ତିନି ପୁଅ ବୋହୁଙ୍କ ପାଇଁ ବାପା ହେଲେ ବୋଝ, ଘରୁ ତଡା ଖାଇଲେ ବାପା
ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଅବକାଶ ଲେନରେ ଜଣେ ବୃଦ୍ଧଙ୍କୁ ତାଙ୍କ ତିନି ପୁଅ ଘରୁ ବାହାର କରିଦେଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଜୋର ଧରିଛି। ଶେଷରେ ପ୍ରଶାସନର ହସ୍ତକ୍ଷେପ ପରେ ବୃଦ୍ଧ କୃଷ୍ଣଚନ୍ଦ୍ର ସାହୁ ନିଜ ଘରକୁ ପୁଣିଥରେ ପ୍ରବେଶ କରିଛନ୍ତି।ସୂଚନା ଅନୁଯାୟୀ, ଅବକାଶ ଲେନରେ ରହୁଥିବା କୃଷ୍ଣଚନ୍ଦ୍ର ସାହୁଙ୍କୁ ତାଙ୍କ ତିନି ପୁଅ ଘରୁ ବାହାର କରିଦେଇଥିବା ଅଭିଯୋଗ ହୋଇଥିଲା। ଏହାପରେ ବୃଦ୍ଧ ଜଣକ ନିଜ ଘରକୁ ଫେରିବା ଓ ନ୍ୟାୟ ପାଇବା ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ହସ୍ତକ୍ଷେପ କରାଯାଇଥିଲା। ମାଜିଷ୍ଟ୍ରେଟ ରଶ୍ମି ଦାଶଙ୍କ ଉପସ୍ଥିତିରେ ବୃଦ୍ଧ କୃଷ୍ଣ ଚନ୍ଦ୍ର ସାହୁ ନିଜ ଘରେ ପ୍ରବେଶ କରିଥିଲେ। ବୃଦ୍ଧ ବୟସରେ ନିଜ ସନ୍ତାନଙ୍କ ଠାରୁ ସାହାରା ଆଶା କରୁଥିବା ସମୟରେ ଘରୁ ବାହାର କରିଦେବା ଭଳି ଅଭିଯୋଗ ବାପା ପୁଅଙ୍କ ସମ୍ପର୍କରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ବୃଦ୍ଧ କୃଷ୍ଣଚନ୍ଦ୍ର ସାହୁ ନିଜ ଘରେ ପ୍ରବେଶ କରିବା ପରେ ଆଗକୁ ତାଙ୍କୁ ପୁଅ ବୋହୁ ପୁନର୍ବାର ନିର୍ଯ୍ୟାତନା ଦେଉଛନ୍ତି କି ଯତ୍ନର ସହ ଆଦୋରି ନେଉଛନ୍ତି ସେ ନେଇ ପ୍ରଶ୍ନ ଉଠିଛି ।l
