲା ଯେ ମଜା।
ଓକାଳି‌ ହୋଇ ଯେତେ କାଶିଲା
କଣ୍ଟା‌ ଖସିଲା ନାହିଁ,
ବାଡ଼େଇ ଛାଟି ବେଦମ୍ ହେଲା
ସହିପାରିଲି‌ ନାହିଁ।
ଶହେ ଆଠ୍‌କୁ ଡକେଇ‌ ଶୀଘ୍ର
ନେଲି ମୁଁ ମେଡିକାଲ,
ତଣ୍ଟିରେ ନଳୀ ପୁରେଇ କଣ୍ଟା
କାଢିଲେ‌ ଡାକତର‌।
ଘରଣୀ ମୋର ହେଲା ଆଶ୍ବସ୍ତ
ଚିନ୍ତା ମୋ ହେଲା ଦୂର,
କିନ୍ତୁ ସ୍ତ୍ରୀକୁ ଗୋଟିଏ କଥା‌
କହିଲେ ଡାକତର‌।
ପ୍ରତି ନାରୀର ପରମ ମିତ୍ର
ଅଟନ୍ତି ତାଙ୍କ ସ୍ଵାମୀ,
ନିଜ ପତ୍ନୀର ସାମାନ୍ୟ କଷ୍ଟ
ସେ ସହିପାରନ୍ତିନି‌।
ତେଣୁ ସ୍ୱାମୀକୁ ହୁକୁମ ନୁହଁ
ମଧୁର କଥା କୁହ,
ହସଖୁସିରେ ତେଲ ଲୁଣର‌
ସଂସାର କରୁଥାଅ‌।
❤️❤️❤️❤️❤️❤️❤️❤️

Leave a Reply

Your email address will not be published. Required fields are marked *