ମାଟି କାନ୍ଥ ଭୁଶୁଡ଼ି ବୃଦ୍ଧା ମୃତ;ଲଗାଣ ବର୍ଷାରେ ମାଟିଘର ଭୁଶୁଡ଼ିଲା

;ବେଲଗୁଣ୍ଠା, ୨୫/୦୯: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ତିନି ଦିନ ଧରି ଲଗାଣ ବର୍ଷା ଜନଜୀବନକୁ ପ୍ରଭାବିତ କରିଥିବାବେଳେ ବେଲଗୁଣ୍ଠା ବ୍ଲକ୍‌ରେ ମାଟି କାନ୍ଥ ଭୁଶୁଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ଉଢ଼ୁରା ପଞ୍ଚାୟତ ଅନ୍ତର୍ଗତ ପୁରୁଣା ଉଢ଼ୁରା ଗ୍ରାମର ହରିଜନ ସାହିରେ ଗୁରୁବାର ରାତିରେ ଏହି ଅଘଟଣ ଘଟିଛି। ମୃତକ ହେଲେ ରାମ ନାଇକଙ୍କ ସ୍ତ୍ରୀ ହେମ ନାଇକ (୭୦)। ସୂଚନାନୁସାରେ, ହେମ ନିଜ ଝିଅ ଦୁଃଖୀଙ୍କ ସହ ମାଟି ଛପର ଘରେ ଶୋଇଥିଲେ। ରାତି ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ଲଗାଣ ବର୍ଷା ଓ ପବନ ଯୋଗୁଁ ଘରର ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା। କାନ୍ଥକୁ ଲାଗି ଶୋଇଥିବା ହେମ ଏହାତଳେ ଚାପି ଗୁରୁତର ହୋଇଥିଲେ। ଗ୍ରାମର ମନ୍ମୟ ଖଟେଇ, ଆକାଶ ଓ ରାଜେନ୍ଦ୍ରଙ୍କ ସହାୟତାରେ ହେମଙ୍କ ଦୁଇ ପୁଅ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ହେମଙ୍କୁ ମୃତ ଘୋଷଣା କରିଥିଲେ।ଶୁକ୍ରବାର ଶବ ବ୍ୟବଚ୍ଛେଦ ପରେ ଅପରାହ୍ଣ ପ୍ରାୟ ୧ଟା ସମୟରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶବ ଗ୍ରାମରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ଗୁରୁବାର ରାତିରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ରାଜସ୍ୱ ନିରୀକ୍ଷକ ଶିବଶଙ୍କର ସାହୁ, ବିଡିଓ ସିଙ୍ଗାପୁରମ୍ ହରି ଓ ଏସ୍‌ଆଇ ଜ୍ୟୋତ୍ସ୍ନାରାଣୀ ପ୍ରଧାନ ଭଞ୍ଜନଗର ମେଡିକାଲରେ ପହଞ୍ଚି ପରିସ୍ଥିତି ସମ୍ପର୍କରେ ବୁଝିଥିଲେ।

ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଘଟଣାର ପୂର୍ବଦିନ ବିଡିଓ, ତହସିଲଦାର, ପିଇଓ ଓ ରାଜସ୍ୱ ନିରୀକ୍ଷକ ଗାଁକୁ ଯାଇ ହେମଙ୍କୁ ତାଙ୍କ ଦୁଇ ପୁଅଙ୍କ ପକ୍କା ଘରକୁ ଯିବାକୁ ପରାମର୍ଶ ଦେଇଥିଲେ। ସେମାନେ ଯିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ଏହାଛଡ଼ା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ତହସିଲଦାର ଓ ରାଜସ୍ୱ ନିରୀକ୍ଷକଙ୍କ ପକ୍ଷରୁ କେତେକ ଘରକୁ ପାଲ ଯୋଗାଇ ଦିଆଯାଇଥିଲା। ହେମଙ୍କୁ ମଧ୍ୟ ଏକ ପାଲ ଦିଆଯାଇଥିଲା, ଯାହାକୁ ସେ ଘର ଚାଳ ଉପରେ ଘୋଡ଼ାଇଥିଲେ। ତେବେ ଲଗାଣ ବର୍ଷା ଓ ପବନରେ ଘରର ମାଟି ଦୁର୍ବଳ ହୋଇ କାନ୍ଥ ଭୁଶୁଡ଼ିଥିବା ଅନୁମାନ କରାଯାଉଛି।ସରକାରଙ୍କ ପକ୍ଷରୁ ବର୍ଷା ଓ ବାତ୍ୟା ସମୟରେ ‘ଶୂନ୍ୟ ମୃତାହତ’ ଲକ୍ଷ୍ୟ ନେଇ ପଦକ୍ଷେପ ନିଆଯାଉଥିବାବେଳେ ଏହି ଘଟଣା ପ୍ରଶାସନିକ ପ୍ରସ୍ତୁତି ଓ ବିପଦପ୍ରବଣ ମାଟିଘରଗୁଡ଼ିକର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛି। ଅନ୍ୟପକ୍ଷରେ, ଅତ୍ୟନ୍ତ ଗରିବ ପରିବାରର ହେମଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ସମିତି ସଭ୍ୟ ସୁଧାଂଶୁ ଶେଖର ପୋଲାଇ ଓ ଯୁବ ସମାଜସେବୀ ମନ୍ମୟ ଖଟେଇ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *